ଭୁବନେଶ୍ବର : ଜନଜାତିଙ୍କ ଅନନ୍ୟ ଐତିହ୍ୟ, ଭାଷା, ସଂସ୍କୃତି, ଲେଖନୀ, କାବ୍ୟ କବିତା ଆଦିର ସଂରକ୍ଷଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ସର୍ବଦା ତତ୍ପରତା ଦେଖାଇ ଆସିଛନ୍ତି । ନିକଟରେ ଆୟୋଜିତ ହୋଇଥିବା ଜନଜାତି ଲେଖକ ସମ୍ମିଳନୀରେ ବିଭିନ୍ନ ଲେଖକଙ୍କଠାରୁ ଜନଜାତି ପାଣ୍ଡୁଲିପି ସଂଗ୍ରହ କରାଯାଇଛି, ଯାହାକୁ ଡିଜିଟାଲ୍ ମାଧ୍ୟମରେ ସଂରକ୍ଷିତ କରି ରଖାଯିବ ବୋଲି କହିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ।
ରାଜ୍ୟରେ ଜନଜାତି କବି ମାନଙ୍କୁ ନେଇ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଆୟୋଜନ କରିବା ଏହା ପ୍ରଥମ । ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟକୁ କବିତା ମାଧ୍ୟମରେ ଉପସ୍ଥାପିତ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ସାରକା ସୂଚନା ଦେଇଛନ୍ତି ।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ଠାରେ ଆଜି ରାଜ୍ୟସ୍ତରୀୟ କବି ସମ୍ମିଳନୀର ଉଦଘାଟନ ସମାରୋହ ଆୟୋଜିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କବି ସମ୍ମିଳନୀରେ 48 ଜଣ କବି ମାନଙ୍କୁ ନେଇ ସମ୍ମିଳନୀ ଆୟୋଜନ କରାଯିବ । ଆଜି 24 ଜଣ କବି କବିତା ପାଠ କରିଛନ୍ତି । ସେମାନଙ୍କ ମଧ୍ୟରୁ ବିଂଝାଲ ସମ୍ପ୍ରଦାୟରୁ 2 ଜଣ, କୋୟା ସମ୍ପ୍ରଦାୟରୁ 3 ଜଣ, କୁଇ ସମ୍ପ୍ରଦାୟରୁ 10 ଜଣ, ସଉରା ସମ୍ପ୍ରଦାୟରୁ 3 ଜଣ ଓ ପରଜା, ଲାଞ୍ଜିଆ, ଗୋଣ୍ଡ,କୁଭି, ଗଦବା, ଦେଶିଆ ସମ୍ପ୍ରଦାୟରୁ ଜଣେ ଲେଖାଏଁ କବି କବିତା ପାଠ କରିଥିଲେ । ଜନଜାତିଙ୍କ ସାହିତ୍ୟ ଓ ସଂସ୍କୃତିର ଅବଦାନକୁ ପାଳନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମ୍ମିଳନୀ ଜନଜାତିଙ୍କ ଲିଖିତ ଓ ମୌଖିକ କବିତାକୁ ସଂରକ୍ଷଣ କରିବାରେ ସହାୟକ ହେବା ସହ ସେମାନଙ୍କ ପ୍ରତିଭା ଓ ସୃଜନଶୀଳତା ଲୋକାଭିମୁଖୀ ହୋଇପାରିବ ।
ଏ ଅବସରରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମ (OTELP) ମାଧ୍ୟମରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ୩୦ଟି ପଛୁଆ ବ୍ଲକର ବିକାଶ ଉପରେ ଗୁରୁତ୍ଵ ଦିଆଯାଉଛି ।କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ଶିକ୍ଷାବିତ୍, ସରଗିଫୁଲର ସମ୍ପାଦକ ଶ୍ରୀ ଦାଶ ବେନହୂର ଯୋଗ ଦେଇ କହିଛନ୍ତି, କରୁଣା ନଥିଲେ ସାହିତ୍ୟ ସୃଷ୍ଟି ହୋଇପାରିବ ନାହିଁ । ପ୍ରତ୍ୟେକ କବିଙ୍କ ମଧ୍ୟରେ ସମ୍ବେଦନତା, ସହାନୁଭୂତି, ଭାବବିହ୍ବଳତା ରହିବା ଆବଶ୍ୟକ । କାବ୍ୟ ଓ କବିତାର ଆବିର୍ଭାବ ହିଁ ପ୍ରକୃତିରୁ ତେଣୁ ପ୍ରକୃତିର ଲୋକ ଅର୍ଥାତ ଜନଜାତିଙ୍କ ଠାରୁ ହିଁ କବିତାର ଜନ୍ମ ।
ଏହି କାର୍ଯ୍ୟକ୍ରମରେ ସ୍ବାଗତ ଅଭିଭାଷଣ ଦେଇ ଏସସିଏସଟିଆରଟିଆର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ କହିଛନ୍ତି, ବିଭିନ୍ନ ଜନଜାତି ସମ୍ପ୍ରଦାୟ ଯଥା ବିଂଝାଲ, ଦେଶିଆ, ଗଦବା, ଖଡିଆ, କିଷାନ, କୋୟା, କୁଇ, ସଉରା, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ, ହୋ ଆଦି ସମୁଦାୟରୁ ଆସିଥିବା ସୁନାମଧନ୍ୟ କବି କବିତା ପାଠ କରିବେ । ସେମାନେ ପାଠ କରିଥିବା ସମସ୍ତ କବିତାକୁ ଏକ ପୁସ୍ତକ ଆକାରରେ ପ୍ରକାଶିତ କରାଯିବ ।
କାର୍ଯ୍ୟକ୍ରମର ସଞ୍ଚାଳନ ଏସସିଏସଟିଆରଟିଆଇର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ କରିଥିବା ବେଳେ ଅତିଥିଙ୍କୁ ସ୍ବାଗତ କରିଥିଲେ ଉପ-ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ରଥ ଓ ଧନ୍ୟବାଦ ଅର୍ପଣ କରିଥିଲେ ସହ-ନିର୍ଦ୍ଦେଶିକ ସୁଶ୍ରୀ ମଧୁସ୍ମିତା ସାହୁ ।