ଭୁବନେଶ୍ୱର : ରାଜ୍ୟ ସଭାରେ ଥିବା ୧୨ଟି ମନୋନୀତ ସଦସ୍ୟ ପଦବୀରେ ଏଯାବତ୍ ଅନ୍ୟୁନ ୧୪୨ଜଣ ଅବସ୍ଥାପିତ ହୋଇଥିବାବେଳେ ଦୀର୍ଘବର୍ଷର ଦାବି ପରେ ୨୦୧୮ ମସିହାରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଶାର ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ରାଷ୍ଟ୍ରପତି ମନୋନୀତ କରିଥିଲେ । ତେବେ ୨୦୨୧ କୋଭିଡ୍ ମହାମାରୀ ସମୟରେ ତାଙ୍କର ଦେହାନ୍ତ ହେବାପରେ ଓଡ଼ିଶାରୁ ଆଉ କାହାକୁ ମନୋନୀତ କରାଯାଇନାହିଁ ।
ରାଜ୍ୟସଭାର ୨୫୦ଟି ଆସନ ମଧ୍ୟରୁ ୨୩୮ଟି ଆସନ ପୂରଣ ପାଇଁ ବିଭିନ୍ନ ରାଜ୍ୟର ବିଧାୟକମାନେ ମତଦାନ କରିଥାନ୍ତି । ଏଥିରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ନିର୍ଦ୍ଦଳୀୟମାନେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି । ଅବଶିଷ୍ଟ ୧୨ଟି ଆସନ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ଭିତରୁ ରାଷ୍ଟ୍ରପତି ମନୋନୀତ କରି ପୂରଣ କରିଥାନ୍ତି । ଏହି ୧୨ଟି ମନୋନୀତ ଆସନ ପୂରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।
୧୯୫୨ ମସିହାରୁ ଏଯାବତ୍ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଭିନ୍ନ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଓ ବହୁ ରାଜନୈତିକ ନେତାଙ୍କ ଭିତରେ ଅନ୍ୟୁନ ୧୪୨ଜଣ ମନୋନୀତ ହୋଇସାରିଛନ୍ତି । ନିର୍ବାଚିତ ରାଜ୍ୟସଭା ସଦସ୍ୟଙ୍କ ଭଳି ଏହି ମନୋନୀତ ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ବର୍ଷ ରୁହେ । ବିଭିନ୍ନ ରାଜ୍ୟର ଅନେକ ରାଜନୈତିକ ନେତା ଓ ବିଶିଷ୍ଟ ବ୍ୟକ୍ତି ଏହି ପଦବୀ ପାଇଁ ୨/୩ ଥର ଲେଖାଏଁ ମନୋନୀତ ହୋଇଥିବାର ନଜିର ରହିଛି ।
୧୯୫୨ ମସିହାରେ ପ୍ରଥମଥର ପାଇଁ ଯେଉଁ ୧୨ଜଣ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଆଲାଡି କୃଷ୍ଣସ୍ୱାମୀ ଆୟାର, ସତ୍ୟନ୍ଦ୍ର ନାଥ ଘୋଷ, ପୃଥ୍ୱୀରାଜ କାପୁର, ଜେ. ଏନ୍. କୁମାରାପ୍ପା, କାଳିଦାସ ନାଗ୍, ରୁକ୍ମିଣୀ ଦେବୀ ଅରୁଣ୍ଡେଲ୍, ଏନ୍. ଆର୍. ମାଲକାନି, ସାହିବ୍ ସିଂ ସୋଖି, ଜାକିର୍ ହୁସେନ୍, ମୈଥିଲି ଶରଣ ଗୁପ୍ତା, କାକା କାଲେନ୍କର ଓ ରାଧାକୁମୁଦ ମୁଖାର୍ଜୀ ।
ଜୟରାମ ଦାସ ଦୌଲତରାମ ୧୯୫୯ରୁ ୧୯୭୬ ପର୍ଯ୍ୟନ୍ତ ରାଜ୍ୟସଭାର ମନୋନୀତ ସଦସ୍ୟଭାବେ ରେକର୍ଡ କରିଥିଲେ । ଆର. ଆର. ଦିବାକର, ଜି. ରାମଚନ୍ଦ୍ରନ୍, ବି. ଆର. ଗାଡଗିଲ୍, ଏସ୍. ନୁରୁଲ୍ ହାସନ, କ୍ରିଷ୍ଣା କ୍ରିପାଳିନୀ, ନାନାଜୀ ଦେଶମୁଖ, ଗୁଲାମ୍ ରସୁଲ୍କର, ରାମଜେଠ୍ ମାଲାନି, ମଣିଶଙ୍କର ଆୟାର୍, ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଭଳି ବିଭିନ୍ନ ଦଳର ରାଜନେତାଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ ପଦବୀ ମିଳିଛି । ଏମାନଙ୍କ ଛଡା କଳା, ବିଜ୍ଞାନ, କ୍ରୀଡା, ସମାଜସେବା, ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ନର୍ଗିସ ଦତ୍ତ, ଖୁସୱନ୍ତ ସିଂ, କୁଲ୍ଦୀପ ନାୟାର, ଇଲା ଭଟ୍ଟ, ସଲିମ୍ ଅଲ୍ଲି, ଅମ୍ରିତା ପ୍ରୀତମ୍, ଏମ୍ ଏଫ୍ ହୁସେନ୍, ନିର୍ମଳା ଦେଶପାଣ୍ଡେ, ସବାନା ଆଜ୍ମୀ, ମୃଣାଳ ସେନ୍, ଲତା ମଙ୍ଗେସ୍ କର, ହେମା ମାଲିନୀ, ଦାରା ସିଂ, କପିଳା ବାତ୍ସାୟନ, ସାମ୍ ବେନେଗାଲ୍, ଏମ୍ ଏସ୍ ସ୍ୱାମୀନାଥନ୍, ରେଖା, ସଚ୍ଚିନ ତେନ୍ଦୁଲ କର, ରୂପା ଗାଙ୍ଗୁଲି ଆଦି ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।
ରାଜ୍ୟସଭା ଗଢା ଯିବାର ପ୍ରାୟ ୬୬ବର୍ଷ ପରେ ୨୦୧୮ ଜୁଲାଇ ୧୪ ତାରିଖରେ ଓଡ଼ିଶାର ରଘୁନାଥ ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ରାଜ୍ୟସଭାର ମନୋନୀତ ସଦସ୍ୟ ହୋଇ ୨୦୨୧ ମଇ ୯ ତାରିଖରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ରଘୁନାଥ ମହାପାତ୍ରଙ୍କ ମୃତ୍ୟୁ ପରଠାରୁ ଆଉ କୌଣସି ଓଡ଼ିଆଙ୍କୁ ଏହି ଆସନ ପାଇଁ ମନୋନୀତ କରାଯାଇନାହିଁ । ଏ ପରିପ୍ରେକ୍ଷୀରେ ସାହିତ୍ୟ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ରାଜ୍ୟର କିଛି ବ୍ୟକ୍ତି ରାଜ୍ୟ ସଭାକୁ ମନୋନୀତ ହେବାପାଇଁ ଇଚ୍ଛା ବ୍ୟକ୍ତ କରିଆସୁଛନ୍ତି । ତେବେ କେନ୍ଦ୍ର ନେତୃତ୍ୱ ଏ ପ୍ରସଙ୍ଗରେ ଓଡ଼ିଶା ପ୍ରତି ସେତେଟା ଧ୍ୟାନ ଦେଉନାହିଁ ।
ଏବେ ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଭଳି ଓଡ଼ିଶାର ଜଣେ ଜଣାଶୁଣା ନେତ୍ରୀ ଭାରତର ରାଷ୍ଟ୍ରପତି ଥିବା ପରିପ୍ରେକ୍ଷୀରେ ରାଜ୍ୟସଭାର ମନୋନୀତ ସଦସ୍ୟ ହେବାପାଇଁ କେତେକ ରାଜନେତାଙ୍କର ମଧ୍ୟ ଆଗ୍ରହ ବଢିଛି । ତେବେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ପରାମର୍ଶ କ୍ରମେ କାର୍ଯ୍ୟ କରିବାର ପରମ୍ପରା ଥିବାରୁ ରାଜ୍ୟ ସଭାକୁ ଓଡ଼ିଶାର ପରବର୍ତ୍ତୀ ରାଷ୍ଟ୍ରପତି ମନୋନୀତ ସଦସ୍ୟ କିଏ ହେବେ ତାହା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛି । (ତଥ୍ୟ)