ଭୁବନେଶ୍ୱର : ରାଜ୍ୟରେ ଥିବା ବ୍ୟାଙ୍କ୍ଗୁଡିକର ଜମା ସଂଗ୍ରହ ପରିମାଣ ବର୍ଷକୁ ବର୍ଷ ବଢିଚାଲିଛି । ହେଲେ ସଂଗ୍ରହ କରୁଥିବା ଜମାରାଶି ତୁଳନାରେ ବ୍ୟାଙ୍କ୍ଗୁଡିକ ଓଡିଶାରେ ଋଣ ପ୍ରଦାନ କରୁନାହାନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୨୧ ବର୍ଷରେ ବ୍ୟାଙ୍କ୍ମାନେ ଓଡିଶାରୁ ୩.୮୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୪ଲକ୍ଷ ୩୦ହଜାର କୋଟି ଟଙ୍କାକୁ ଟପିଯାଇଥିଲା । ୨୦୨୨-୨୩ ବର୍ଷରେ ଏହା ୪ଲକ୍ଷ ୬୦ହଜାର କୋଟି ଟଙ୍କାକୁ ଟପିଥିବାବେଳେ ୨୦୨୩-୨୪ ରେ ତାହା ୫ଲକ୍ଷ ୨୭ହଜାରକୁ ଅତିକ୍ରମ କରିଥିଲା । ୨୦୨୪-୨୫ରେ ଏହା ପାଖପାଖି ୬ଲକ୍ଷ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ୍ମାନେ ଓଡିଶାରୁ ୬,୧୬,୮୧୮ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିସାରିଲେଣି ।
ତେବେ ବ୍ୟାଙ୍କ୍ଗୁଡିକ ଯେଉଁ ହାରରେ ଓଡିଶା ବଜାରରୁ ପୁଞ୍ଜି ସଂଗ୍ରହ କରୁଛନ୍ତି ସେହି ଅନୁପାତରେ ପ୍ରାଥମିକତା କ୍ଷେତ୍ରକୁ ଋଣ ପ୍ରଦାନ କରୁନାହାଁନ୍ତି । ପ୍ରାଥମିକତା କ୍ଷେତ୍ରରେ ସବୁଠାରୁ ଆଗରେ କୃଷି ଥିବାବେଳେ ଏହା ସହିତ ଏମଏସଏମଇ, ଶିକ୍ଷା ସମେତ ଆଉ କିଛି ଅଗ୍ରାଧିକାର କ୍ଷେତ୍ର ରହିଛି ।
୨୦୨୦-୨୧ ବର୍ଷରେ ବ୍ୟାଙ୍କ୍ଗୁଡିକ ଏହିସବୁ ପ୍ରାଥମିକତା କ୍ଷେତ୍ରକୁ ପାଖାପାଖି ୮୦ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ । ସେଥି ମଧ୍ୟରୁ ସର୍ବାଧିକ ୩୮,୮୯୧ କୋଟି ଟଙ୍କା ଏମଏସଏମଇ କ୍ଷେତ୍ରକୁ ଦିଆଯାଇଥିବାବେଳେ ଦ୍ୱିତୀୟ ସ୍ଥାନରେ କୃଷି କ୍ଷେତ୍ର ରହିଥିଲା । ୨୦୨୧-୨୨ ବର୍ଷରେ ବ୍ୟାଙ୍କ୍ମାନେ ଏହିସବୁ କ୍ଷେତ୍ରକୁ ୧ଲକ୍ଷ କୋଟିରୁ ସାମାନ୍ୟ ଅଧିକ ଟଙ୍କାର ଋଣ ପ୍ରଦାନ କରାଯାଇଥିବାବେଳେ ସର୍ବାଧିକ ଅର୍ଥ କୃଷି କ୍ଷେତ୍ରକୁ ଯାଇଥିଲା ।
୨୦୨୨-୨୩ ବର୍ଷରେ ବ୍ୟାଙ୍କ୍ମାନେ ଓଡିଶାରେ ୧,୩୫,୭୨୦ କୋଟି ଟଙ୍କାର ଋଣ ଦେଇଥିବାବେଳେ ଏମଏସଏମଇ କ୍ଷେତ୍ରକୁ ସର୍ବାଧିକ ୬୨ହଜାର କୋଟି ଟଙ୍କାର ଋଣ ଦିଆଯାଇଥିଲା । କୃଷି କ୍ଷେତ୍ରକୁ ଏହିବର୍ଷ ବ୍ୟାଙ୍କ୍ମାନେ ୫୪ହଜାର କୋଟିରୁ ଅଧିକ ଋଣ ପ୍ରଦାନ କରିଥିଲେ । ୨୦୨୩-୨୪ ବର୍ଷରେ ବ୍ୟାଙ୍କ୍ମାନେ ୧ଲକ୍ଷ ୬୫ହଜାର କୋଟି ଟଙ୍କାର ଋଣ ଦେଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ପ୍ରାୟ ୧ଲକ୍ଷ ୯୫ହଜାର କୋଟି ଟଙ୍କା ରହିଥିଲା ।
ଏହି ସମୟ ମଧ୍ୟରେ ଋଣ ଗ୍ରହଣ କ୍ଷେତ୍ରରେ ତିନିବର୍ଷ ଧରି ଲଗାତାର ଭାବେ ଏମଏସଏମଇ କ୍ଷେତ୍ର କୃଷିକୁ ପଛରେ ପକାଇ ଦେଇଥିବାବେଳେ ଶିକ୍ଷା କ୍ଷେତ୍ରକୁ ଋଣ ପରିମାଣ ହଜାରେ କୋଟି ଟଙ୍କା ଅତିକ୍ରମ କରିପାରୁ ନାହିଁ । ସେହିଭଳି ଲକ୍ଷ୍ୟ କରାଯାଇଛି ଯେ ବ୍ୟାଙ୍କ୍ମାନେ ରାଜ୍ୟ ଭିତରୁ ଯେଉଁ ପରିମାଣରେ ଜମା ସଂଗ୍ରହ କରୁଛନ୍ତି ତାହାର ଏକ ତୃତୀୟାଂଶ ବି ପ୍ରାଥମିକତା କ୍ଷେତ୍ରକୁ ପ୍ରଦାନ କରୁନାହାନ୍ତି ।
ତେବେ କୃଷି କ୍ଷେତ୍ରକୁ ସାଧାରଣତଃ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କ୍ ତୁଳନାରେ ସମବାୟ ବ୍ୟାଙ୍କ୍ଗୁଡିକ ଅଧିକ ଋଣ ଯୋଗାଇ ଦେଉଛନ୍ତି । କିନ୍ତୁ ସରକାରୀ ପାଣ୍ଠିକୁ ନିଜ ନିଜ ବ୍ୟାଙ୍କ୍ରେ ଜମା ରଖିବା କ୍ଷେତ୍ରରେ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କ୍ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଲାଗି ରହୁଛି । ସରକାରୀ ଅର୍ଥର ସିଂହଭାଗ ଏହି ଦୁଇ କିସମର ବ୍ୟାଙ୍କ୍ ହାତେଇ ନେଉଥିବାବେଳେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ସମବାୟ ବ୍ୟାଙ୍କ୍ ଭାଗରେ ପ୍ରାୟତଃ କିଛି ପଡୁନାହିଁ କହିଲେ ଚଳେ । ସରକାରୀ ଅର୍ଥ ଜମା କରିବା ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଥିବା ନେଇ ସମବାୟବିତ୍ମାନେ ମତପୋଷଣ କରୁଛନ୍ତି । (ତଥ୍ୟ)

