Home News in Odia ରାଜ ପରିବାରକୁ ମିଳିଛି ୧୦ ଆସନ

ରାଜ ପରିବାରକୁ ମିଳିଛି ୧୦ ଆସନ

ଭୁବନେଶ୍ୱର : କ୍ଷମତା ରାଜନୀତି ପାଇଁ ଚାଲୁଥିବା ନିର୍ବାଚନ ଲଢେଇରେ ଓଡ଼ିଶାରେ ଏବେ ରାଜାରାଜୁଡାମାନଙ୍କ ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ପ୍ରାକ୍‍ ସ୍ୱାଧୀନତା କାଳରେ ହୋଇଥିବା ଦୁଇଟି ବିଧାନସଭା ନିର୍ବାଚନ ଏବଂ ସ୍ୱାଧୀନତା ପ୍ରାପ୍ତି ପରେ ୭୦ଦଶକ ପର୍ଯ୍ୟନ୍ତ ବିଭିନ୍ନ ଦଳରେ ରାଜା ରାଜୁଡାମାନଙ୍କ ଦବ୍‍ଦବା ଦେଖିବାକୁ ମିଳୁଥିବାବେଳେ ଏବେ କିନ୍ତୁ ତାହା ନିଷ୍ପଭ୍ର ଜଣାଯାଉଛି । ବିଭିନ୍ନ ଦଳ ପକ୍ଷରୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଥର ଯେଉଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଉଛି ସେଥି ଭିତରେ ପୂର୍ବତନ ରାଜ ପରିବାରର ମାତ୍ର ୧୦ଜଣଙ୍କ ନାମ ଦେଖାଯାଉଛି ।

ଓଡ଼ିଶା ପାଇଁ କଂଗ୍ରେସ, ବିଜେପି ଓ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ରାଜ ପରିବାରଗୁଡିକର ୬ଜଣ ମହିଳା ଓ ୪ଜଣ ପୁରୁଷଙ୍କ ନାମ ସ୍ଥାନୀତ ହୋଇଛି । ବିଜୁ ଜନତା ଦଳ ରାଜପରିବାର ଗୁଡିକରୁ ସର୍ବାଧିକ ୫ଜଣ ପ୍ରାର୍ଥୀ କେବଳ ବିଧାନସଭା ପାଇଁ ଘୋଷଣା କରିଥିବାବେଳେ ବିଜେପି ଲୋକସଭା ପାଇଁ ୨ଜଣ ଓ ବିଧାନସଭା ପାଇଁ ୨ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । କଂଗ୍ରେସ କେବଳ ଗୋଟିଏ ଆସନ ରାଜ ପରିବାରକୁ ଛାଡିଛି ।

ବଲାଙ୍ଗୀର ରାଜ ପରିବାରରୁ ସର୍ବାଧିକ ୩ଜଣ ସଦସ୍ୟ ଟିକେଟ ପାଇଛନ୍ତି । ପାଟଣାଗଡ଼ ବିଧାନସଭା ଆସନରୁ ପୁଣିଥରେ କନକବର୍ଦ୍ଧନ ସିଂହଦେଓ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ପତ୍ନୀ ସଙ୍ଗୀତା କୁମାରୀ ସିଂହଦେଓ ବଲାଙ୍ଗୀର ଲୋକସଭା ଆସନରୁ ପୁଣି ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି । ଏବେ ସଙ୍ଗୀତା ବଲାଙ୍ଗୀରର ସାଂସଦ ଥିବାବେଳେ କନକ ବର୍ଦ୍ଧନ କିନ୍ତୁ ଗତ ନିର୍ବାଚନରେ ତାଙ୍କ ପାରମ୍ପରିକ କ୍ଷେତ୍ର ପାଟଣାଗଡ଼ରୁ ହାରି ଯାଇଥିଲେ । ବଲାଙ୍ଗୀର ରାଜ ପରିବାରର ଅନ୍ୟତମ ଦାୟଦ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଏଥର ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏହି ରାଜ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ବାରମ୍ବାର ନିର୍ବାଚନ ଜିଣି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତାଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଣ୍ଡନ କରିଥିଲେ । ପୂର୍ବରୁ ଏହି ପରିବାରର ରାଜରାଜ ସିଂହଦେଓ ଓ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ନିର୍ବାଚନୀ ରାଜନୀତିରେ ବହୁ ବାର ବିଜୟ ତିଳକ ପିନ୍ଧିଥିଲେ । କଳାହାଣ୍ଡି ରାଜପରିବାରର ମାଳବିକା କେଶଣୀ ଦେଓ ଏଥର ବିଜେପି ପ୍ରାର୍ଥୀଭାବେ ସେଠାରୁ ଲୋକସଭା ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ଏହି ରାଜ ପରିବାରର ପ୍ରତାପ କେଶରୀ ଦେଓ, ବିକ୍ରମ କେଶରୀ ଦେଓ, ଅର୍କ କେଶରୀ ଦେଓ ପ୍ରମୁଖ ବିଭିନ୍ନ ଦଳରୁ ନିର୍ବାଚନ ଜିଣିଥିଲେ । ପୂର୍ବରୁ କନ୍ଧମାଳ ଲୋକସଭା କ୍ଷେତ୍ରରୁ ଉପନିର୍ବାଚନ ଜିଣିଥିବା ନୟାଗଡ଼ ରାଜ ପରିବାରର ପ୍ରତ୍ୟୁଷା ରାଜେଶ୍ୱରୀ ଏଥର ବିଜେପି ଟିକେଟରେ ନୟାଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି ।

ଚିକିଟି ରାଣୀ ଉଷାଦେବୀ ଏଥର ନିର୍ବାଚନ ନଲଢି ତାଙ୍କ ସ୍ଥାନରେ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୁପ ଦେବଙ୍କୁ ବିଜେଡି ପ୍ରାର୍ଥୀ କରାଇବାରେ ସଫଳ ହୋଇଛନ୍ତ । ସେହିଭଳି ଧରାକୋଟ ରାଜ ପରିବାରର ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଏଥର ସାନଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅଛନ୍ତି । ସୁଲକ୍ଷଣାଙ୍କ ବାପା-ମା’, ଜେଜେ ମା’, ଜେଜେ ବାପା ଆଦି ବହୁବାର ବିଧାନସଭା ଓ ଲୋକସଭାର ସଦସ୍ୟ ରହି ଆସିଥିଲେ । ଆଳି ରାଜ ପରିବାରରୁ ମନ୍ତ୍ରୀ ପ୍ରତାପ ଦେବ ଏଥର ବିଜେଡି ଟିକେଟରେ ତାଙ୍କ ପାରମ୍ପରିକ ଆସନ ଆଳିରୁ ପ୍ରାର୍ଥୀ ହେଉଛନ୍ତି ପୂର୍ବରୁ ପ୍ରତାପଙ୍କ ମା’, ବାପା ଆଦି ଲୋକସଭା ଓ ବିଧାନସଭା ନିର୍ବାଚନ ଜିଣି ବିଭିନ୍ନ ପଦପଦବୀରେ ରହିଥିଲେ ।

ଦେବଗଡ଼ ରାଜପରିବାରରୁ ଅରୁନ୍ଧତୀ ଦେବୀ ଏବେ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢୁଛନ୍ତି । ତାଙ୍କ ସ୍ୱାମୀ ନୀତେଶ ଗଙ୍ଗଦେବ ଏବେ ସମ୍ବଳପୁରର ବିଜେପି ସାଂସଦ ଅଛନ୍ତି । ପୂର୍ବରୁ ତାଙ୍କ ଶ୍ୱଶୁର ପ୍ରଦୀପ୍ତ କୁମାର ଗଙ୍ଗଦେବ ମଧ୍ୟ ବହୁବାର ଦେବଗଡ଼ର ବିଧାୟକ ଥିଲେ ।

ଢେଙ୍କାନାଳ ବିଧାନସଭା ଆସନରୁ ଏଥର କଂଗ୍ରେସ ପ୍ରାର୍ଥୀ ଘୋଷିତ ହୋଇଛନ୍ତି ଢେଙ୍କାନାଳ ରାଜପରିବାରର ସସ୍ମିତା ସିଂହଦେଓ । ପୂର୍ବରୁ ଏହି ରାଜ ପରିବାରର ଅନ୍ୟତମ ସଦସ୍ୟ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ ଢେଙ୍କାନାଳ ସାଂସଦ ସହିତ କେନ୍ଦ୍ରମନ୍ତ୍ରୀ ଥିଲେ । ଏହି ରାଜ ପରିବାରର ଶଙ୍କର ପ୍ରତାପ ସିଂହଦେଓ ଓ ରାଣୀ ରତ୍ନପ୍ରଭା ଦେବୀ ପୂର୍ବରୁ ମଧ୍ୟ ନିର୍ବାଚନ ଜିଣିଥିଲେ । ସ୍ୱାଧୀନତା ପୂର୍ବରୁ ପାରଳା ଗଜପତିଙ୍କ ନେତୃତ୍ୱାଧୀନ ଦଳରୁ ବହୁ ରାଜା ମହାରାଜା ଜିଣିବା ସହ ଓଡ଼ିଶା ଶାସନ ଅକ୍ତିଆରରେ ରଖିଥିଲେ । ପରବର୍ତ୍ତୀ ସମୟରେ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ଦଳରେ ରାଜରାଜୁଡ଼ାଙ୍କ ପତିଆରା ଥିଲା । କଂଗ୍ରେସ, ଜନତା ଓ ଅନ୍ୟ ଦଳମାନଙ୍କରେ ପୂର୍ବରୁ ରାଜ ପରିବାରର ଯେତେ ପ୍ରାର୍ଥୀ ହେଉଥିଲେ ଏବେ ଅବଶ୍ୟ ସେହି ସଂଖ୍ୟା ଢେର୍‍ କମିଛି । (ତଥ୍ୟ)