ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଇ କ୍ରସ ଭୋଟିଂ କଲେ କୌଣସି ବିଧାୟକଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ହୋଇପାରିବ ନାହିଁ । ଆଇନ୍ଗତ ବ୍ୟବସ୍ଥା ଅନୁଯାୟୀ ସମ୍ବିଧାନର ୧୦ମ ଅନୁଚ୍ଛେଦ ମୁତାବକ ଦଳବଦଳ ନିରୋଧ ଆଇନ୍ ବଳରେ ଜଣେ ବିଧାୟକ କିମ୍ବା ସାଂସଦଙ୍କ ସଦସ୍ୟ ପଦ ରଦ୍ଦ କରାଯାଇପାରିବ । ରାଜ୍ୟସଭା ନିର୍ବାଚନ ନିର୍ବାଚନ କମିଶନ ପରିଚାଳନା କରିଥାନ୍ତି ଏବଂ ଏଥିରେ ବିଧାନସଭାର କୌଣସି ନିୟନ୍ତ୍ରଣ ନଥିବାରୁ କ୍ରସ ଭୋଟିଂ କରୁଥିବା ସଦସ୍ୟମାନଙ୍କ ସଭ୍ୟ ପଦ ରଦ୍ଦ କରିବା ଲାଗି କାହାକୁ ଆଇନ୍ଗତ କ୍ଷମତା ଦିଆଯାଇ ନାହିଁ ।
ଓଡ଼ିଶାର ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ପରିପ୍ରେକ୍ଷୀରେ ଏବେ ବିଭିନ୍ନ ମହଲରେ କ୍ରସ ଭୋଟିଂ ଚର୍ଚ୍ଚା ଜୋର ଧରିଛି । ତେବେ ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ଯେ ରାଜ୍ୟସଭା ନିର୍ବାଚନ ନିର୍ବାଚନ କମିଶନଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଏହାକୁ ବିଧାନସଭାର କାର୍ଯ୍ୟାବଳୀ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ବୈଷୟିକ ଦୃଷ୍ଟିରୁ ଏ କ୍ଷେତ୍ରରେ ଦଳୀୟ ହ୍ୱିପ୍ ମଧ୍ୟ ଜାରି କରାଯିବା କଥା ନୁହେଁ । ଏହା ସତ୍ତ୍ୱେ ବିଭିନ୍ନ ଦଳ ପକ୍ଷରୁ ସେମାନଙ୍କ ବିଧାୟକମାନଙ୍କୁ କାହାକୁ ଭୋଟ ଦେବେ ସେ ସଂକ୍ରାନ୍ତରେ ହ୍ୱିପ୍ ଜାରି କରାଯାଉଛି । ଏ ପରିପ୍ରେକ୍ଷୀରେ ରାଜ୍ୟସଭା ନିର୍ବାଚନର ଭୋଟ ଗ୍ରହଣ ବିଧାନସଭାର କାର୍ଯ୍ୟାବଳୀ ବାହାରେ ହୋଇଥିବାରୁ ଏବଂ ଏହା ଗୃହର ବିବରଣୀ ହେଉନଥିବାରୁ ଏ କ୍ଷେତ୍ରରେ ହ୍ୱିପ୍ର କୌଣସି ଆଇନ୍ଗତ ପ୍ରାସଙ୍ଗିକତା ନାହିଁ ।
ଆଇନ୍ ବିଶାରଦମାନେ କହୁଛନ୍ତି ଯେ ବିଧାୟକମାନେ ସେମାନଙ୍କ ବିବେକାନୁମୋଦିତ ପନ୍ଥାରେ ଭୋଟ ଦେଇପାରିବେ । କେଉଁ ବିଧାୟକ କାହାକୁ ପ୍ରଥମ, ଦ୍ୱିତୀୟ ପସନ୍ଦର ଭୋଟ ଦେବେ ତାହା ତାଙ୍କ ବିବେକ ଉପରେ ନିର୍ଭର କରେ । ଏ କ୍ଷେତ୍ରରେ ସମ୍ବିଧାନର ୧୦ମ ଅନୁଚ୍ଛେଦ ଲାଗୁ ହେଉନଥିବାରୁ ଦଳୀୟ ହ୍ୱିପ୍ ବିରୋଧରେ ମତଦାନ କରୁଥିବା ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରାଯାଇପାରିବ ନାହିଁ କିମ୍ବା ଏ କ୍ଷେତ୍ରରେ ମଧ୍ୟ କାହା ବିରୋଧରେ କ୍ରସଂ ଭୋଟିଂ ଲାଗି ଆଇନ୍ଗତ ପଦକ୍ଷେପ ବି ନିଆଯାଇପାରିବ ନାହିଁ ।
କେଉଁ ଦଳର ବିଧାୟକ କାହାକୁ ଭୋଟ ଦେବେ ନଦେବେ ତାହା ସଂପୃକ୍ତ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ସଂପୃକ୍ତ ରାଜନୈତିକ ଦଳ ଦଳୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଶ୍ୟ କିଛି ବାରଣ ନାହିଁ । ରାଜ୍ୟସଭା ନିର୍ବାଚନରେ ମତଦାନ କରୁଥିବା ବିଧାୟକମାନେ ସେମାନଙ୍କ ବାଲାଟକୁ ଗୋପନ ରଖିପାରିବେ ନାହିଁ । ଦଳର କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କୁ ସେମାନେ ବାଲାଟ ପେପର୍ ଦେଖାଇବେ । ଏ ପରିପ୍ରେକ୍ଷୀରେ ‘ଓପନ୍ ବାଲାଟ୍’ ହେଉଥିବାରୁ କ୍ଷମତାପ୍ରାପ୍ତ ପ୍ରତିନିଧି ଜାଣିପାରନ୍ତି ତାଙ୍କ ଦଳର କେଉଁ ବିଧାୟକ କାହାକୁ ଭୋଟ ଦେଲେ ବୋଲି ।
ବିଧିବିଶେଷଜ୍ଞମାନଙ୍କ କହିବା କଥା ହେଉଛି ରାଜ୍ୟସଭା ନିର୍ବାଚନରେ ବିଧାୟକମାନଙ୍କ ଉପରେ ହ୍ୱିପ୍ ଲଗାଇବା ବାଧ୍ୟତାମୂଳକ ନୁହେଁ କିମ୍ବା ଏଭଳି ହ୍ୱିପ୍ ଯଦି କୌଣସି ଦଳ ଲଗାଇଥାନ୍ତି ତାହାକୁ ମାନିବା ଲାଗି ସଂପୃକ୍ତ ଦଳର ବିଧାୟକମାନେ ବି ବାଧ୍ୟ ନୁହନ୍ତି । ତେବେ ଏ କ୍ଷେତ୍ରରେ କେବଳ ଦଳୀୟ କର୍ତ୍ତୃପକ୍ଷ ସେମାନଙ୍କ ସମ୍ବିଧାନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । କିନ୍ତୁ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଧାରରେ କୌଣସି ବିଧାୟକଙ୍କ ସଦସ୍ୟ ପଦ ବି ରଦ୍ଦ ହୋଇପାରିବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଏ ଯାବତ୍ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ରାଜ୍ୟସଭା ନିର୍ବାଚନରେ ବହୁବାର କ୍ରସ ଭୋଟିଂ ହୋଇଥିଲେ ମଧ୍ୟ କୌଣସି ବିଧାୟକଙ୍କ ସଦସ୍ୟ ପଦ ବି ଉକ୍ତ ଅଭିଯୋଗରେ ରଦ୍ଦ କରାଯାଇଥିବାର ନଜିର ନାହିଁ । (ତଥ୍ୟ)

