Home General ରାଜ୍ୟସଭା ମନୋନୟନରେ ଓଡ଼ିଶାରୁ କେହି ନାହିଁ

ରାଜ୍ୟସଭା ମନୋନୟନରେ ଓଡ଼ିଶାରୁ କେହି ନାହିଁ

ଭୁବନେଶ୍ୱର : ରାଜ୍ୟସଭା ପାଇଁ ଭାରତର ରାଷ୍ଟ୍ରପତି ଏବେ ପୁଣି ଆଉ ୪ଜଣଙ୍କୁ ସଦସ୍ୟ ଭାବେ ମନୋନୀତ କରିଥିବାବେଳେ ଏଥିରେ ଓଡ଼ିଶାର କେହି ସ୍ଥାନ ପାଇନାହାନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟସଭାର ୨୫୦ ସଦସ୍ୟଙ୍କ ଭିତରୁ ୨୩୮ ଜଣ ବିଭିନ୍ନ ରାଜ୍ୟ ବିଧାନସଭାରୁ ନିର୍ବାଚିତ ହୋଇଆସୁଥିବାବେଳେ ଆଉ ୧୨ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି । ରାଜ୍ୟସଭା ଗଢ଼ାଯିବା ପରଠାରୁ ଏଯାବତ୍‍ ଓଡ଼ିଶାର କେଳବ ମାତ୍ର ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ମନୋନୀତ ସଦସ୍ୟ ଭାବେ ନିଆଯାଇଥିବା ବେଳେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିବାରୁ ସେ ପୂରା ସମୟ କାର୍ଯ୍ୟ କରିପାରିନଥିଲେ । ତାଙ୍କ ମୃତ୍ୟୁ ଯୋଗୁ ଖାଲି ହୋଇଥିବା ଆସନରେ ବି ଅନ୍ୟ କୌଣସି ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଇନଥିଲା ।

କେନ୍ଦ୍ର ସରକାର ଓଡ଼ିଶା ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଏବଂ ରାଜ୍ୟରେ ବିଜେପି ସରକାର ଗଢ଼ାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ଶାସନ କ୍ଷମତାରେ ଥିବାରୁ ଏହାକୁ ଡବଲ ଇଞ୍ଜିନ ସରକାର ବୋଲି କୁହାଯାଉଛି । ଏହାଛଡ଼ା ଭାରତବର୍ଷର ରାଷ୍ଟ୍ରପତି ବି ଓଡ଼ିଆ ଝିଅ ହୋଇଥିବାରୁ ଓଡ଼ିଶାବାସୀ ଗର୍ବ କରନ୍ତି । ଏ ସବୁ ସତ୍ତ୍ୱେ ରାଜ୍ୟସଭାର ୧୨ଜଣ ମନୋନୀତ ସଦସ୍ୟଙ୍କ ଭିତରେ ଏବେ ଜଣେ ହେଲେ କେହି ଓଡ଼ିଆ ନାହାନ୍ତି । ଏହାଛଡ଼ା କୌଣସି ରାଜ୍ୟରେ ବି ବର୍ତ୍ତମାନ ଓଡ଼ିଆ ରାଜ୍ୟପାଳ ନାହାନ୍ତି କିମ୍ବା ସୁପ୍ରିମକୋର୍ଟରେ ମଧ୍ୟ ଆଜିର ଦିନରେ ଜଣେ ହେଲେ ଓଡ଼ିଆ ବିଚାରପତି ନାହାନ୍ତି ।

ନିକଟରେ ରାଷ୍ଟ୍ରପତି ବିଭିନ୍ନ ରାଜ୍ୟର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନେୀନତ କରିଛନ୍ତି । ଏମାନେ ହେଲେ ମହାରାଷ୍ଟ୍ରର ବହୁଚର୍ଚ୍ଚିତ ଆଇନ୍‍ଜୀବୀ ଉଜ୍ୱଳ ନକମ, ପୂର୍ବତନ କୂଟନୀତିଜ୍ଞ ହର୍ଷ ଶ୍ରୀଙ୍ଗଲା, ସମାଜସେବୀ ସଦାନନ୍ଦ ମାଷ୍ଟର ଓ ଗବେଷିକା ମୀନାକ୍ଷି ଜୈନ । ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଉ କିଛି ରାଜନୈତିକ ନେତା ଆଶା ରଖିଥିଲେ ଯେ ସେମାନଙ୍କୁ ବିଳମ୍ବରେ ହେଲେ ମଧ୍ୟ ଏଥର ରାଜ୍ୟସଭାକୁ ମନୋନୀତ କରାଯିବ ବୋଲି । ନିର୍ବାଚିତ ସଦସ୍ୟମାନଙ୍କ ଭଳି ରାଜ୍ୟସଭାର ମନୋନୀତ ସଦସ୍ୟମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇଥାନ୍ତି ଏବଂ ମନୋନୀତ ସଦସ୍ୟ ଭାବରେ ଏମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ ।

ରାଜ୍ୟସଭା ଗଢ଼ାଯିବା ପରଠାରୁ ଏଯାବତ୍‍ ଗୋଟିଏ ଗୋଟିଏ ରାଜ୍ୟରୁ ୧୦/୧୨ଜଣ ପର୍ଯ୍ୟନ୍ତ ବ୍ୟକ୍ତି ରାଜ୍ୟସଭାର ମନୋନୀତ ସଦସ୍ୟ ହେବାର ଗୌରବ ଲାଭ କରିଛନ୍ତି । ଏମାନଙ୍କ ଭିତରେ କ୍ରୀଡ଼ାବିତ୍‍, ସାହିତ୍ୟିକ, ଐତିହାସିକ, ଚଳଚ୍ଚିତ୍ର ତାରକା, ସମାଜସେବୀ, ରାଜନୀତିଜ୍ଞ, ସ୍ଥପତି, ପ୍ରଶାସକ ଆଦି ଅନ୍ତର୍ଭୁକ୍ତ । ତେବେ ୧୯୫୦ ଦଶକରୁ ଏଯାବତ୍‍ ଓଡ଼ିଶାକୁ ଏ କ୍ଷେତ୍ରରେ ଅବହେଳା କରାଯାଇଛି । ବିଶିଷ୍ଟ ବ୍ୟକ୍ତିଭାବେ ଯେଉଁମାନଙ୍କୁ ଏଯାବତ୍‍ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରାଗଲାଣି ସେମାନଙ୍କ ତୁଳନାରେ ଓଡ଼ିଶାରେ ଢେର ଅଧିକା ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଥିଲେ ମଧ୍ୟ ନିଯୁକ୍ତି ପାଇପାରୁ ନାହାନ୍ତି ।

କେନ୍ଦ୍ର ସରକାରଙ୍କ ସୁପାରିସ ଆଧାରରେ ରାଷ୍ଟ୍ରପତି ରାଜ୍ୟସଭା ଲାଗି ୧୨ ଜଣ ସଦସ୍ୟ ମନୋନୀତ କରିବାର ଯେଉଁ ସାମ୍ବିଧାନକ ବ୍ୟବସ୍ଥା ରହିଛି ସେଥିରୁ ଓଡ଼ିଶା ବିଶେଷ ଫାଇଦା ଉଠାଇ ପାରୁନାହିଁ । ଓଡ଼ିଆ ଅସ୍ମିତା ପ୍ରସଂଗ ନେଇ ବ୍ୟାପକ ଚର୍ଚ୍ଚା ବର୍ଷାଧିକ କାଳ ଧରି ଚାଲିଥିବାବେଳେ ଦଳମତ ନିର୍ବିଶେଷରେ ବୁଦ୍ଧିଜୀବୀ ମହଲ ଆଶା କରୁଥିଲେ ଯେ ଏଥର ଓଡ଼ିଶାରୁ ଅନ୍ତତଃପକ୍ଷେ କିଛି ବ୍ୟକ୍ତି ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ସ୍ଥାନ ପାଇବେ ବୋଲି । କିନ୍ତୁ ଏହା ହୋଇନଥିବାରୁ ବିଭିନ୍ନ ମହଲରେ ନିରାଶା ସୃଷ୍ଟି ହେବା ସ୍ୱାଭାବିକ । କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଭାରତରତ୍ନ ସମ୍ମାନ ପ୍ରବର୍ତ୍ତନ କରିବାଠାରୁ ଏଯାବତ୍‍ ଓଡ଼ିଶାରୁ ଜଣେ ହେଲେ କାହାକୁ ଏହି ଗୌରବର ଅଧିକାରୀ କରାଯାଇନାହିଁ । ବିଭିନ୍ନ ରାଜ୍ୟର ବହୁ ଜୀବୀତ ଓ ସ୍ୱର୍ଗତ ବ୍ୟକ୍ତିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଉଥିବା ବେଳେ କେହି ହେଲେ ଜଣେ ଓଡ଼ିଆଙ୍କୁ ଏଥିଲାଗି ଏଯାବତ୍‍ ଯୋଗ୍ୟ ବିବେଚନା କରାଯାଇ ନାହିଁ ।(ତଥ୍ୟ)