Home Administration ରାଜ୍ୟ ଯୋଜନା ବୋର୍ଡ ଅଚଳ

ରାଜ୍ୟ ଯୋଜନା ବୋର୍ଡ ଅଚଳ

ଭୁବନେଶ୍ୱର : ସତର ବର୍ଷ ଧରି ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇନାହିଁ । ଯୋଜନା ବୋର୍ଡର ଅଧ୍ୟକ୍ଷ ନିଜେ ମୁଖ୍ୟମନ୍ତ୍ରୀ ରହିଆସୁଥିବା ବେଳେ ରାଜନୈତିକ ଥଇଥାନ ପାଇଁ ବରିଷ୍ଠ ରାଜନେତାମାନଙ୍କୁ ଏଠାରେ ଉପାଧ୍ୟକ୍ଷ ଓ ସଦସ୍ୟ ଭାବେ ସରକାର ନିଯୁକ୍ତି କରିଥାନ୍ତି । ତେବେ ଓଡ଼ିଶାରେ ବିଜେପି ସରକାର ଗଠିତ ହେବା ପରେ ଅଧାଖଣ୍ଡିଆ ଅବସ୍ଥାରେ ଥିବା ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ଆଉ ନୂଆ ଯୋଜନା ବୋର୍ଡ ଗଢ଼ାଯାଇ ନାହିଁ ।

ଓଡ଼ିଶାରେ ବିଜେଡି-ବିଜେପିର ମିଳିତ ସରକାର ଚାଲୁଥିବା ବେଳେ ବେଦପ୍ରକାଶ ଅଗ୍ରୱାଲାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରାଯାଇଥିଲା । ତାଙ୍କ ସମୟରେ ଯୋଜନା ବୋର୍ଡର ସର୍ବଶେଷ ବୈଠକ ୨୦୦୭ ଅକ୍ଟୋବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ସୁରେନ୍ଦ୍ର ନାଥ ନାୟକ, ବିଷ୍ଣୁ ଚରଣ ଦାସ, ଏନ୍‍. ଭାସ୍କର ରାଓ, ସଞ୍ଜୟ ଦାସବର୍ମାଙ୍କ ଭଳି ରାଜନେତାମାନଙ୍କୁ ଏହି ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ କ୍ୟାବିନେଟ୍‍ ମନ୍ତ୍ରୀଙ୍କ ପାଇଁ ଥିବା ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯାଉଥିଲା । ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବରେ ଦଳୀୟ ଟିକେଟ୍‍ରୁ ବଞ୍ôଚତ ରାଜନେତାଙ୍କୁ ଥଇଥାନ କରାଯାଉଥିଲା । ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ପୂର୍ବତନ ସାଂସଦଙ୍କୁ କ୍ୟାବିନେଟ୍‍ ପାହ୍ୟା ଦିଆଯାଇ ଏହାର ସଦସ୍ୟ ଭାବେ ମଧ୍ୟ ନିଯୁକ୍ତି ଦିଆଯିବାର ନଜିର ରହିଛି ।

ରାଜ୍ୟର ଆର୍ôଥକ ଅଭିବୃଦ୍ଧି ଓ ଉନ୍ନୟନ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଦୀର୍ଘ ଓ ସ୍ୱଳ୍ପ ମିଆଦି ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଏଥିପାଇଁ ଜିଲ୍ଲା ସ୍ତରରେ ମଧ୍ୟ ଯୋଜନା କମିଟିମାନ ଗଢ଼ା ଯାଇଥାଏ । ମୋଟାମୋଟି ଭାବେ ରାଜ୍ୟରେ ଗଚ୍ଛିତ ସାମଗ୍ରୀ, ପୁଞ୍ଜି ଓ ମାନବ ସମ୍ବଳକୁ ସୁବ୍ୟସ୍ଥିତ ଭାବରେ ନିର୍ଦ୍ଧାରଣ ସହିତ ଏହାର ସର୍ବାଧିକ ବିନିଯୋଗ ପାଇଁ ଯୋଜନା ବୋର୍ଡ କାର୍ଯ୍ୟସୂଚୀ ପ୍ରସ୍ତୁତ ସହିତ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଥାଏ । ଏମିତିକି ରାଜ୍ୟ ବଜେଟ୍‍ ପ୍ରସ୍ତୁତିରେ ବୋର୍ଡର ଭୂମିକା ବି ରହିଥାଏ । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ବୋର୍ଡ ରାଜ୍ୟ ସରକାରଙ୍କୁ ସୁପାରିସ କରିଥାଏ । ତେବେ ଗତ ଜୁଲାଇ ୧୮ ତାରିଖରୁ ଅଚଳ ଯୋଜନା ବୋର୍ଡକୁ ରାଜ୍ୟ ସରକାର ଭାଙ୍ଗି ଦେଇଥିବା ବେଳେ ୪ମାସ ଧରି ଆଉ ନୂଆ ବୋର୍ଡ ଗଢ଼ି ପାରିନାହାନ୍ତି ।

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଓ ସଦସ୍ୟ ହେବା ପାଇଁ ବହୁ ରାଜନୈତିକ ନେତା ଆଶା ବାନ୍ଧି ବସିବା ସହିତ ବିଭିନ୍ନ ମହଲରେ ଲବି କରିକରି ହତାଶ ହୋଇପଡୁଥିଲେ ବି ସେମାନଙ୍କ କଥା ଶୁଣିବାକୁ କେହି ନାହିଁ । ଅନ୍ୟପକ୍ଷରେ ବରିଷ୍ଠ ଅଧିକାରୀମାନେ କହୁଛନ୍ତି, ରାଜ୍ୟ ଯୋଜନା ବୋର୍ଡ ନଥିଲେ ମଧ୍ୟ ଯୋଜନା ଓ ସଂଯୋଜନ ବିଭାଗ ଯାହା କରିବା କଥା ତାହା କରିଚାଲିଛନ୍ତି । ବସ୍ତୁତଃ ୨୦୦୭ ମସିହାରୁ ଯୋଜନା ବୋର୍ଡ ବୈଠକ ବସୁନଥିବାରୁ ଏହି ବୋର୍ଡର ଅସ୍ତିତ୍ୱ ଉପଲବ୍ଧି କରାଯାଇ ପାରୁନାହିଁ । କେନ୍ଦ୍ର ସରକାର ଯୋଜନା କମିଶନକୁ ଭାଙ୍ଗି ନୀତି ଆୟୋଗ ଗଢ଼ିଛନ୍ତି । ଓଡ଼ିଶାରେ ମଧ୍ୟ ନୀତି ଆୟୋଗ ଢାଞ୍ଚାରେ ଏହି ସଂସ୍ଥାର ପୁନର୍ଗଠନ ହୋଇପାରେ ବୋଲି କୁହାଯାଉଛି । (ତଥ୍ୟ)