Home General ରାଷ୍ଟ୍ରପତି ଆସନରେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଆସନରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଭାରତର ରାଷ୍ଟ୍ରପତି ଭାବେ ବହୁ ମତରେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ପ୍ରତିଦ୍ୱନ୍ଦୀ ଯଶୱନ୍ତ ସିହ୍ନାଙ୍କ ଠାରୁ ଢେର ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଜନ୍ମିତ ଦ୍ରୌପଦୀ ହେଉଛନ୍ତି ସ୍ୱାଧୀନ ଭାରତରେ ଜନ୍ମ ହୋଇଥିବା ଦେଶର ପ୍ରଥମ ରାଷ୍ଟ୍ରପତି । ତାଙ୍କ ଏବେ ମାତ୍ର ୬୩ବର୍ଷ ବୟସ । ରାଇରାଙ୍ଗପୁର ଏନ୍‍ଏସିର ଉପାଧ୍ୟକ୍ଷା ପଦରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ଶେଷରେ ଦେଶର ସର୍ବୋଚ୍ଚ ଆସନ ରାଇସିନା ହିଲ୍‍ରେ ପହଞ୍ଚିଛନ୍ତି ।

ରାଇରଙ୍ଗପୁରରୁ ରାଇସିନା ଯିବା ମଧ୍ୟରେ ଦ୍ରୌପଦୀ ଓଡିଶାରେ ବିଜେଡି-ବିଜେପି ମିଳିତ ସରକାରରେ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ସହିତ ଝାଡଖଣ୍ଡର ରାଜ୍ୟପାଳ ପଦବୀରେ ବି ଅଧିଷ୍ଠିତ ହୋଇଥିଲେ । ଶେଷରେ ବିଜେପି ନେୃତ୍ୱତାଧିନ କେନ୍ଦ୍ରର ଏନ୍‍ଡିଏ ସରକାର ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଥିଲା ।

ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ ପ୍ରଥମ ଆଞ୍ଚଳିକ ଦଳ ଭାବେ ଏନ୍‍ଡିଏ ବାହାରେ ଥିବା ବିଜେଡି ତାଙ୍କୁ ସମର୍ଥନ ଜଣାଇବା ସହିତ ତାଙ୍କ ପାଇଁ ଭୋଟ ଯୋଗାଡରେ ଲାଗି ପଡିଥିଲା । ଏହାର ଫଳ ସ୍ୱରୂପ ଓଡିଶାରୁ ଗୋଟିଏ କଂଗ୍ରେସ ବିଧାୟକ ଭୋଟ ବି ତାଙ୍କ ସପକ୍ଷରେ ପଡିଥିଲା ।

ପୂର୍ବାନୁମାନ ଅନୁଯାୟୀ ଆଜି ଭୋଟ ଗଣତିର ତୃତୀୟ ରାଉଣ୍ଡରେ ଦ୍ରୌପଦୀ ବିଜୟୀ ହୋଇଛନ୍ତି । ଏହି ବିଜୟ ପରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଶୁଭେଚ୍ଛା ଜଣାଇଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ଦ୍ରୌପଦୀଙ୍କୁ ତାଙ୍କ ବାସସ୍ଥାନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ଏଣେ ଦ୍ରୌପଦୀଙ୍କ ବିଜୟଙ୍କୁ ନେଇ ଓଡିଶା ଉତ୍ସବ ମୁଖର ହୋଇଛି । ରାଇରଙ୍ଗପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠାରେ ବିଜେପି ଓ ବିଜେଡି କର୍ମୀଙ୍କ ସମେତ ସାଧାରଣ ଲୋକେ ନାଚଗୀତ ଓ ଭୋଜିଭାତରେ ମାତିଛନ୍ତି । ତାଙ୍କ ଗାଁଲୋକେ ରାଷ୍ଟ୍ରପତିଙ୍କ ଆଗମନକୁ ଅପେକ୍ଷା କରିଥିବାବେଳେ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ।