Home News in Odia ରାବିସ୍ ଟିକା ଦେବାକୁ ତ୍ରିପାକ୍ଷିକ ଚୁକ୍ତି

ରାବିସ୍ ଟିକା ଦେବାକୁ ତ୍ରିପାକ୍ଷିକ ଚୁକ୍ତି

ଭୁବନେଶ୍ୱର : :ଭୁବନେଶ୍ୱର ସହରରେ ଥିବା ପ୍ରାୟ ୪୭ ହଜାର ବୁଲା କୁକୁରଙ୍କ ମଧ୍ୟରୁ ଅଧିକାଂଶଙ୍କୁ ରାବିସ୍ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଯଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇପାରିବ । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି), ମିଶନ ରାବିସ୍-ଓ୍ୱାର୍ଲ୍ଡ ଓ୍ୱାଇଡ୍ ଭେଟେନାରୀ ସର୍ଭିସ୍ ଏବଂ କଲେଜ ଅଫ ଭେଟେନାରୀ ସାଇନ୍ସ ଆଣ୍ଡ ଆନିମଲ ହସବ୍ୟାଣ୍ଡର୍ରୀ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତ ସ୍ୱାକ୍ଷରିତ ହୋଇଯାଇଛି ।

 ସହରକୁ ଜଳାତଙ୍କ ରୋଗ ମୁକ୍ତ କରିବା ପାଇଁ ବିଏମ୍ ସି ସହ ଚୁକ୍ତି ସ୍ୱାକ୍ଷରିତ କରିଥିବା ଏହି ଦୁଇଟି ସଂସ୍ଥା ରାବିସ୍ ଟିକା ଦେବା ପାଇଁ,  ଯୋଜନା ପ୍ରଣୟନ, କାର୍ଯ୍ୟକାରୀ, ବୈଷୟିକ ପରାମର୍ଶ ସହାୟତା, ବୈଜ୍ଞାନିକ ସହାୟତା, ଦକ୍ଷତା ବିକାଶ ଆଦି କାର୍ଯ୍ୟ କରିବେ । ଦାୟିତ୍ୱ ସଂପନ୍ନ  ଭାବେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଏବଂ ବିଜ୍ଞାନ ସମ୍ମତ ଭାବେ ବୁଲା କୁକୁରଙ୍କୁ ଜଳାତଙ୍କ ପ୍ରତିଷେଧକ ଟିକା ଦାନ, ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟ କରିବେ ।

ଭୁବନେଶ୍ୱରକୁ ଜଳାତଙ୍କ ରୋଗ ମୁକ୍ତ କରିବା ପାଇଁ ତଥ୍ୟ ଭିତ୍ତିକ ଏବଂ ଯୋଜନାବଦ୍ଧ ଭାବେ ବୁଲା କୁକୁରଙ୍କର ଗଣ ଟିକାଦାନ ଯୋଜନା ଓ ତଦାରଖ କରାଯିବ । ତାଲିମ, ପରିଚାଳନା ମାନକ ଏବଂ କ୍ଷେତ୍ର ପର୍ଯ୍ୟବେକ୍ଷଣ ଜରିଆରେ ବିଏମ୍ ସିର ଦକ୍ଷତା ବୃଦ୍ଧି କରିବେ। ଜଳାତଙ୍କ ପ୍ରତିଷେଧକ ସଂପର୍କରେ ଶିକ୍ଷା, ଯୋଗଯୋଗ ଓ ଜନ ସଚେତନତା ସୃଷ୍ଟି କରିବେ । ତଥ୍ୟ ଭିତ୍ତିକ ଉଭୟ ପ୍ରାଣୀ ଓ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଏହି ଚୁକ୍ତିରେ କୁହାଯାଇଛି ।

ମିଶନ ରାବିସ୍ (ଇଣ୍ଡିଆ), ସର୍ଭେଲାନ୍ସ, ତାଲିମ, ମୋବାଇଲ୍ ଆପ୍ ଡେଭଲପମେଣ୍ଟ, ଲଜିଷ୍ଟିକ୍ ଆଦି କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇଦେବ । ସେହିପରି ଓୟୁଏଟି ଭେଟେନାରୀ ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ଚୁକ୍ତିନାମା କୌଣସି ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବାକୁ ନୁହେଁ କିମ୍ବା କୌଣସି ଅର୍ଥ ଦେଣନେଣ ହେବ ନାହିଁ । ଏହାର ମୂଳ ଲକ୍ଷ୍ୟ ହେଉଛି ବିଏମ୍ ସି ଅଂଚଳକୁ ଜଳାତଙ୍କ ରୋଗ ମୁକ୍ତ କରିବା ।

ବିଏମ୍ ସି ପକ୍ଷରୁ କମିଶନର ଶ୍ରୀ ଚଞ୍ଚଳ ରାଣା, ମିଶନ ରାବିସ୍ ପକ୍ଷରୁ ଡକ୍ଟର ମିହିର ମଜଗାଓଁକର ଏବଂ କଲେଜ ଭେଟେନାରୀ ସାଇନ୍ସ ଆଣ୍ଡ ଆନିମାଲ ହଜବ୍ୟାଣ୍ଡରୀ  ଓୟୁଏଟି ପକ୍ଷରୁ ଡିନ ଡକ୍ଟର ସୁଶେନ ପଣ୍ଡା ଏହି ଚୁକ୍ତିପତ୍ରରେ ସ୍ୱାକ୍ଷରିତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, ବିଏମ୍ ସିର ବରିଷ୍ଠ ଅଧିକାରୀ ଓ ସଂପୃକ୍ତ ସଂସ୍ଥାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।