ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବନଖଣ୍ଡରେ ମାତ୍ର ୩୦ଟି ମହାବଳ ରହିଛନ୍ତି । ୨୦୨୪ ରେ ହୋଇଥିବା ବାଘ ଗଣନାରୁ ଏହା ଜଣାପଡିଥିବା କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବାଘ ଗଣନାର ସୂଚନା ଅନୁଯାୟୀ ଶିମିଳିପାଳ ବ୍ୟାଘ୍ର ପ୍ରକଳପରେ ୨୭ଟି ମହାବଳ ଥିବାବେଳେ କେନ୍ଦୁଝର ଓ କେନ୍ଦୁଝର ବନପ୍ରାଣୀ ବନଖଣ୍ଡରେ ୧ଟି, ପାରଳାଖେମୁଣ୍ଡିରେ ୧ଟି ଏବଂ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ୧ଟି ମହାବଳ ରହିଛନ୍ତି । ଏହାଛଡା ଏହି ଗଣନା ସମୟରେ ଶିମିଳିପାଳରେ ୮ଟି ମହାବଳ ଶାବକ ଥିବା ଠାବ କରାଯାଇଥିଲା ।
ସେହିଭଳି ରାଜ୍ୟର ବନଖଣ୍ଡମାନଙ୍କରେ ୬୯୬ଟି କଲରାପତରିଆ ବାଘ ରହିଛନ୍ତି । ୨୦୧୮ ମସିହାରେ ଅନ୍ୟ ରାଜ୍ୟରୁ ଓଡିଶାରୁ ୨ଟି ମହାବଳ ଆସିଥିଲେ ଓ ସେମାନଙ୍କୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଛଡାଯାଇଥିଲା । ଅନ୍ୟ ରାଜ୍ୟରୁ ଆସିଥିବା ମହାବଳମାନଙ୍କ ମଧ୍ୟରୁ ଗୋଯିଏର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୋଟିଏ ମହାବଳ ବାଘକୁ ଆସିଥିବା ରାଜ୍ୟ ମଧ୍ୟପ୍ରଦେଶକୁ ଫେରାଇ ଦିଆଯାଇଥିଲା ।
ରାଜ୍ୟରେ ମହାବଳ ବାଘ ବଂଶବୃଦ୍ଧିପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଶିମିଳିପାଳ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଓ ଦେବ୍ରିଗଡ ଅଭୟାରଣ୍ୟକୁ ମହାବଳ ଅଣାଯିବାପାଇଁ ଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ତଡୋବା ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପରୁ ଦୁଇଗୋଟି ବାଘୁଣୀ ଶିମିଳିପାଳକୁ ଅଣାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।