Home Assembly ରାଜ୍ୟରେ କମ୍‍ ଲୁହାପଥର ବ୍ୟବହାର

ରାଜ୍ୟରେ କମ୍‍ ଲୁହାପଥର ବ୍ୟବହାର

ଭୁବନେଶ୍ୱର ରାଜ୍ୟରେ ପ୍ରତିବର୍ଷ ଯେତିକି ଲୁହାପଥର ଉତ୍ତୋଳନ ହେଉଛି ତାହାର ଅଧାରୁ କମ୍‍ ରାଜ୍ୟ ଭିତରେ ଥିବା କଳକାରଖାନାରେ ବିନିଯୋଗ ହେଉଛି । ଗତ ୫ବର୍ଷରେ ରାଜ୍ୟରେ ଲୁହାପତରର ଉତ୍ତୋଳନ ଓ ଏହାର ବ୍ୟବହାର ନେଇ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ରଖିଥିବା ଉତ୍ତୋରରୁ ଏହା ଜଣାଯାଇଛି ।

ରାଜ୍ୟରୁ ଲୁହାପତର ଉତ୍ତୋଳନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ୫ଟି ଜିଲ୍ଲା ଯଥା ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରୁ ଲୁହାପଥର ଉତ୍ତୋଳନ ହେଉଥିବାବେଳେ ବର୍ଷକୁ ବର୍ଷ ଉତ୍ତୋଳନର ପରିମାଣ ବଢିବାରେ ଲାଗିଛି ।

୨୦୨୧-୨୨ ବର୍ଷରେ ଓଡିଶାରେ ୧୪କୋଟି ୭୩ଲକ୍ଷ ମେଟ୍ରିକ ଟନ୍‍ ଲୁହାପଥର ଉତ୍ତୋଳିତ ହୋଇଥିବାବେଳେ ଏଥିରୁ ୬କୋଯି ୬୫ଲକ୍ଷ ମେଟ୍ରିକ ଟନ୍‍ ଲୁହାପଥର ରାଜ୍ୟ ଭିତରେ ବ୍ୟବହୃତ ହୋଇଥିଲା । ରାଜ୍ୟ ବାହାରକୁ ୬କୋଟି ମେଟ୍ରିକ ଟନ୍‍ ଲୁହପଥର ଯାଇଥିବାବେଳେ ପାଖପାଖି ୧ କୋଟି ମେଟ୍ରିକ ଟନ୍‍ ଲୁହାପଥର ରପ୍ତାନି ହୋଇଥିଲା ।

୨୦୨୨-୨୩ ବର୍ଷରେ ରାଜ୍ୟରୁ ଲୁହାପଥର ଉତ୍ପାଦନ ପରିମାଣ ୧୫କୋଟି ୫୨ଲକ୍ଷ ମେଟ୍ରିକ ଟନ୍‍କୁ ଟପିଯାଇଥିଲା । ହେଲେ ଏହିବର୍ଷ ରାଜ୍ୟ ଭିତରେ ଏଥିରୁ ବ୍ୟବହାର ହୋଇଥିବା ଲୁହାପଥରର ପରିମାଣ ୭କୋଟି ମେଟ୍ରିକ ଟନ୍‍ରୁ କମ୍‍ ରହିଥିଲା । ଅନ୍ୟ ରାଜ୍ୟରେ ୬କୋଟି ମେଟ୍ରିକ ଟନ୍‍ରୁ କମ୍‍ ଲୁହାପଥର ବ୍ୟବହାର ହୋଇଥିବାବେଳେ ରପ୍ତାନି ପରିମାଣ ୬୪ଲକ୍ଷ ମେଟ୍ରିକ ଟନ୍‍ରୁ ସାମାନ୍ୟ ଅଧିକ ରହିଥିଲା । କରୋନାର ପ୍ରଭାବ ଯୋଗୁଁ ଏହିବର୍ଷ ରପ୍ତାନି ପରିମାଣ ହ୍ରାସ ପାଇଥିବା ଆକଳନ କରାଯାଉଛି ।

୨୦୨୪-୨୫ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ତୋଳନ ପରିମାଣ ୧୭ କୋଟି ୮୯ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ରହିଥିଲା । ଯଦିଓ ଏହିବର୍ଷ ରାଜ୍ୟ ଭିତରେ ବ୍ୟବହାର ହେଉଥିବା ଲୁହାପଥର ପରିମାଣ ବୃଦ୍ଧି ପାଇ ୮ କୋଟି ଟନ୍‍କୁ ଟପିଥିଲା, କିନ୍ତୁ ଏହା ମୋଟ ଉତ୍ପାଦନର ଅଧାରୁ କମ୍‍ ରହିଥିଲା । ଏହିବର୍ଷ ବିଦେଶକୁ ରପ୍ତାନି ହୋଇଥିବା ଲୁହାପଥର ପରିମାଣ ପ୍ରାୟ ୧କୋଟି ୮୦ଲକ୍ଷ ଟନ୍‍ ହୋଇଥିଲା ।

ଚଳିତ ଆର୍ଥିକ ବର୍ଷରେ ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟରେ ୧୫ କୋଟି ମେଟ୍ରିକ ଟନରୁ ଅଧିକ ଲୁହାପଥର ଉତ୍ତୋଳିତ ହୋଇଥିବାବେଳେ ରାଜ୍ୟ ଭିତରେ ବ୍ୟବହାରର ପରିମାଣ ୭କୋଟି ୫୧ଲକ୍ଷ ମେଟ୍ରିକ ଟନ୍‍କୁ ଟପିଯାଇଛି । ଅନ୍ୟ ରାଜ୍ୟକୁ ୬ କୋଟି ଟନ୍‍ ଲୁହାପଥର ଯାଇଥିବାବେଳେ ପାଖାପାଖି ଦେଢ କୋଟି ମେଟ୍ରିକ ଟନ୍‍ ଲୁହାପଥର ରପ୍ତାନି ହୋଇଛି ।

ମନ୍ତ୍ରୀଙ୍କ ଉତ୍ତରରେ ଦର୍ଶାଯାଇଛି ଯେ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ଲୁହାପଥର ଉତ୍ପାଦନ ହେଉଥିବାବେଳେ ଏହା ପଛକୁ ସୁନ୍ଦରଗଡ ଜିଲ୍ଲା ରହିଛି । ଏ କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲା ତୃତୀୟ ସ୍ଥାନରେ ଥିବାବେଳେ ଯାଜପୁରରେ କମ୍‍ ପରିମାଣର ଲୁହାପଥର ଉତ୍ତୋଳନ ହେଉଛି । (ତଥ୍ୟ)