Home Mining ରାଜ୍ୟର ଅଧିକାର ଛଡ଼ାଇବାକୁ ଉଦ୍ୟମ

ରାଜ୍ୟର ଅଧିକାର ଛଡ଼ାଇବାକୁ ଉଦ୍ୟମ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନ ମାଧ୍ୟମରେ ରାଜ୍ୟମାନଙ୍କ ଅଧିକାର, ରାଜସ୍ୱ ଓ ପ୍ରାକୃତିକ ସମ୍ପଦ ଉପରେ ହସ୍ତକ୍ଷେପ କରାଯାଇଥିବା ଅଭିଯୋଗ କରି ଜନ ଆନ୍ଦୋଳନ ନେତା ତଥା ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା

ଏହାକୁ ଓଡ଼ିଶା ପାଇଁ ଅତ୍ୟନ୍ତ ଉଦବେଗଜନକ ଓ ଦୂରଗାମୀ ପ୍ରଭାବ ପକାଇବାକୁ ଥିବା ଆଇନ ବୋଲି କହିଛନ୍ତି। ଭୁବନେଶ୍ୱର ଲୋହିଆ ଏକାଡେମୀଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିନା ଯଥେଷ୍ଟ ଆଲୋଚନା ଓ ରାଜ୍ୟମାନଙ୍କ ମତାମତକୁ ଗୁରୁତ୍ୱ ନଦେଇ ସଂସଦରେ ସଂଖ୍ୟାବଳ ଆଧାରରେ ଏପରି ଆଇନ ପାରିତ କରାଯିବା ଭାରତର ସଂଘୀୟ ବ୍ୟବସ୍ଥା ପାଇଁ ଗୁରୁତର ଆଘାତ।

ଏହାଠାରୁ ଅଧିକ ଦୁଃଖଦ ବିଷୟ ହେଉଛି, ଓଡ଼ିଶାର ସାଂସଦମାନେ ରାଜ୍ୟର ଦୀର୍ଘମିଆଦୀ ସ୍ୱାର୍ଥକୁ ବିଚାର ନକରି ଏହାକୁ ସମର୍ଥନ କରିବା। ସଂଶୋଧନ ଆଇନ ଦ୍ୱାରା ରାଜ୍ୟ ସରକାରଙ୍କ ଅତିରିକ୍ତ ଟିକସ ଆଦାୟ ଅଧିକାର ସମାପ୍ତ ହେବା ସହ ପୂର୍ବ ବକେୟା ଆଦାୟର ଅଧିକାର ମଧ୍ୟ ପ୍ରଭାବିତ ହେବ ଏବଂ ଏହାର ଫଳରେ ବହୁ କୋଟି ଟଙ୍କାର ରାଜସ୍ୱ କିଛି ଖଣି କମ୍ପାନୀଙ୍କ ଲାଭରେ ପରିଣତ ହେବା ସହ ଓଡ଼ିଶା

ପ୍ରତିବର୍ଷ ଅତି କମରେ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାର ଆଶଙ୍କା ରହିଛି। ଏହା ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠଙ୍କ ରାୟର ମୂଳ ଆତ୍ମାକୁ ମଧ୍ୟ ଦୁର୍ବଳ କରୁଛି। ଏହା ସହିତ ଶିଳ୍ପ ପାଇଁ ଦିଆଯାଇଥିବା ଖଣିଜର ପୂର୍ବରୁ ନିର୍ଦ୍ଧାରିତ ଅଂଶ ଖୋଲା ବଜାରରେ ବିକ୍ରି କରିବା ପରିବର୍ତ୍ତେ ଶତପ୍ରତିଶତ ଖଣିଜ ଖୋଲା ବଜାରରେ ବିକ୍ରି କରିବାର ସୁଯୋଗ ଦିଆଯିବା ଫଳରେ କମ୍ପାନୀମାନେ ଦେଶ ଓ ବିଦେଶର ବଜାରକୁ ଅଧିକ ପରିମାଣରେ ଖଣିଜ ପଠାଇ ଓଡ଼ିଶାର ଲୁହାପଥର, ବକ୍ସାଇଟ୍ ଓ କ୍ରୋମାଇଟ୍ ଭଳି ଅମୂଲ୍ୟ ଖଣିଜ ସମ୍ପଦକୁ ଅତି ଶୀଘ୍ର ଶେଷ କରିଦେବାର ଆଶଙ୍କା ରହିଛି ବୋଲି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି।