ଭୁବନେଶ୍ୱର : ୨୦୨୩-୨୪ ବଜେଟ୍ ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟର ବିକାଶରେ ଏହି ବିଭାଗର ଏକ ପ୍ରମୁଖ ଭୂମିକା ରହିଅଛି । ଓଡ଼ିଶା ଭବିଷ୍ୟତରେ ଏକ ଜ୍ଞାନ ଆଧାରିତ ଅର୍ଥନୀତି ରାଜ୍ୟରେ ପରିଗଣିତ ହେବ ବୋଲି ବିଶ୍ୱାସ ରହିଛି ।
ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ନୀତି, ପ୍ରୁଯକ୍ତିବିଦ୍ୟା ନୀତି, ବିପିଓ ନୀତି ଏବଂ ଡାଟା ସେଣ୍ଟର ନୀତି ଆଦି ଚାରିଗୋଟି ନୂତନ ନୀତିକୁ ଅନୁମୋଦନ କରିଛନ୍ତି । ଏହି ନୀତିଗୁଡ଼ିକ ଦେଶର ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିପାରିବ ।
ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ ସମୟରେ ସ୍ୱାକ୍ଷରିତ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ହାସଲ କରିବାରେ ସରକାର ସକ୍ଷମ ହୋଇଛନ୍ତି । ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ ରାଜ୍ୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଇବିଏମ୍, ଡେଲୋଏଟ୍, ହାପିଷ୍ଟ ମାଇଣ୍ଡସ୍, ପିଡବ୍ଲì୍ୟଡି, ଇନ୍କୁ୍ୟଟର, ଇନୋଭେୟାରଟେକ୍, ଓପେକ୍ସ ଆମେରିକା, ୟୋଭାଣ୍ଟ ଏବଂ ଅନ୍ୟାନ୍ୟ ଆଇଟି କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ଖୋଲି ସାରିଛନ୍ତି ଏବଂ ଆହୁରି ଅନେକ କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ପ୍ରତିଷ୍ଠା ପାଇଁ ଇଚ୍ଛୁକତା ପ୍ରକାଶ କରିଛନ୍ତି ।
ରାଜ୍ୟ ମାଲିକାନାରେ ଥିବା ଆଇଟି ଟାୱାରରେ କାର୍ଯ୍ୟ କରୁଥିବା ଆଇଟି କମ୍ପାନୀଗୁଡ଼ିକ ପାଇଁ ଲିଜ୍ ଭଡ଼ା ବର୍ଗଫୁଟ ପିଛା ୨୦ ଟଙ୍କାକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ଯାହା ଓଡ଼ିଶାକୁ ଏକ ଆଇଟି ଗନ୍ତବ୍ୟ ସ୍ଥଳରେ ପରିଣତ କରିଛି । ଆନ୍ତର୍ଜାତିକ ଆଇଟି କମ୍ପାନୀର ସହଭାଗିତାରେ ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ଏବଂ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷିତ କରିବା ସହିତ କୃତି୍ରମ ବୁଦ୍ଧିମତ୍ତାର ଏକ ସହରୀ କ୍ଷେତ୍ର ପ୍ରସ୍ତୁତ କରାଯିବ ।
ପ୍ରଥମ ପର୍ଯ୍ୟାୟରେ ଏହା ପୁରୀ, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ପ୍ରବର୍ତ୍ତନ କରାଯିବ । ଆମ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ମଧ୍ୟ ତାଲିମ୍ ପ୍ରଦାନ କରାଯିବ । ରାଜ୍ୟର ୧୩୩ଟି ବ୍ଲକ୍ରେ ମୌଳିକ ଭିତ୍ତିଭୂମି ମାଧ୍ୟମରେ ଇଣ୍ଟରନେଟ୍ ଲିଜ୍ ଲାଇନ୍ର ଉପଲବ୍ଧତା ପାଇଁ ରାଜ୍ୟ ସରକାର ୨୬.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଯାହାଦ୍ୱାରା ଗ୍ରାମାଞ୍ଚଳ ନାଗରିକମାନଙ୍କର ଡିଜିଟାଲ ଦୁନିଆରେ ପ୍ରବେଶ ସହଜଲଭ୍ୟ ହୋଇପାରିବ ।
ଗ୍ରାମପଞ୍ଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନଗୁଡ଼ିକରେ ଭିଡିଓ କନ୍ଫରେନସିଂ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୧ ଜିବିପିଏସ୍ ଉଚ୍ଚ-ବ୍ୟାଣ୍ଡୱିଡଥ୍ ଯୋଗାଇ ଦିଆଯିବ ଯାହାଦ୍ୱାରା ଗ୍ରାମ ପଞ୍ଚାୟତ ନିକଟସ୍ଥ ସରକାରୀ ସଂସ୍ଥା ଯଥା- ସ୍କୁଲ, ଡାକ୍ତରଖାନାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ସହଜରେ ବିତରଣ କରାଯାଇପାରିବ । ବ୍ରଡବ୍ୟାଣ୍ଡ ସଂଯୋଗ ଫଳରେ ଗ୍ରାମଞ୍ଚଳ ଏବଂ ସହର ମଧ୍ୟରେ ପାର୍ଥକ୍ୟକୁ ଯଥେଷ୍ଟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଜରିଆରେ ବଜେଟ୍ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଯାଇ କହିଲେ ଚଳିତ ବର୍ଷ ବଜେଟ୍ରେ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ୩୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ମେକ୍-ଇନ୍-ଓଡ଼ିଶାର ସଫଳତା ପରେ ବହୁ ବଡ଼ ବଡ଼ ଆଇଟି କମ୍ପାନୀ ଓଡ଼ିଶାକୁ ଆସିବାକୁ ଇଚ୍ଛା କରୁଛନ୍ତି ।
ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜାଗା ଓ ଗୃହ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଓଡ଼ିଶାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସରକାରୀ ସେବାଗୁଡ଼ିକ ଜନସାଧାରଣଙ୍କ ମଧ୍ୟରେ ବିତରଣକୁ ସୁନିଶ୍ଚିତ କରିବା ପାଇଁ ‘ମୋ ସେବାକେନ୍ଦ୍ର’ ପ୍ରତିଷ୍ଠା କରାଯାଇଛି ଏବଂ ପଞ୍ଚାୟତ ସ୍ତରରେ ମୋ ସେବାକେନ୍ଦ୍ର କାର୍ଯ୍ୟ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିସହିତ ସାଇବର ଆଟାକ୍ରୁ ସରକାରୀ ତଥ୍ୟଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ନାଗରିକମାନଙ୍କୁ ଓଡ଼ିଶା ୱାନ ପୋର୍ଟାଲ ଜରିଆରେ ଯୋଗାଇ ଦିଆଯାଉଥିବା ୫୫୦ଟି ସେବାକୁ ୬୫୦କୁ ଉନ୍ନୀତ କରିବାକୁ ଚେଷ୍ଟା ଜାରି ରହିଛି ।
ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ‘ଓସ୍ୱାସ’୍ ପରି ଏକ ଏଣ୍ଟରପ୍ରାଇଜ୍ ପ୍ଲାଟଫର୍ମ ଅଛି ସରକାରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗକୁ ୱସ୍ୱାସରେ ସଂଯୋଗ କରାଯିବା ସହିତ ଇ-ଡେସ୍ପାଚ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ୱସ୍ୱାସ୍ ଜରିଆରେ ଟେକ୍ନୋଲୋଜିର ଦକ୍ଷ ଉପଯୋଗ ପାଇଁ ବଜେଟ୍ରେ ୧୯.୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଡାଟାର ନିର୍ଭର ଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଭିତରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍ ପ୍ରତିଷ୍ଠାର ଯୋଜନା ହୋଇଛି ।
ଏହି ଷ୍ଟେସନ୍ ପ୍ରତିଷ୍ଠା ଦ୍ୱାରା ଡାଟା ସେଣ୍ଟର, ଚିତ୍ତବିନୋଦନ, ଦୂରସଂଚାର ଏବଂ ଫିନ୍ଟେକ୍ର ବଜାରକୁ ସଶକ୍ତ କରିବ । ଯାହାଦ୍ୱାରା ଓଡ଼ିଶା ପୂର୍ବଭାରତ, କେନ୍ଦ୍ରୀୟ ତଥା ଉତ୍ତର-ପୂର୍ବ ଭାରତ ପାଇଁ ଏକ ଡିଜିଟାଲ ହବ୍ ଭାବେ ଛଡ଼ା ହୋଇପାରିବ । ଇଲେକେଫ୍ରାନିକ୍ସ ଡିଜାଇନ୍ ଏବଂ ଉତ୍ପାଦନ କ୍ଷେତ୍ରରେ ଏକ ସୁବାତାବରଣ ସୃଷ୍ଟି କରିବାକୁ ୩୦ କୋଟି ଟଙ୍କା ବିନିଯୋଗରେ ଏକ ଉଚ୍ଚାଭିଳାସି ଓ ଓଡ଼ିଶା ଚିଫ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗବେଷଣା, ନମୂନା ପ୍ରସ୍ତୁତି, ପରୀକ୍ଷଣ ଏବଂ ଉତ୍ପାଦନ ପାଇଁ ସଠିକ୍ ପରିବେଶ ସୃଷ୍ଟି ହୋଇପାରିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁରୁବୀର ସିଂ ପରିଚାଳନା କରିଥିଲେ ।