Home Cooperation ରାଜ୍ୟ ସମବାୟ ବ୍ୟବସ୍ଥା ୟୁରୋପରେ ପ୍ରଶଂସିତ

ରାଜ୍ୟ ସମବାୟ ବ୍ୟବସ୍ଥା ୟୁରୋପରେ ପ୍ରଶଂସିତ

ବେଲଜିୟମ୍ : ଓଡିଶାର ସମବାୟ ବ୍ୟବସ୍ଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବଳିଷ୍ଠ ଓ ଋଦ୍ଧିମନ୍ତ କରିଛି । ରାଜ୍ୟର ସଫଳ ସମବାୟ ବ୍ୟବସ୍ଥା ଆନ୍ତର୍ଜାତୀୟ ଫୋରମ୍ ରେ ଅନ୍ୟ ଦେଶମାନଙ୍କ ଦ୍ବାରା ପ୍ରଶଂସିତ ହୋଇଛି ।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ୮ ଦିନିଆ ବେଲଜିୟମ ଗସ୍ତରେ ଯାଇ ଲିୟୁଭେନ୍ ଠାରେ ଯୁଗ୍ମ ଆଇ.ସି.ଏ-ସି.ସି.ଆର୍ ଗ୍ଲୋବାଲ ଓ ୟୁରୋପିଆନ୍ ସମବାୟ ଗବେଷଣା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ନାୟକ ସମବାୟ କ୍ଷେତ୍ରରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ ବୋଲି କହିଛନ୍ତି । ରାଜ୍ୟର ସର୍ବାଙ୍ଗିନ ବିକାଶ ପାଇଁ ସମବାୟ ହେଉଛି ସବୁଠାରୁ ପ୍ରଭାବି ମାଧ୍ୟମ । ବିଶେଷ କରି ଆର୍ଥିକ ଦୁର୍ବଳ ଶ୍ରେଣୀ , ଅବହେଳିତ ଓ ବଞ୍ଚିତ ବର୍ଗର ଲୋକମାନଙ୍କ ଉନ୍ନତି ପାଇଁ ଏହା ବିଶେଷ ଫଳପ୍ରଦ ।

ରାଜ୍ୟରେ ଥିବା ପାକ୍ସ ଓ ଲ୍ୟାମ୍ପ୍ସ ଚାଷୀମାନଙ୍କ କୃଷି ଉତ୍ପ।ଦକୁ ମର୍କେଟିଂ ସୁବିଧା ଦେବା ଯୋଗାଇ ଦେବା ପାଇଁ ଅଭିପ୍ରେତ । କେନ୍ଦ୍ର ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରି ଥାଆନ୍ତି । ରାଜ୍ୟ ସରକାରଙ୍କ ପ୍ରଇସ୍ ସପୋର୍ଟ ଯୋଜନା ମାଧ୍ୟମରେ ସେମାନେ ଧାନ ବିକ୍ରୟରେ ସହାୟତା ଯୋଗାଇ ଦେଇଥାନ୍ତି । ଡାଲି ଜାତୀୟ ଫସଲ ଓ ତୈଳବୀଜ ଆଦି କୃଷି ଉତ୍ପାଦ ଗୁଡିକ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରୟ ହୋଇ ପାରୁଛି ।

ଖାଦ୍ୟ ଶସ୍ୟ କ୍ଷେତ୍ରରେ ଆଜି ଓଡିଶା ଦେଶର ଏକ ବଳକା ରାଜ୍ୟ ଓ ଅନ୍ୟ ରାଜ୍ୟ ଗୁଡିକୁ ଏହା ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ସକ୍ଷମ । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରୟାସକୁ  ପ୍ରଶଂସା କରାଯାଇଛି । ଖାଦ୍ୟ ସଂଗ୍ରହ ଓ ଖାଦ୍ୟ ସୁରକ୍ଷା ପ୍ରଣାଳୀ କ୍ଷେତ୍ରରେ ସମବାୟର ସଦ୍ଉପଯୋଗ ଆମ ରାଜ୍ୟର ଏକ ଅନନ୍ୟ ବ୍ୟବସ୍ଥା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ।

ଓଡିଶାର ସମବାୟ ଆନ୍ଦୋଳନ ୟୁ.କେ ଏବଂ ଅନ୍ୟ ୟୁରୋପିୟ ଦେଶର ସମବାୟ ଆନ୍ଦୋଳନ ଦ୍ବାରା ପ୍ରଭାବିତ । କୁଳବୃଦ୍ଧ ମଧୁସୂଦନ ଦାସ ୧୮୯୮ ମସିହାରେ ରାଜ୍ୟର ପ୍ରଥମ ସମବାୟ ସଂସ୍ଥା ପ୍ରତିଷ୍ଠା କରିଥିଲେ । ରୋଚଡେଲ ଭ୍ରାତୃବର୍ଗଙ୍କ ସମବାୟ ସଂସ୍ଥାକୁ ପରିଦର୍ଶନ କଲାପରେ ସେ ଅନୁପ୍ରେରିତ ହୋଇ ଓଡିଶାରେ ସମବାୟ ସଂସ୍ଥା ଆରମ୍ଭ କରିଥିଲେ ।

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ ସମବାୟ ସଂସ୍ଥା ଗୁଡିକ କୃଷି ଭିତିକ ଓ ଅନ୍ୟ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବା ଦିଗରେ ନିର୍ଣ୍ଣାୟକ ଭୁମୁକା ଗ୍ରହଣ କରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ରାଜ୍ୟର ସମବାୟ ମାଧ୍ୟମରେ ସମୃଦ୍ଧି ହାସଲ ଓ ଉତ୍ତମ ପ୍ରଶାସନ ନିମନ୍ତେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । କମ୍ପ୍ୟୁଟରାଇଜେସନ , ଡିଜିଟାଇଜେସନ୍ , ସମବାୟ ଋଣ ବ୍ୟବସ୍ଥା ,ପାକ୍ସ୍ ଗୁଡିକୁ ଏକକ ବିପଣୀ , ନୂଚନ ପାକ୍ସ ଓ ଲାମ୍ପସ୍ ସୃଷ୍ଟି , କୃଷି ଉତ୍ପାଦ ସଂଗ୍ରହ , ସମବାୟ ସହାୟ ବ୍ୟବସ୍ଥା , ଦକ୍ଷତା ବୃଦ୍ଧି ଓ ସ୍ବତନ୍ତ୍ର ସମବାୟ ନିତୀ ପ୍ରଣୟନ ଆଦି ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସଂପର୍କରେ ଅବଗତ କରାଇଥିଲେ ।

ସୂଚନା ଯୋଗ୍ୟ କି ଚଳିତ ଜୁଲାଇ ୧୦ ତାରିଖରୁ ୧୩ ତାରିଖ ପର‌୍ୟ୍ୟନ୍ତ ଏହି ସମ୍ମିଳନୀ ବେଲଜିୟମର ଲିୟୁଭେନ୍ ଠାରେ ଅନୁଷ୍ଠିତ ହେଉଛି । ଏହା ଲିୟୁଭେନ୍ ସେଣ୍ଟର ଅଫ୍ ଏକ୍ସପର୍ଟାଇଜ ଫର୍ କୋପରେଟିଭ ଏଣ୍ଟ୍ରୋପ୍ରିନିୟରସିପ୍ ଦ୍ବାର ଆୟୋଜିତ ହୋଇଛି । ଗବେଷକ , ସମବାୟି , ପ୍ରଫେସର , ୟୁରୋପିଆନ ୟୁନିୟନର ନିତୀ ନର୍ଦ୍ଧାରକମାନେ ଏହି ସମ୍ମିଳନୀରେ ସମବାୟ ପ୍ରଶାସନ ଉପରେ ଗବେଷଣାତ୍ମକ ବ୍ୟାପକ ବିଚାର ବିମର୍ଶ କରିବେ ।

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଟି ପ୍ରସାଦ ରାଓ ଦୋରା ଏବଂ ପରିଚାଳନା ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀ ମଧ୍ୟ ଏହି ସମ୍ମଳନୀରେ ଯୋଗ ଦେଇଛନ୍ତି ।