Home Assembly ରାଜ୍ୟରେ ଅଛି ୪୭ଟି ଆଶ୍ରୟସ୍ଥଳ

ରାଜ୍ୟରେ ଅଛି ୪୭ଟି ଆଶ୍ରୟସ୍ଥଳ

ଭୁବନେଶ୍ୱର : ରାଜ୍ୟର ଥିବା ଆଶ୍ରୟସ୍ଥଳରେ ରହୁଥିବା ନିରାଶ୍ରୟମାନଙ୍କ ରହିବା ଓ ଖାଇବା ପାଇଁ ମାସକୁ ୫୦,୦୦୦ ଟଙ୍କା କରି ଯୋଗାଇ ଦିଆଯାଉଛି । ଏ ସଂକ୍ରାନ୍ତରେ ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟର ସହରାଞ୍ଚଳଗୁଡିକରେ ନିରାଶ୍ରୟ, ନିଃସହାୟ, ଭିକ୍ଷାବୃତ୍ତି ଏବଂ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ପାଇଁ ୪୭ଟି ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ ଅଛି । ଜାତୀୟ ସହରାଞ୍ଚଳ ଜୀବିକା ମିଶନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ୫୦ ଶଯ୍ୟା ବିଶିଷ୍ଟ ଆଶ୍ରୟସ୍ଥଳ ପାଇଁ ସେମାନଙ୍କର ଖାଇବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ମାସିକ ୫୦,୦୦୦ ଟଙ୍କା ହିସାବରେ ୫ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣା ବେକ୍ଷଣ ଖର୍ଚ୍ଚ ଯୋଗାଇ ଦିଆଯାଉଛି ।

ଦୁଇଟି ଆଶ୍ରୟସ୍ଥଳ ଯଦଇା ବରମୁଣ୍ଡା ସ୍ଥିତ ଆଶ୍ରୟସ୍ଥଳ ବାବାସାହେବ ଭୀମରାଓ ଆମ୍ବେଦନକର ବସ ଟର୍ମିନାଲ ସମ୍ପ୍ରସାରଣ ନିମନ୍ତେ ଓ ବାଦାମବାଡି ଆଶ୍ରୟସ୍ଥଳ କଟକ ନେତାଜୀ ବସ ଟର୍ମିନାଲ ନିମନ୍ତେ ଭଙ୍ଗାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱରରେ ସର୍ବାଧିକ ୭ଟି ଆଶ୍ରୟସ୍ଥଳୀ ଥିବାବେଳେ କଟକରେ ୪ଟି, ରାଉରକେଲାରେ ୪ଟି, ପୁରୀରେ ଦୁଇଟି, ସମ୍ବଲପୁରରେ ୪ଟି ଆଶ୍ରୟସ୍ଥଳ ରହିଛି । (ତଥ୍ୟ)