ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ପାଖାପାଖି ଅଢେଇ ଲକ୍ଷ ଥିବାବେଳେ ଖୋରଧା ଜିଲ୍ଲାରେ ଏମାନଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ମହିଳା ଉଦ୍ୟୋଗୀମାନଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ଉଦ୍ୟୋଗ ପ୍ରତିଷ୍ଠାପାଇଁ ଏମାନେ ଆଗକୁ ଆସିବାରେ ଲାଗିଛନ୍ତି ।
ସୂଚନା ଅନୁଯାୟୀ ରାଜ୍ୟରେ ପଞ୍ଜିକୃତ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ୨,୪୩,୫୨୭ ରହିଛି । ଏମାନେ ବିଭିନ୍ନ ପ୍ରକାର ଉଦ୍ୟୋଗ ପରିଚାଳନା ଦାୟିତ୍ୱରେ ରହିଥିବାବେଳେ ଖୋରଧା ଜିଲ୍ଲାରେ ଏମାନଙ୍କ ସଂଖ୍ୟା ସର୍ବାଧିକ ୨୮,୬୭୦ ଥିବା ଜଣାଯାଇଛି । ସେହିଭଳି କଟକରେ ୨୦ହଜାରରୁ ଅଧିକ ମହିଳା ଉଦ୍ୟୋଗ ଥିବାବେଳେ ଗଞ୍ଜାମରେ ଏମାନଙ୍କ ସଂଖ୍ୟା ୧୯ହଜାରରୁ ଅଧିକ ରହିଛି । ପୁରୀ, ବଲାଙ୍ଗିର, ମୟୁରଭଞ୍ଜ ଭଳି ଜିଲ୍ଲାରେ ୧୦ହଜାରରୁ ଅଧିକ କରି ମହିଳା ଉଦ୍ୟୋଗୀ ରହିଛନ୍ତି । ସବୁଠାରୁ କମ୍ ୧୪୧୫ ମହିଳା ଉଦ୍ୟୋଗୀ ବୌଦ୍ଧ ଜିଲ୍ଲାରେ ଥିବାବେଳେ ମାଲକାନଗିରିରେ ଏହି ସଂଖ୍ୟା ୨୧୮୮ ରହିଛି ।
ମହିଳାମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗରେ ୫୨୯୭ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବାବେଳେ ଏମାନେ ୧୭ଲକ୍ଷ ୭୩ହଜାରରୁ ଅଧିକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି । ମହିଳାମାନଙ୍କୁ ଉଦ୍ୟୋଗ ଜରିଆରେ କର୍ମସଂସ୍ଥାନ ଦେବା କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ୨ଲକ୍ଷ ୯୦ହଜାରରୁ ଅଧିକ ମହିଳା କର୍ମସଂସ୍ଥାନ ପାଇଥିବାବେଳେ ଖୋରଧାରେ ପାଖପାଖି ୨ଲକ୍ଷ ମହିଳା କର୍ମସଂସ୍ଥାନ ପାଇଛନ୍ତି । ପୁରୀ, କଟକ ଓ ଗଞ୍ଜାମରେ ଏହି ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଛି ।
ତେବେ ମହିଳାମାନଙ୍କ ଦ୍ୱାରା ଚଳାଯାଉଥିବା ଉଦ୍ୟୋଗ ଅଧିକ ଦିନ ତିଷ୍ଠି ରହିବା ସହିତ ଏଥିରେ ମହିଳାମାନେ ଅଧିକ ସଂଖ୍ୟାରେ ରୋଜଗାର ପାଉଥିବାରୁ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଓଡିଶା ଏମଏସଏମଇ ବିକାଶ ନୀତି ୨୦୨୨ ଓ ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨ରେ ଅଧିକ ବ୍ୟାପକ ପ୍ରୋତ୍ସାହନ ମିଳୁଛି । ଏମଏସଏମଇ କ୍ଷେତ୍ରରେ ପ୍ଲାଣ୍ଟ ଏବଂ ଯନ୍ତ୍ରପାତିରେ ନିବେଶ ଉପରେ ୨କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଥିବାବେଳେ ମହିଳାମାନଙ୍କ ପାଇଁ ଏହା ଅଢେଇ କୋଟି ଟଙ୍କା ରହିଛି ।
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରାଜ୍ୟ ସରକାର ପ୍ରୋତ୍ସାହନରାଶିକୁ ଅଧିକ କରିଛନ୍ତି । ୫୦କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ନିବେଶ ଉପରେ ପ୍ଲାଣ୍ଟ ଓ ଯନ୍ତ୍ରପାତିର ୩୦ ପ୍ରତିଶତ ଏବଂ ସର୍ବାଧିକ ସାଢେ ୩କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ମହିଳାମାନଙ୍କ କ୍ଷେତ୍ରରେ ଏହି ରାଶି ୪କୋଟି ଟଙ୍କା ରହିଛି ।
ସେହିଭଳି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ନିଯୁକ୍ତ ସୃଜନ ଯୋଜନା (ପିଏମଇଜିପି) ରେ ମଧ୍ୟ ଗାଁ ଗହଳରେ ଉଦ୍ୟୋଗ ପ୍ରତିଷ୍ଠାପାଇଁ ମହିଳାମାନଙ୍କୁ ଅଗ୍ରାଧିକାର ମିଳୁଛି ଏବଂ ସେମାନଙ୍କ ପାଇଁ ସବସିଡ୍ ରାଶି ଅଧିକ ରହିଛି । ଏଥିପାଇଁ ଏବେ ରାଜ୍ୟର ମହିଳାମାନେ ଉଦ୍ୟୋଗ ପ୍ରତିଷ୍ଠାପାଇଁ ଆଗେଇ ଆସିବା ସହିତ ଅଧିକରୁ ଅଧିକ ସଂଖ୍ୟାରେ ମହିଳାଙ୍କୁ ରୋଜଗାର ଯୋଗାଇ ପାରୁଛନ୍ତି । (ତଥ୍ୟ)