ଭୁବନେଶ୍ୱର : ଆଗାମୀ ରାଜ୍ୟସଭା ନିର୍ବାଚନରେ ଓଡିଶାରୁ ପୁଣି ଜଣେ ଅଣଓଡିଆ ରାଜ୍ୟସଭା ସଦସ୍ୟ ହୋଇପାରନ୍ତି । ଏଥିଲାଗି ବିଭିନ୍ନ ସ୍ତରରେ ଜୋରଦାର ଲବି ଚାଲିଛି ।
ଓଡିଶା ଏଯାବତ୍ ୫ଜଣ ଅଣଓଡିଆଙ୍କୁ ରାଜ୍ୟସଭାକୁ ପଠାଇଲାଣି ଏବଂ ସେମାନଙ୍କ ମଧ୍ୟରୁ ୨ଜଣ ବିଭିନ୍ନ ସମୟରେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ଷଷ୍ଠ ଅଣଓଡିଆ ଭାବେ କିଏ ରାଜ୍ୟସଭାକୁ ଯିବେ ତାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି ।
ଅତୀତରେ ଅଖିଳ ଭାରତ କଂଗ୍ରେସ କମିଟିର ଅନ୍ୟତମ କାର୍ଯ୍ୟକର୍ତ୍ତା କେ. ଭି ପାନିକର ଓଡିଶାରୁ କଂଗ୍ରେସ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ର୍ନିବାଚିତ ହୋଇ ୧୯୮୪ ରୁ ୧୯୯୦ ପର୍ଯ୍ୟନ୍ତ ରହିଥିଲେ । ପାନିକର ହେଉଛନ୍ତି କେରଳର ବାସିନ୍ଦା । ସେହିଭଳି ଜନତାଦଳର ଜାତୀୟ ସଭାପତି ଥିବା ଏସ.ଆର.ବୋମାଇ ୧୯୯୨ରେ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ୧୯୯୮ ପର୍ଯ୍ୟନ୍ତ ପୂରା ସମୟ ଦାୟିତ୍ୱରେ ରହିଥିଲେ । ଏହି ସମୟ ମଧ୍ୟରେ ସେ ଏଚ.ଡି.ଦେବେଗୌଡା ଓ ଆଇ.କେ.ଗୁଜୁରାଲଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ବୋମ୍ମାଇ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେତେବେଳେ ପାନିକର ଓ ବୋମ୍ମାଇଙ୍କୁ ଓଡିଶାର ବାସିନ୍ଦା ଭାବେ ଦର୍ଶାଯାଇଥିଲା ।
୨୦୦୪ ଜୁଲାଇ ମାସରେ ଉତ୍ତରପ୍ରଦେଶର ବିଜେପି ନେତା ଛତ୍ରପାଲସିଂହ ଲୋଧାଙ୍କୁ ଓଡିଶାରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ କରାଯାଇଥିଲା । ରାଜ୍ୟସଭା ସଦସ୍ୟ ଥାଇ ଦୁର୍ନୀତି ଅଭିଯୋଗରେ ଧରାପଡି ତତ୍କାଳୀନ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭୈରସିଂହ ଶେଖାୱତ ଏଥିକ୍ସ କମିଟି ଦ୍ୱାରା ତଦନ୍ତ କରାଇଥିଲେ ଏବଂ ତଦନ୍ତର ଫଳାଫଳ ଆଧାରରେ ତାଙ୍କୁ ରାଜ୍ୟସଭାର ସଦସ୍ୟ ପଦରୁ ୨୦୦୫ ଡିସେମ୍ବର ମାସରେ ବହିଷ୍କାର କରାଯାଇଥିଲା । ଛତ୍ରପାଳ ସିଂହଙ୍କ ଏଭଳି ଆଚରଣ ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରିବା ସହ ବିଜେପି ମଧ୍ୟ ଲଜ୍ଜିତ ହୋଇଥିଲା । ଅନୁରୂପ ଅଭିଯୋଗରେ ଅନ୍ୟଦଳର କେତେକ ସାଂସଦଙ୍କୁ ମଧ୍ୟ ସେତେବେଳେ ବିଦା କରାଯାଇଥିଲା ଯାହା ଜାତୀୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା ।
ପୂର୍ବ ପଞ୍ଜାବରେ ଜନ୍ମଗ୍ରହଣ କରି ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଖାତନାମା ସ୍ତମ୍ଭବାର ବଲବୀର ପୁଞ୍ଜ ବିଜେପି ପ୍ରାର୍ଥୀ ଭାବେ ଓଡିଶାରୁ ନିର୍ବାଚିତ ହୋଇ ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ସାଂସଦ ଥିଲେ । ସେହିପରି ରାଜସ୍ଥାନରେ ଜନ୍ମିତ ଅଶ୍ୱିନୀ ବୈଷ୍ଣବ ୨୦୨୧ରେ ବିଜେପି ପ୍ରାର୍ଥୀଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଅବଶ୍ୟ ପୂର୍ବରୁ ଶ୍ରୀ ବୈଷ୍ଣବ ଓଡିଶା କ୍ୟାଡର ଆଇଏଏସ୍ ଭାବେ ସରକାରୀ ଚାକିରି କରୁଥିବାବେଳେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି ।
ଏଯାବତ୍ ଓଡିଶାରୁ ୫ଜଣ ଅଣଓଡିଆ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଶ୍ରୀ ବୈଷ୍ଣବଙ୍କ ବ୍ୟତିତ ଅନ୍ୟ କାହାର ଉପସ୍ଥିତି ଓଡିଶାର ଲୋକେ ଅନୁଭବ କରିପାରୁନଥିଲେ । ଆଗାମୀ ଲୋକସଭା ନିର୍ବାଚନରେ ଶ୍ରୀ ବୈଷ୍ଣବ ଓଡିଶାରୁ ନିର୍ବାଚନ ଲଢିବା ଘେନି ଚର୍ଚ୍ଚା ହେଉଛି ।
ଅନ୍ୟ ପକ୍ଷରେ ପ୍ରଥମଥର ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଓଡିଆ ଓଡିଶା ବାହାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ସେ ବିହାରରୁ ଓ ପରେ ମଧ୍ୟପ୍ରଦେଶରୁ ବିଜେପି ପ୍ରାର୍ଥୀଭାବେ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ରହି ଆସିଛନ୍ତି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନବେଳେ ଶ୍ରୀ ପ୍ରଧାନ ପୁଣି ପ୍ରତ୍ୟକ୍ଷ ର୍ନିବାଚନ ଲଢିପାରନ୍ତି । ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଭାବେ ତତ୍କାଳନୀ ପ୍ରଧାନମନ୍ତ୍ରୀ ପି ଭି ନରସିଂହରାଓ ଓଡିଶାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । (ତଥ୍ୟ)