Home News in Odia ରାଜ୍ୟରେ ବର୍ଷା ସ୍ଥିତି ଉଦ୍‌ବେଗଜନକ

ରାଜ୍ୟରେ ବର୍ଷା ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ଚାଷର ସ୍ଥିତି ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ସମ୍ପର୍କିତ ସତର୍କ ସୂଚନା ଜନସାଧାରଣ ତଥା କୃଷକମାନଙ୍କ ନିକଟରେ କିପରି ଏହାର ବିଶ୍ୱସନୀୟତା ବୃଦ୍ଧି କରାଯାଇପାରିବ ସେ ଦିଗରେ ଦୃଷ୍ଟିଦେବା ଉଚିତ । ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ ଆଜି ଧାନର ତଳି ପକାଇ ପାରୁନାହିଁ । ପାଣିର ଅଭାବ ଦେଖାଦେଇଛି ।

ରାଜ୍ୟର ଅଧିକାଂଶ ସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପରେ ଜଳ ନାହିଁ । ମେଗା ଜଳସେଚନ ଓ ଉଠା ଜଳସେଚନ ପ୍ରକଳ୍ପ କେତେ ଅଞ୍ଚଳ ପରିମିତ ଜମିକୁ ଜଳସେଚନ ଯୋଗାଇ ପାରିବ ଓ ବାସ୍ତବରେ କେତେ ଅଞ୍ଚଳକୁ ଜଳ ଯୋଗାଇ ଦିଆଯାଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ଦେଖାଦେଇଛି । ପଶ୍ଚିମ ଓଡ଼ିଶାର ବହୁତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ କରୁନାହିଁ । ସେ ସବୁର କାର୍ଯ୍ୟକାରିତା ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗର ପୂର୍ବାନୁମାନ ସମ୍ପର୍କରେ ଚାଷୀମାନେ ଅବଗତ ହେଉଛନ୍ତି ନା ନାହିଁ । ଏହା ଦ୍ୱାରା କେତେ ଚାଷୀ ଉପକୃତ ହେଉଛନ୍ତି, ସେ ଦିଗରେ ଦୃଷ୍ଟିଦେବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି କୃଷି ବିଭାଗ, ଜଳସମ୍ପଦ ବିଭାଗ ଓ ସମବାୟ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ହିଁ ଚାଷ ଓ ଚାଷୀକୁଳର ଉନ୍ନତି ହୋଇପାରିବ ବୋଲି ସେ ମତପ୍ରକାଶ କରିଛନ୍ତି । କୃଷିବୀମା କ୍ଷେତ୍ରରେ ଫସଲହାନି ଯୋଗୁ ଚାଷୀମାନେ ସଠିକ୍‌ ଭାବେ କୃଷିବୀମା ଦ୍ୱାରା ସଠିକ ଭାବେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି । ସାର ଓ ବିହନସବୁ କିପରି ସୁବ୍ୟବସ୍ଥିତ ଭାବରେ ଚାଷୀମାନଙ୍କ ନିକଟରେ ପହଞ୍ଚାଯାଇ ପାରିବ ସେ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।

ଏବେ ରାଜ୍ୟର ୩୧୪ଟି ବ୍ଲକ୍‌ରେ ବୃଷ୍ଟି ମାପକ ଯନ୍ତ୍ର ରହିଥିବାବେଳେ ଆଗାମୀ ଦିନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏହି ବ୍ୟବସ୍ଥା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, କୃଷି ନିର୍ଦ୍ଦେଶକ ଓ ଭାରତୀୟ ପାଣିପାଗ କେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ ।