ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଓଡିଶାରେ ମଧ୍ୟ ପ୍ରମୁଖ ରାଜନୈତିକ ଦଳମାନେ ଅଧିକ ଆସନ ଦଖଲପାଇଁ ରଣକୌଶଳ ପ୍ରସ୍ତୁତ କରିବାରେ ବ୍ୟସ୍ତ ।
ଏଠାରେ ଉଲ୍ଲେଖନୀୟ ଯେ ଓଡିଶାର ୪ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ମାସରେ ପୂରଣ ହେବାକୁ ଯାଉଛି । ଏହି ଚାରିଜଣଙ୍କ ମଧ୍ୟରୁ ଏବେ ଦୁଇଜଣ ବିଜେପି ସଦସ୍ୟ ଥିବାବେଳେ ଆଉ ଦୁଇଜଣ ବିଜେଡିରେ ରହିଛନ୍ତି । ତେବେ ଯେଉଁ ଦୁଇଜଣ ବିଜେପି ସଦସ୍ୟ ଅଛନ୍ତି ସେମାନେ ପୂର୍ବରୁ ବିଜେଡି ଟିକଟରେ ରାଜ୍ୟସଭାକୁ ଯାଇଥିଲେ ଓ ପରବର୍ତ୍ତୀ ସମୟରେ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ଉପନିର୍ବାଚନ ଜିଣି ବିଜେପି ସଦସ୍ୟ ହୋଇଛନ୍ତି ।
ରାଜ୍ୟ ବିଧାନସଭାର ୧୪୭ଜଣ ସଦସ୍ୟ ଥିବାବେଳେ ଏମାନେ ଏଥର ରାଜ୍ୟସଭାକୁ ୪ଜଣଙ୍କୁ ନିର୍ବାଚିତ କରିବେ । ବିଜେପି ହାତରେ ୭୯ଟି ବିଧାନସଭା ଆସନ ଥିବାବେଳେ ଆଉ ତିନିଜଣ ସ୍ୱାଧୀନ ବିଧାୟକଙ୍କର ଶାସକଦଳ ପ୍ରତି ସମର୍ଥନ ରହିଛି । ଏ ପରିପ୍ରେକ୍ଷୀରେ ବିଜେପି ନିଶ୍ଚିତ ଭାବେ ଦୁଇଟି ଆସନ ସହଜରେ ଅକ୍ତିଆର କରିପାରିବ । ତେଣୁ ବିଜେଡି ଛାଡି ବିଜେପିରେ ମିଶିଥିବା ଦୁଇଜଣ ଯାକ ସାଂସଦଙ୍କୁ ଏଥର ବିଜେପି ପ୍ରାର୍ଥୀ କରିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । ରାଜ୍ୟସଭା ର୍ନିବାଚନ ପାଇଁ ବିଜେପିର କେଉଁମାନେ ଦଳୀୟ ପ୍ରାର୍ଥୀ ହେବେ ତାହାର ଚୂଡାନ୍ତ ନିଷ୍ପତ୍ତି ଦଳର ହାଇକମାଣ୍ଡ ଦିଲ୍ଲୀରେ ଗ୍ରହଣ କରିବେ । ତେବେ ଶାସକଦଳର ରାଜ୍ୟସଭା ଟିକଟ ଆଶାୟୀଙ୍କ ତାଲିକା ଏବେ ୨୦ରୁ ଅଧିକ ହେବ ବୋଲି କୁହାଯାଉଛି ।
ବିଧାନସଭାରେ ଏବେ ବିଜେଡିର ୫୦ଜଣ ସଦସ୍ୟ ଅଛନ୍ତି । ଏମାନଙ୍କ ଭିତରୁ ୨ଜଣଙ୍କୁ ନିକଟ ଅତୀତରେ ନିଲମ୍ବନ କରାଯାଇଛି । ସଂଖ୍ୟାଗଣିତ ଦୃଷ୍ଟିରୁ ବିଜେଡି ଏକାକୀ ନିଜ ଶକ୍ତି ବଳରେ ଗୋଟିଏ ମାତ୍ର ଆସନରୁ ଜିଣିବା ଏକ ପ୍ରକାର ନିଶ୍ଚିତ । ତେଣୁ ବିଜେଡିର ଦୁଇଜଣ ରାଜ୍ୟସଭା ସଦସ୍ୟଙ୍କ ଭିତରୁ କିଏ ଟିକଟ ପାଇବେ କି ନପାଇବେ କିମ୍ବା ବାହାରୁ ଆଉ କ।।କୁ ପ୍ରାର୍ଥୀ କରାଯିବ ତାହା ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ।
ରାଜ୍ୟ ବିଧାନସଭାରେ କଂଗ୍ରେସର ୧୪ଜଣ ବିଧାୟକ ଅଛନ୍ତି । ଏମାନଙ୍କ ଛଡା ସିପିଏମ୍ର ବି ଆଉ ଜଣେ ସଦସ୍ୟ ରହିଛନ୍ତି । ଏହି ୧୫ଜଣ ଯାକ ମିଶିଲେ ଏକାକୀ କାହାକୁ ର୍ନିବାଚିତ କରିପାରିବେ ନାହିଁ । ଏପରିପ୍ରେକ୍ଷୀରେ ବିଜେଡିର ବଳକା ଭୋଟ ସହିତ ଯଦି କଂଗ୍ରେସ ଓ ସିପିଏମ୍ ବିଧାୟକଙ୍କ ଭୋଟ ମିଶିଯାଏ ତେବେ ସେମାନେ ସହଜରେ ଚତୁର୍ଥ ଆସନଟିକୁ ଦଖଲକୁ ନେଇପାରିବେ । ଏଭଳି ସ୍ଥିତିରେ ଚତୁର୍ଥ ଆସନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସର କୌଣସି ନେତା ପ୍ରାର୍ଥୀ ହେବେ କିମ୍ବା ଅତୀତରେ ଏ ଭି ସ୍ୱାମୀଙ୍କ ଭଳି ଜଣେ ନିର୍ଦ୍ଦଳୀୟ ସର୍ବୋଦୟକର୍ମୀଙ୍କୁ ଯେପରି ରାଜ୍ୟସଭାକୁ ପଠାଯାଇଥିଲା ସେଭଳି ଅବସ୍ଥା ଉପୁଜିବ ସେ ସମ୍ପର୍କରେ କଳ୍ପନା ଜଳ୍ପନା ଚାଲିଛି ।
ଅତୀତରେ ବିରୋଧିଦଳ ବିଧାୟକଙ୍କ କ୍ରସଭୋଟିଂ ବଳରେ କଂଗ୍ରେସ ସରକାର ସମୟରେ ଓଡିଶାରୁ କଂଗ୍ରେସପ୍ରାର୍ଥୀ ବି ଜିଣିଥିଲେ । ସେହିଭଳି ଆଉଥରେ ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁ ଦଳରୁ କ୍ରସଭୋଟିଂ କରାଇ ର୍ନିବାଚିତ ହୋଇଥିଲେ । ଅତୀତର ଇତିହାସ ଏଥର ପୁଣି କଡ ଲେଉଟାଇବ କି ନାହିଁ ସେ ସଂକ୍ରାନ୍ତରେ କୌଣସି ଦଳ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦେଉନଥିବାବେଳେ ଦୁଇ ଜଣ ପ୍ରାର୍ଥୀଙ୍କ ପରେ ବିଜେପିର ଏକ ଅଂକ ସଂଖ୍ୟା ବିଶିଷ୍ଟ ଯେତିକି ବଳକା ଭୋଟ ରହିଛି ତାହା ଚତୁର୍ଥ ଆସନ ଅକ୍ତିଆର କରିବାରେ କେତେଦୂର ସଫଳ ହେବ ତାହା ଅଳ୍ପ କିଛିଦିନ ଭିତରେ ସ୍ପଷ୍ଟ ହୋଇଯିବ । (ତଥ୍ୟ)

