Home Banking ରାଜ୍ୟ ସମବାୟ ବ୍ୟାଙ୍କ୍‍ର ଲାଭ ବଢୁଛି

ରାଜ୍ୟ ସମବାୟ ବ୍ୟାଙ୍କ୍‍ର ଲାଭ ବଢୁଛି

ଭୁବନେଶ୍ୱର : ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ର ଲାଭ ୨୨୯ କୋଟି ଟଙ୍କାକୁ ଟପିଯାଇଛି । ଗୋଟିଏ ବର୍ଷରେ ବ୍ୟାଙ୍କ୍‍ ୮୬ କୋଟି ଟଙ୍କା ଲାଭ କରିଛି ।

ରାଜ୍ୟରେ କୃଷି ଋଣର ଅଗ୍ରଗତି ସଂକ୍ରାନ୍ତରେ ନାବାର୍ଡ ପକ୍ଷରୁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ର ପରିଚାଳନା ମଣ୍ଡଳୀ ଏବଂ ସମସ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍ର ସଭାପତିମାନଙ୍କ ସହିତ ଆଲୋଚନା ହୋଇଥିଲା । ଏଥିରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ର ଲାଭ ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କ୍‍ ମୋଟ୍‍ ୧୪୩ କୋଟି ୧୩ଲକ୍ଷ ୧୮ ହଜାର ଟଙ୍କା ଲାଭ କରିଥିବାବେଳେ ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ଏହା ୨୨୯ କୋଟି ଟଙ୍କାକୁ ଟପିଯାଇଛି ।

ଏଥି ସହିତ ବ୍ୟାଙ୍କ୍‍ର ଅନାଦେୟ ଋଣ ପରିମାଣ (ଏନ୍‍ପିଏ) ହ୍ରାସ ପାଇଛି । ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ୍‍ ଏନ୍‍ପିଏ ୧.୧ ପ୍ରତିଶତ ଥିବାବେଳେ ଚଳିତବର୍ଷ ତାହା ୧.୦୨କୁ ହ୍ରାସ ପାଇଛି । ତେବେ ଏହି ସମୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଓ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଭଳି ସଂସ୍ଥା କ୍ଷତି ସହିଥିବାବେଳେ ନୟାଗଡ, ଅନୁଗୁଳ, ବ୍ରହ୍ମପୁର, ଭବାନୀପାଟଣା, ବଲାଙ୍ଗିର, ବୌଦ, ଖୋରଧା, କୋରାପୁଟ, ସମ୍ବଲପୁର, ପୁରୀ-ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ଗୁଡିକ ଲାଭ କରିଛନ୍ତି ।

ସେହିଭଳି ମିଳିଥିବା ସୂଚନା ଅନୁଯାୟୀ କୃଷି ଋଣ ଦେବା କ୍ଷେତ୍ରରେ ଅଧିକାଂଶ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ଗୁଡିକ ଶତ ପ୍ରତିଶତରୁ ଅଧିକ ସଫଳତା ହାସଲ କରିଛନ୍ତି । ଏହା ମଧ୍ୟରେ ଆସ୍କା, ବ୍ରହ୍ମପୁର, ଭବାନୀପାଟଣା, ବାଲାଙ୍ଗିର, କଟକ, ଖୋରଧା, ମୟୁରଭଞ୍ଜ ଓ ସୁନ୍ଦରଗଡ ଆଦି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ଗୁଡିକ ରହିଛନ୍ତି ।

ଅନ୍ୟ ପକ୍ଷରେ ଚାଷୀମାନଙ୍କୁ ଦିଆଯାଉଥିବା ଋଣ ସେମାନଙ୍କ ଚାଷ ଆବଶ୍ୟକତାକୁ କେତେଦୂର ପୂରଣ କରୁଛି ସେ ସଂକ୍ରାନ୍ତରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ଧାନ, ଡାଲି ଜାତୀୟ, ଚୀନାବାଦାମ, ମକା ଏବଂ ପନିପରିବା ଆଦି ଚାଷ ପାଇଁ ସମବାୟ ବ୍ୟାଙ୍କ୍‍ଗୁଡିକ ଯେତିକି ପରିମାଣର ଋଣ ଯୋଗାଉଛନ୍ତି ତାହା ଚାଷୀଙ୍କର ଆବଶ୍ୟକତା ପୂରଣରେ ସହାୟକ ହେଉନାହିଁ । ଏହିସବୁ ଫସଲ ଚାଷ ପାଇଁ ଆବଶ୍ୟକ ଅର୍ଥ ଓ ଦିଆଯାଉଥିବା ଋଣ ମଧ୍ୟରେ ୨୬ହଜାର ଟଙ୍କାରୁ ଅଧିକ ପାର୍ଥକ୍ୟ ରହୁଛି । ପୂର୍ବରୁ ୫୦ହଜାର ଟଙ୍କାର ସମବାୟ ଋଣ ବିନା ସୁଧରେ ପ୍ରଦାନ କରାଯାଉଥିବାରୁ ସମବାୟ ବ୍ୟାଙ୍କ୍‍ଗୁଡିକ ସେତିକି ପରିମାଣର ଋଣ ବିନା ବାଧାରେ ଦେଉଥିଲେ । ହେଲେ ଏହିସବୁ ଫସଲ ଚାଷ ଲାଗି ଏକର ପିଛା ପ୍ରାୟ ୭୦ ହଜାର ଟଙ୍କାରୁ ଅଧିକ ଆବଶ୍ୟକ ହେଉଥିଲା । ତେଣୁ ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଅଧିକ ଋଣ ଦେବାକୁ ବ୍ୟାଙ୍କ୍‍ଗୁଡିକୁ କୁହାଯାଇଥିଲା । ହେଲେ ବର୍ତ୍ତମାନ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଉପରେ ସୁଧ ଛାଡ ହୋଇଥିବାରୁ ଚାଷୀଙ୍କର ଏହି ଅର୍ଥ ଅଭାବ ସମସ୍ୟା ସମାଧାନ ହୋଇଯିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । (ତଥ୍ୟ)