Home Finance ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି

ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇବାରେ ଲାଗିଛି । ସର୍ବଶେଷ ସୂଚନା ଅନୁଯାୟୀ ବର୍ତ୍ତମାନର ଦର ସୂଚୀ ଆଧାରରେ ଓଡିଶାର ମୋଟ୍‍ ଘରୋଇ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି ।

ଗତ ତିନି ବର୍ଷ ଧରି ରାଜ୍ୟରେ ମୁଣ୍ଡ ପିଛା ଆୟର ଅଭିବୃଦ୍ଧି ଧାରା ଜାରି ରହିଛି । ୨୦୨୦-୨୧ ରେ ଏହା ୧,୦୨,୧୬୬ ଟଙ୍କା ଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୧,୨୮,୮୭୩ ଟଙ୍କା ଏବଂ ୨୦୨୨-୨୩ ରେ ୧,୫୦,୬୭୬ ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏହି ହିସାବରୁ ଅଭିବୃଦ୍ଧି ଧାରା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ।

ପଡୋଶୀ ରାଜ୍ୟଗୁଡିକ ତୁଳନାରେ ଓଡିଶାର ପ୍ରଦର୍ଶନ ବେଶ୍‍ ଭଲ ରହିଛି । ଓଡିଶାର ଅର୍ଥନୀତି ସମୃଦ୍ଧ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପଶ୍ଚିମବଙ୍ଗରେ ୨୦୨୦-୨୧ ରେ ମୁଣ୍ଡପିଛା ଆୟ ୧,୦୬,୫୧୦ ଟଙ୍କା ଥିବାବେଳେ ୨୦୨୧-୨୨ରେ ୧,୨୪,୭୯୮ ଏବଂ ୨୦୨୨-୨୩ରେ ୧,୪୧,୩୭୩ ଟଙ୍କା ଥିଲା । ଅନୁରୂପ ଭାବେ ମଧ୍ୟପ୍ରଦେଶରେ ମୁଣ୍ଡପିଛା ଆୟ ଏହି ବର୍ଷ ଗୁଡିକରେ ଯଥାକ୍ରମେ ୧,୦୩,୬୫୪, ୧,୨୧,୫୯୪ ଏବଂ ୧,୪୦,୫୮୩ ରହିଛି ।

ଛତିଶଗଡରେ ମୁଣ୍ଡପିଛା ଆୟ ୨୦୨୦-୨୧ ରେ ୧,୦୪,୭୮୮ ଟଙ୍କା ଥିବାବେଳେ ୨୦୨୧-୨୨ରେ ୧,୨୦,୭୦୪ ଏବଂ ୨୦୨୨-୨୩ ରେ ୧,୩୩,୮୯୮ ଟଙ୍କା ଥିଲା । ହିସାବ ଅନୁଯାୟୀ ଝାଡଖଣ୍ଡର ମୋଟ୍‍ ଘରୋଇ ଉତ୍ପାଦନ ୨୦୨୦-୨୧ ରେ ୭୧,୦୭୧ ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୭୮,୬୬୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହି ରାଜ୍ୟଗୁଡିକରେ ମୁଣ୍ଡ ପିଛା ଆୟ ମଧ୍ୟ ବର୍ଷକୁ ବର୍ଷ ବଢି ଚାଲିଛି ଯାହା ଏକ ସକରାତ୍ମକ ସୂଚନା ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ମୁଣ୍ଡ ପିଛା ମୋଟ୍‍ ଘରୋଇ ଉତ୍ପାଦନ କମ୍‍ ରହିଛି ।

ତେବେ ଓଡିଶାରେ ମୁଣ୍ଡ ପିଛା ମୋଟ୍‍ ଘରୋଇ ଉତ୍ପାଦନ ବୃଦ୍ଧି ପାଇଛି । ୨୦୨୦-୨୧ ରେ ୭୦,୮୭୭ ଟଙ୍କା ଥିବାବେଳେ ୨୦୨୧-୨୨ ରେ ଏହା ୭୯,୮୯୯ ଏବଂ ୨୦୨୨-୨୩ ରେ ୮୬,୫୧୨ ଟଙ୍କା ଥିବା ଆର୍ଥିକ ରିପୋର୍ଟରେ କୁହାଯାଇଛି । (ତଥ୍ୟ)