ଭୁବନେଶ୍ୱର : ରାସନକାର୍ଡଧାରୀମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଋଣ କରି ଚାରିଚକିଆ ଯାନଟିଏ ରଖିଥିବା ରାସନ କାର୍ଡଧାରୀ ଏବେ ଆତଙ୍କିତ । କାରଣ ରାସନକାର୍ଡ ତାଲିକାରୁ ବାଦ୍ ପଡିବାପାଇଁ ଯେଉଁସବୁ ମାନଦଣ୍ଡ ରହିଛି ସେଥିରେ ଚାରିଚକିଆ ଯାନ ରଖିଥିବା ବ୍ୟକ୍ତି ସବୁଠାରୁ ଆଗରେ ରହିଛନ୍ତି ।
ଗୋଟିଏ ପଟେ ରାଜ୍ୟରେ ଲକ୍ଷାଧିକ ଭୂତ କାର୍ଡ ଯୋଗେ ଚାଉଳ ଉଠାଣର ଅଭିଯୋଗ ଉଠୁଥିବାବେଳେ ରାଜ୍ୟ ସରକାର ଏବେ ଇ-କେୱାଇସି ଯାଞ୍ଚ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଏହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ଚିହ୍ନଟ ସହିତ ଯେଉଁମାନେ ମାନଦଣ୍ଡ ଉଲ୍ଲଙ୍ଘନ କରିଛନ୍ତି ସେମାନେ ବାଦ୍ ପଡିବେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।
ଏହି ବାଦ୍ ପଡିବା ମାନଦଣ୍ଡରେ ସବୁଠାରେ ଆଗରେ ରହିଛି ୪ଚକିଆ ଯାନ । ଗୋଟିଏ ଚାରିଚକିଆ ଯାନ ଥିଲେ ରାସନକାର୍ଡରୁ ହିତାଧିକାରୀ ବାଦ୍ ପଡିବେ । ତେବେ ତିନି ଚକିଆ କ୍ଷେତ୍ରରେ ଏହି ସୀମା ଦୁଇଟି ରହିଛି । ଏହାଛଡା ଭାରିଯାନ ଟ୍ରଲର କିମ୍ବା ୨ବା ତାହାଠାରୁ ଅଧିକ ମୋଟର ବୋଟ୍ର ମାଲିକ ହୋଇଥିଲେ ରାସନକାର୍ଡରୁ ବାଦ୍ ପଡିବାର ନିୟମ ରହିଛି ।
ତେବେ ରାଜ୍ୟରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ୯୫ଲକ୍ଷ ପରିବାର ରାସନକାର୍ଡ ଜରିଆରେ ଚାଉଳ ପାଉଛନ୍ତି । ଯେଉଁମାନେ ପୂର୍ବରୁ କାର୍ଡ ପାଇଥିଲେ ସେମାନଙ୍କର ଆର୍ଥିକ ସ୍ଥିତିରେ ଏବେ ସୁଧାର ଆସିବା ସହିତ ୪ଚକିଆ ଓ ଭାରିଯାନର ମାଲିକ ହୋଇ ସାରିଲେଣି । କେତେକ ବ୍ୟକ୍ତି ମଧ୍ୟ ପେଟ ପୋଷିବାପାଇଁ ଋଣ କରି ଚାରିଚକିଆ ଯାନ କିଣିଛନ୍ତି । ଏମାନେ ଏବେ ରାସନକାର୍ଡ ହରାଇବା ଆଶଙ୍କା ଅଛନ୍ତି ।
ସେହିଭଳି ଯେଉଁ ପରିବାରର ତିନି ବଖୁରିଆ ପକ୍କାଘର ଥିବ ସେମାନେ ମଧ୍ୟ ରାସନକାର୍ଡ ତାଲିକାରୁ ବାଦ୍ ପଡିବେ । ଗାଡିମୋଟର ଭଳି ଅନେକ ରାସନକାର୍ଡଧାରୀଙ୍କର ଏବେ ଘରର କଳେବର ବୃଦ୍ଧି ପାଇଛି । କିଏ ନୂଆ ପକ୍କାଘର ନିର୍ମାଣ କରିଛି ତ ଆଉ କିଏ ଇନ୍ଦିରାଆବାସନ ଘରର କାୟା ବୃଦ୍ଧି ପାଇଛି । ବର୍ତ୍ତମାନ ମାନଦଣ୍ଡ ଆଧାରରେ ଯାଞ୍ଚ ହେଲେ ଅନେକ ରାସନକାର୍ଡଧାରୀ ଘର ଆଧାରର ବାଦ୍ ପଡିଯିବେ ।
ଅନ୍ୟ ମାନଦଣ୍ଡଗୁଡିକ ମଧ୍ୟରେ ଟିକସ ଦେଉଥିବା ବ୍ୟକ୍ତି, ସହରାଞ୍ଚଳରେ ମାସିକ ୧୫ ହଜାର ଓ ଗ୍ରାମାଞ୍ଚଳରେ ମାସିକ ୧୦ହଜାର ଆୟ କରୁଥିବା ବ୍ୟକ୍ତି, ୨କିଲୋୱାଟ କିମ୍ବା ଅଧିକ କ୍ଷମତାର ବିଜୁଳି ସଂଯୋଗ ନେଇଥିଲେ ମଧ୍ୟ ରାସନକାର୍ଡ ତାଲିକାରୁ ବାଦ୍ ପଡିବାର ନିୟମ ରହିଛି ।
ରାଜ୍ୟରେ ନୂଆ ସରକାର ଆସିବାପରେ ଏବେ ଭୂତ ରାସନକାର୍ଡଧାରୀଙ୍କୁ ଧରିବାପାଇଁ ଦାବି ଉଠିବାରେ ଲାଗିଛି । ରାଜ୍ୟରେ ଲକ୍ଷାଧିକ ଭୂତ କାର୍ଡ ଥିବା କର୍ତ୍ତୃପକ୍ଷ ବି କହୁଛନ୍ତି । ତେଣୁ ଯାଞ୍ଚ ପ୍ରକ୍ରିୟାରେ କିଏ କଟିବ ଆଉ କିଏ ରହିବ ତାହାକୁ ନେଇ ଆଶଙ୍କା ବଢିବାରେ ଲାଗିଛି । (ତଥ୍ୟ)