Home General ରାସନ କାର୍ଡରେ ଯୋଡିହେବେ ନୂଆ ହିତାଧିକାରୀ

ରାସନ କାର୍ଡରେ ଯୋଡିହେବେ ନୂଆ ହିତାଧିକାରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସାମିଲ ହୋଇଥିବା ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ କଟିବାକୁ ଯାଉଛି । ପ୍ରକୃତରେ ଯେଉଁମାନେ ଏହି ଯୋଜନାରେ ଉପକୃତ ହେବାକଥା ସେମାନଙ୍କ ଭିତରୁ ଅନେକଙ୍କୁ ପଛରେ ପକାଇ ମିଛ ତଥ୍ୟ ଆଧାରରେ ଯେଉଁମାନେ ପ୍ରତିମାସରେ ମୁଣ୍ଡପିଛା ୫କିଲୋ କରି ମାଗଣା ଚାଉଳ ପାଉଛନ୍ତି ସେମାନଙ୍କୁ ବାଦ୍‍ ଦିଆଯିବା ପରେ ଲକ୍ଷ ଲକ୍ଷ ବଞ୍ଚିତ ଲୋକ ଏହି ଯୋଜନାରେ ସାମିଲ ହେବାକୁ ଯାଉଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧିନରେ ୯୨,୬୬,୪୯୧ ପରିବାରର ୩,୨୫,୯୩,୮୭୫ ଲୋକଙ୍କୁ ମାଗଣା ଚାଉଳ ପ୍ରତିମାସରେ ମିଳୁଛି । ଏହାଛଡା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୩,୧୫,୨୩୭ ପରିବାରର ୧୦,୦୨,୧୪୪ ହିତାଧିକାରୀ ଉପକୃତ ହେଉଥିବା କୁହାଯାଉଛି । ଏମାନଙ୍କ ଛଡା ୩୦ଟି ଯାକ ଜିଲ୍ଲାରୁ ଆଉ ୬,୧୯,୮୩୬ ପରିବାର ଗତ ଜୁଲାଇ ମାସ ସୁଦ୍ଧା ମାଗଣା ଚାଉଳ ଯୋଜନାରେ ସାମିଲ ହେବାପାଇଁ ଆବେଦନ କରିଛନ୍ତି । ଏମାନଙ୍କ ଆବେଦନ ମଞ୍ଜୁର ହେଲେ ଆଉ ପ୍ରାୟ ୨୦ଲକ୍ଷ ଲୋକ ଏହି ଯୋଜନାରେ ସାମିଲ ହୋଇପାରନ୍ତେ ।

ପୂର୍ବରୁ କେନ୍ଦ୍ର ସରକାର କିଲୋପିଛା ପ୍ରାୟ ୩୦ଟଙ୍କା ରିହାତି ବହନ କରି ଓଡିଶା ସରକାରଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କିଲୋପିଛା ମାତ୍ର ୩ଟଙ୍କା ଦରରେ ଚାଉଳ ଓ ଗହମ ଯୋଗାଉଥିଲେ । ଏହା ଉପରେ ରାଜ୍ୟ ସରକାର ୨ଟଙ୍କା ରିହାତି ବହନ କରି ହିତାଧିକାରୀଙ୍କୁ କିଲୋପିଛା ୧ଟଙ୍କା ଦରରେ ଚାଉଳ ଓ ଗହମ ଯୋଗାଣ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ଓଡିଶାକୁ ଗହମ ନପଠାଇ କେବଳ ଚାଉଳ ଏହି ଯୋଜନାରେ ବଣ୍ଟାଗଲା ଏବଂ କେନ୍ଦ୍ର ସରକାର ସାରା ଦେଶରେ ୮୦କୋଟି ୧୦ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ଏହା ଯୋଗାଇବାର ଯେଉଁ ବ୍ୟବସ୍ଥା କରିଥିଲେ ତାହା ଏବେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ।

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବହୁ ଅଯୋଗ୍ୟ ଲୋକ ନିଜକୁ ଯୋଗ୍ୟବୋଲି ପ୍ରମାଣିତ କରି ମାଗଣା ଚାଉଳ ଯୋଜନାରୁ ଫାଇଦା ନେଉଥିବା ଘେନି ଅଭିଯୋଗ ହୋଇଆସୁଛି । ଏମିତିକି ମୃତ ବ୍ୟକ୍ତି ଓ ବିବାହିତା ଝିଅଙ୍କ ନାମରେ ବି ଚାଉଳ ଉଠୁଛି । ଅନେକ କ୍ଷେତ୍ରରେ କୋଠା ବାଡି କରି ଚାରିଚକିଆ ଯାନ ଚଢୁଥିବା ବହୁ ଧନିକ ଶ୍ରେଣୀର ଲୋକ ବି ରାସାନକାର୍ଡ ହାତେଇ ଚାଉଳ ନେଉଛନ୍ତି । ଅନାବଶ୍ୟକ କ୍ଷେତ୍ରରେ ଦିଆଯାଉଥିବା ଚାଉଳ ହାଟ ବଜାରରେ ଶସ୍ତା ଦରରେ ମଧ୍ୟ ବିକ୍ରି ହେଉଛି ।

ଭୂତ ହିତାଧିକାରୀଙ୍କୁ ବାଦ୍‍ ଦେବାପାଇଁ ଆଧାର ଭିତ୍ତିକ କେୱାଇସି ଯାଞ୍ଚପ୍ରକ୍ରିୟା ଓଡିଶାରେ ଏବେ ଜୋରସୋରରେ ଚାଲିଛି । ପୁରୁଣା ହିତାଧିକାରୀମାନେ ପୋସ୍‍ ମେସିନ୍‍ରେ ନିଜର ଅଙ୍ଗୁଳି ଛାପ ଓ ଆଖିଡୋଳାର ପ୍ରତିଛବି ମାଧ୍ୟମରେ ନିଜ ନିଜର ରାସନକାର୍ଡକୁ ବୈଧ କରିବା ବାଧ୍ୟତାମୂଳକ ହୋଇଛି । ଏଥିପାଇଁ ଏବେ ରାଜଧାନୀ ସମେତ ଅନ୍ୟ ସହର ବଜାର ଛାଡି ବହୁ ଲୋକ ରାସନକାର୍ଡ ବଞ୍ଚାଇବାକୁ ଗାଁର ଡିଲରଙ୍କ ପାଖକୁ ଦଉଡୁଛନ୍ତି । ଅବଶ୍ୟ ଦେଶର ଯେକୌଣସି ସ୍ଥାନରେ ଏହିଇ-କେୱାଇସି ଯାଞ୍ଚ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।

ଏହି ଯାଞ୍ଚ ପ୍ରକ୍ରିୟା ଫଳରେ ଅନେକ ଅଯୋଗ୍ୟ ହିତାଧିକାରୀ ଛାଏଁ ଛାଏଁ ବାଦ୍‍ ପଡିଯିବେ । ଏହାଛଡା ଯେଉଁମାନେ ନୂଆ ରାସନକାର୍ଡ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଯୋଗ କରିବାଲାଗି ରାଜ୍ୟ ସରକାର ୧୨ଟି ମାନଦଣ୍ଡ ରଖିଥିବାବେଳେ ବାଦ୍‍ ଦେବାପାଇଁ ୧୦ଟି ମାନଦଣ୍ଡ ରଖିଛନ୍ତି । ଇ-କେୱାଇସି ମାଧ୍ୟମରେ ନୂଆହିତାଧିକାରୀ ଚୟନ ହେବାକୁ ଯାଉଥିବାରୁ ଚାରିଆଡେ ରାସନକାର୍ଡ ପାଇଁ ଉତ୍କଣ୍ଠା ପ୍ରକାଶ ପାଇଛି । (ତଥ୍ୟ)