Home Energy ରାଜ୍ୟ ମାଗିଲା ୨୮ହଜାର କୋଟି

ରାଜ୍ୟ ମାଗିଲା ୨୮ହଜାର କୋଟି

ଭୁବନେଶ୍ୱର : ଓଡିଶା ଉପକୂଳରେ ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ୍‍ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ଅର୍ଥ ସହାୟତା ଯୋଗାଇ ଦେବାକୁ ରାଜ୍ୟ ପକ୍ଷରୁ କୁହାଯାଇଛି । ଏଥିପାଇଁ ଅତି କମ୍‍ରେ ୨୮,୦୦୦ କୋଟି ଟଙ୍କା ଆବଶ୍ୟକ ଯାହା କି ଗ୍ରାହକମାନଙ୍କ ଠାରୁ ଶୁଳ୍କ ଆକାରରେ ଆଦାୟ କରିବା ସମ୍ଭବପର ନୁହେଁ ।

୪୮୦ କିଲୋମିଟର ଦୈର୍ଘ୍ୟ ଓଡିଶା ଉପକୂଳରେ ଛୋଟ ବଡ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି । ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି ବିଦ୍ୟୁତ୍‍ ଭିତ୍ତିଭୂମି । ୧୯୯୯ ର ମହାବାତ୍ୟା ଠାରୁ ଆରମ୍ଭକରି ଫନି, ତିତିଲ୍‍, ଅମ୍ଫାନ ଭଳି ବାତ୍ୟାରେ ବିଜୁଳି ଭିତ୍ତିଭୂମି କିଭଳି କ୍ଷତିଗ୍ରସ୍ତ ହୋଇଛି ତାହା ଲୋକେ ଅଙ୍ଗେ ନିଭାଇଛନ୍ତି । ଏପରିକି ଛୋଟ ଧରଣର ବାତ୍ୟା କିମ୍ବା ଜୋରରେ ବର୍ଷା ହେଲେ ଉପୁଡି ପଡୁଥିବା ବିଦ୍ୟୁତ୍‍ ଖୁଣ୍ଟ ଓ ତାରକୁ ପୂର୍ବାବସ୍ଥାକୁ ଫେରାଇବା ଲାଗି ମାସ ମାସ ସମୟ ଲାଗିଯାଉଛି । ଏଥିପାଇଁ ବ୍ୟାପକ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । କେବଳ ସେତିକି ନୁହେଁ ବିଜୁଳି ଭିତ୍ତିଭୂମି ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି ।

ତେଣୁ ଉପକୂଳ ଠାରୁ ସ୍ଥଳଭାଗ ଆଡକୁ ୩୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଭୂତଳ କେବୁଲ ଦ୍ୱାରା ବିଜୁଳି ଭିତ୍ତିଭୂମି ଉପରେ ଜୋର ଦିଆଯାଉଛି । ଏହା ବିପର୍ଯ୍ୟୟ ସହଶୀଳ ହୋଇପାରିବ । ମାଟିତଳେ ବିଦ୍ୟୁତ୍‍ ତାର ଥିବାରୁ ବଡ ବଡ ବାତ୍ୟାରେ ବି ଏହା କ୍ଷତିଗ୍ରସ୍ତ ହେବନାହିଁ । ତେବେ ଏହି କାର୍ଯ୍ୟପାଇଁ ପ୍ରାୟ ୨୮,୦୦୦ କୋଟି ଟଙ୍କା ଆବଶ୍ୟକ । ଏତେ ପରିମାଣର ଅର୍ଥ ବିଦ୍ୟୁତ୍‍ ଉପଭୋକ୍ତାଙ୍କ ଠାରୁ ଆଦାୟ କରିବା ସମ୍ଭବପର ନୁହେଁ । ତେଣୁ କେନ୍ଦ୍ର ସରକାର ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ପକ୍ଷରୁ ଦାବି କରାଯାଇଛି ।

ଉଲ୍ଲେଖନୀୟ ଯେ ଓଡିଶା ଉପକୂଳରେ ଘଟିଥିବା ଅମ୍ଫାନ ବାତ୍ୟା ଓ ପରେ ପରେ ଆସିଥିବା ୟାସ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଥିବାବେଳେ ଉପକୂଳ ଅଞ୍ଚଳରେ ବାତ୍ୟା ସହନଶୀଳ ଭିତ୍ତିଭୂମି ପାଇଁ ଅର୍ଥ ଯୋଗାଇଦେବାକୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ରାଜ୍ୟ ସରକାର ପୁଣିଥରେ ଏହି ପ୍ରସଙ୍ଗ ଉଠାଇବାପାଇଁ ୨୮,୦୦୦ କୋଟି ଟଙ୍କାର ସହାୟତା ପାଇଁ ଦାବି କରିଛନ୍ତି ।

ରାଜ୍ୟ ସରକାର ତାଙ୍କର ଅନୁରୋଧରେ କେବଳ ଓଡିଶା ନୁହେଁ ଯେଉଁସବୁ ରାଜ୍ୟଗୁଡିକ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ସେମାନେ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ପାଇଁ ସହୟତା ନିମନ୍ତେ ଅନୁରୋଧ କରାଯାଇଛି । ଏଥିପାଇଁ ଆର୍ନ୍ତଜାତୀୟ ସ୍ତରର ଜ୍ଞାନକୌଶଳ ବିଶେଷକରି ଫ୍ଲୋରିଡା ଓ ଜାପାନକୁ ଜ୍ଞାନକୌଶଳ ଆହରଣ ପାଇଁ କୁହାଯାଇଛି । ଉଲ୍ଲେଖନୀୟ ଆମେରିକାର ଫ୍ଲୋରିଡା ଏବଂ ଜାପାନ ବର୍ଷର ବିଭିନ୍ନ ସମୟରେ ବଡ ବଡ ବାତ୍ୟା ସହିତ ଭୂମିକମ୍ପ ଆଦି ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ସେଠାରେ ବିପର୍ଯ୍ୟୟ ସହନଶୀଳ ବିଜୁଳି ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି । (ତଥ୍ୟ)