ଭୁବନେଶ୍ୱର : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ରାଜଧାନୀରେ ଥିବା ରାଜ୍ୟ ସଂଗ୍ରହାଳୟରେ ସ୍ୱତନ୍ତ୍ର ଗାନ୍ଧୀ ଓଡିଶା ଗ୍ୟାଲେରୀ ଖୋଲିବାକୁ ଯାଉଛି । ଫଟୋଚିତ୍ର ସହ ମୂର୍ତ୍ତି ଏବଂ ଗାନ୍ଧୀଜୀଙ୍କ ଓଡିଶା ଗସ୍ତର ବିଭିନ୍ନ ନକ୍ସା ଏଥିରେ ସ୍ଥାନ ପାଇବ ।
ଏହି ଗ୍ୟାଲେରୀକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ କରାଯିବ । ଫଳରେ ଏଠାରେ ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥା ସହିତ ପରିଦର୍ଶକମାନେ ନିଆରା ଅନୁଭୂତି ପାଇବେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଜ୍ୟ ସଂଗ୍ରହାଳୟ କର୍ତ୍ତୃପକ୍ଷ ଏବଂ ଇନ୍ଟାକ ଏହି ଗ୍ୟାଲେରୀ ନିର୍ମାଣକୁ ଚୂଡାନ୍ତ ରୂପ ଦେବାଲାଗି ପ୍ରୟାସ ଜାରି ରଖିଛନ୍ତି । ଏଠାରେ ପ୍ରଦର୍ଶିତ ହେବାକୁ ଥିବା ତଥ୍ୟ ସବୁ ଯେଭଳି ପ୍ରମାଣଭିତ୍ତିକ ଓ ନିର୍ଭୁଲ ହୁଏ ତାହାକୁ ଆଖିଆଗରେ ରଖି କର୍ତ୍ତୃପକ୍ଷ ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଏବଂ ଏହି କମିଟିର ଏକାଧିକ ବୈଠକ ଅନୁଷ୍ଠିତ ହେବାପରେ ଏବେ ଗ୍ୟାଲେରୀ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସଂସ୍କୃତି ବିଭାଗର ଏହି ଅନବଦ୍ୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପଣ କରିବାଲାଗି ପ୍ରସ୍ତାବ ରହିଛି । ଗ୍ୟାଲେରୀ କାମ ସମ୍ପୂର୍ଣ୍ଣ ହେବାପରେ ଲୋକାର୍ପଣ ତାରିଖ ସ୍ଥିର କରାଯିବ । ତେବେ ଚଳିତମାସ ଶେଷ ସୁଦ୍ଧା ଗାନ୍ଧୀ ଓଡିଶା ଗ୍ୟାଲେରୀ ଦର୍ଶକଙ୍କ ପାଇଁ ଖୋଲାଯାଇ ପାରେ ବୋଲି ସୂଚନା ମିଳୁଛି ।
ପୂର୍ବରୁ ସଂସ୍କୃତି ବିଭାଗ ସଂଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଥିଲା ଏବଂ ଏହି କମିଟି ଅଧିନରେ ଆଉ କେତେଗୁଡିଏ ଉପସମିତି ମଧ୍ୟ ଥିଲା । ଦେଶର ବିଭିନ୍ନ ରାଜ୍ୟମାନଙ୍କ ମଧ୍ୟରେ ଗାନ୍ଧୀ-୧୫୦ କାର୍ଯ୍ୟକ୍ରମ ଓଡିଶାରେ ସବୁଠାରୁ ଭଲ ଭାବେ ପ୍ରତିପାଳିତ ହୋଇଥିଲା । ଏହି ଅବସରରେ ଅନ୍ୟୁନ ୧୦ଟି ଗବେଷଣାତ୍ମକ ପୁସ୍ତକ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀ ଓ ଅନ୍ୟ ସଂସ୍ଥା ସହାୟତାରେ ପ୍ରକାଶ କରାଯାଇଥିଲା ।
ଗାନ୍ଧୀଜୀଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଅବସରରେ କଟକର କାଠଯୋଡି ନଦୀ ଶଯ୍ୟାରେ ଗାନ୍ଧୀଜୀଙ୍କ କଟକ କାର୍ଯ୍ୟକ୍ରମର ବ୍ରୋଞ୍ଚ ଫଳକ ଉନ୍ମୋଚନ କରାଯାଇଥିଲା । ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ଜାତୀୟ ସ୍ତରରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ଏବଂ ସେଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟତମ ସଦସ୍ୟ ରହିଛନ୍ତି ।
ଖୁବଶୀଘ୍ର ଓଡିଶାରେ ଅମୃତ ମହୋତ୍ସବ ପ୍ରତିପାଳନ ପାଇଁ ରାଜ୍ୟସ୍ତରୀୟ କମିଟି ଗଢାଯାଇପାରେ ଏବଂ ଏହି କମିଟି ମାଧ୍ୟମରେ ରାଜ୍ୟର ସବୁ ବ୍ଲକ ଓ ପୌରସଂସ୍ଥାରେ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହେବ । ସ୍ୱାଧୀନତା ସଂଗ୍ରାମର ଯେତେସବୁ ଐତିହସ୍ଥଳୀ ରାଜ୍ୟରେ ରହିଛି ସେହି ସ୍ଥାନଗୁଡିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ କରିବାପାଇଁ ଯୋଜନା ଥିବା ବରିଷ୍ଠ ଅଧିକାରୀମାନେ କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅମୃତ ମହୋତ୍ସବ ପ୍ରତିପାଳନର ବିସ୍ତୃତ କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି ଜଣାପଡିଛି । (ତଥ୍ୟ)