ଭୁବନେଶ୍ୱର : ରାଜ୍ୟରେ ୮୯ହଜାରରୁ ଅଧିକ ପଞ୍ଜିକୃତ ଏନ୍ଜିଓ ଥିବାବେଳେ ରାଜ୍ୟ ବାହାରର ୬ଟି ପଞ୍ଜିକୃତ ଏନ୍ଜିଓ ଓଡିଶାର ୪ଟି ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ସେମାନେ ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, ମହିଳା ସଶକ୍ତିକରଣ, କୃଷି ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୩୦ଟି ଜିଲ୍ଲାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ମୋଟ୍ ୮୯,୭୬୭ ଟି ଏନ୍ଜିଓ ପଞ୍ଜିକୃତ ହୋଇଛନ୍ତି । ଏମାନଙ୍କ ବ୍ୟତିତ ରାଜ୍ୟ ବାହାରର ୬ଟି ଏନ୍ଜିଓ ଓଡିଶାର ଚାରି ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ।
ନିୟମାବଳୀ ଅନୁଯାୟୀ ଓଡିଶାରେ ପଞ୍ଜିକରଣର ୫ବର୍ଷ ପୂର୍ଣ୍ଣ ହେବାର ଏକ ମାସ ପୂର୍ବରୁ ଏନ୍ଜିଓମାନେ ଅର୍ଥ ଦାଖଲ କରି ନବୀକରଣ ପାଇଁ ଆବେଦନ କରିପାରିବେ । ମାତ୍ର ଏହିସବୁ ନିୟମାବଳୀ ପରିସରରେ ରାଜ୍ୟ ବାହାରର ଏନଜିଓମାନେ ଅର୍ନ୍ତଭୁକ୍ତ ନୁହନ୍ତି । ରାଜ୍ୟ ବାହାରର ଯେଉଁ ଏନଜିଓମାନେ ଓଡିଶାରେ କାର୍ଯ୍ୟ କରୁଛନ୍ତି ବା କରିବେ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ବର୍ତ୍ତମାନ ସୁଦ୍ଧା ନିୟମାବଳୀ କରିବାପାଇଁ କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟ ବାହାରର ଏନ୍ଜିଓ ମଧ୍ୟରେ କୋରାପୁଟ ଜିଲ୍ଲାରେ ଦିଲ୍ଲୀର ପିରାମଲ ଫାଉଣ୍ଡେସନ ଓ ବିକ୍ରମ ଚିଲ୍ଲା ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ପଶ୍ଚିମବଙ୍ଗର ସିନି ପୁଷ୍ଟିସାଧନ କ୍ଷେତ୍ରରେ କାର୍ଯ୍ୟ କରୁଛି । ଝାରସୁଗୁଡାରେ କର୍ଣ୍ଣାଟକର ସ୍ପିରୁଲିନା ଫାଉଣ୍ଡେସନ ଅପପୁଷ୍ଟି ଉପରେ କାର୍ଯ୍ୟ କରୁଥିବାବେଳେ ଗଜପତିରେ ତେଲେଙ୍ଗାନାର ୱାସାନ ମିଲେଟ ମିଶନ ଏବଂ କଳାହାଣ୍ଡିରେ ନୂଆଦିଲ୍ଲୀର ଆଦିମ ଜାତି ସେବକ ସଂଘ ଶିଶୁ ସୁରକ୍ଷା, ଶିକ୍ଷା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଛି ।