ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଏବଂ ଦଳୀୟ ନେତା ରାଜ୍ୟପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି । ସେହିପରି ଆବାସ ଯୋଜନାର ବଂଟନ କାର୍ଯ୍ୟକ୍ରମ ଆରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହାର ଶୁଭାରମ୍ଭ କରିବା ପାଇଁ ଓଡ଼ିଶା ସରକାର ନିମନ୍ତ୍ରଣ କରନ୍ତୁ ବୋଲି ଶ୍ରୀ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ଓଡ଼ିଶାର ଆଶା ଆକାଂକ୍ଷାକୁ ପ୍ରାଥମିକତା ଦେବା ଭିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ମୋଟ ୨୮ ଲକ୍ଷ ଘର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ପୂର୍ବରୁ ୨୦୧୮ରେ ଆବାସ ପ୍ଲସ ୱେବସାଇଟରେ ୪ ଥର ସମୟ ସୀମା ବୃଦ୍ଧି ପରେ ବି ହିତାଧିକାରୀଙ୍କ ତାଲିକା ଦେବାରେ ରାଜ୍ୟ ସରକକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ବାତ୍ୟା ଫନୀ କାରଣରୁ ଆବାସ ପ୍ଲାସ ପ୍ଲାଟଫର୍ମରେ ଓଡ଼ିଶାକୁ ଦୁଇଟି ସ୍ପେଶାଲ ୱିଣ୍ଡୋରେ ଅଧିକ ଯୋଗ୍ୟ ପରିବାର ବର୍ଗଙ୍କୁ ସାମିଲ କରିବା ପାଇଁ ଅନୁମତି ଦିଆଯିବା ପରେ ମଧ୍ୟ ରାଜ୍ୟ ସରକାର ହିତାଧିକାରୀଙ୍କୁ ସାମିଲ କରିପାରି ନଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ହସ୍ତକ୍ଷେପ ଓ କେନ୍ଦ୍ର ଗ୍ରାମୀଣ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କ କାରଣରୁ ପୁଣି ଥରେ ଆବାସ ପ୍ଲସ ପୋର୍ଟାଲ ଖୋଲିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତମାନ ଥିବା ୧୮ ଲକ୍ଷ ହିତାଧିକାରୀରୁ ୧୨ ଲକ୍ଷ ହିତାଧିକାରୀଙ୍କ ଘର ଆବଂଟନ, କାର୍ଯ୍ୟାଦେଶ ଓ ବ୍ୟାଙ୍କ ପେମେଂଟ ଆଦିରେ ଅନିୟମିତତା ପରିଲକ୍ଷିତ ହୋଇଛି । ରାଜ୍ୟରେ ଏହି ଅନିୟମିତତା ଯୋଗୁ ପାଖାପାଖି ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି ।
ବର୍ତମାନ ଆବାସ ପ୍ଲସ ପୋର୍ଟାଲରେ ଓଡ଼ିଶାକୁ ୯.୫୯ ଲକ୍ଷ ଅର୍ଥାତ୍ ପ୍ରାୟ ୧୦ ଲକ୍ଷ ଘର ଆବଂଟନ ପାଇଁ ଲକ୍ଷ୍ୟ ଦିଆଯାଇଛି । ଏହି ୧୦ ଲକ୍ଷ ଘର ସଠିକ୍ ଯୋଗ୍ୟ ହିତାଧିକାରୀଙ୍କୁ ବଂଟନ କରାଯାଉ । ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନିଅନ୍ତୁ । ଜିଲ୍ଲା ଓ ବ୍ଲକ ସ୍ତରରେ ଘର ଦେଇ ଗରିବ ତଥା ସାଧାରଣ ଜନତାଙ୍କ ଦାୟିତ୍ୱ ନିଅନ୍ତୁ । ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବା ଭିତିରେ ଘର ବଂଟନ କରାଯାଉ । ଯଦି ଯୋଗ୍ୟ ଲୋକଙ୍କୁ ଘର ନ ମିଳିବ, ଓଡ଼ିଶାର ଗରୀବ ଜନସାଧାରଣଙ୍କ ବହୁ ଦିନର ପକ୍କା ଘରର ସ୍ୱପ୍ନ ଧୂଳିସାତ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି ।
୨୦୧୯ରେ ଆବାସର ପରମାନେଟ୍ ୱେଟିଂ ଲିଷ୍ଟରେ ଥିବା ବହୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସଦ୍ୟ ପ୍ରକାଶିତ ସମ୍ଭାବ୍ୟ ତାଲିକାରେ ସ୍ଥାନ ମିଳିନାହିଁ । ବିଭିନ୍ନ ଜିଲ୍ଲାରୁ ମିଳୁଥିବା ଖବର ଅନୁସାରେ ଦଳୀୟ ଆଧାରରେ ବହୁ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଦୀର୍ଘ ୨ ବର୍ଷ ହେବ ନିଜ ହକର ଘର ପାଇବା ପାଇଁ ଅପେକ୍ଷା କରିଥିଲେ, ଓଡ଼ିଶା ସରକାର ଚଂଚକତାର ସହିତ ସେମାନଙ୍କୁ ବାଦ୍ ଦେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
ରାଜ୍ୟପାଳଙ୍କୁ ବିଜେପି ପ୍ରତିନିଧି ମଣ୍ଡଳୀ ଦେଇଥିବା ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ଗରିବଙ୍କୁ ସମ୍ମାନର ସହ ଘର ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅନ୍ତର୍ଗତ ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ୧ ଲକ୍ଷ ୪୨ ହଜାର ଘର ସହ ଅତିରିକ୍ତ ୯.୫୯ ଲକ୍ଷ ଘର ଆବଂଟନ ହୋଇଛି । ଆବାସ ଯୋଜନା ସମ୍ପ୍ରସାରଣ ଫଳରେ ଓଡ଼ିଶାକୁ ଘର ପ୍ରଦାନର ସଂଖ୍ୟା ସର୍ବମୋଟ ୨୮ ଲକ୍ଷରେ ପହଁଚିଛି । ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱଚ୍ଛତା ଓ ପାରଦର୍ଶିତାରେ ହିତାଧିକାରୀଙ୍କୁ ଚିହ୍ନଟ କରିବା, ପ୍ରକାଶିତ ସମ୍ଭାବ୍ୟ ତାଲିକା ଜନସାଧାରଣଙ୍କ ସର୍ବସମ୍ମୁଖରେ ତଦାରଖ କରିବା ନେଇ ଏକ ଏକ ବିସ୍ତୁତ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି ।
ଚୟନ ହୋଇଥିବା ହିତାଧିକାରୀଙ୍କୁ ଗ୍ରାମସଭାରେ ସଠିକ୍ ବୋଲି ବିବେଚିତ କରିବା, ଜିଓ ଟ୍ୟାଙ୍ଗିଂ, ହିତାଧିକାରୀଙ୍କୁ ଆଧାର ଏବଂ ବ୍ୟାଙ୍କ୍ ଆକାଉଂଟ ସହ ଯୋଡିବା ଭଳି ପଦକ୍ଷେପ ନିଆଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ବଂଟନରେ ବ୍ୟାପକ ଅନିୟମିତତା ଓ ପ୍ରିୟାପ୍ରୀତିତୋଷଣ ଯୋଗୁଁ ଏହି ଯୋଜନା ବାଟମାରଣା ହେଉଛି । ଏହି କାରଣରୁ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ସେ ଦିଗରେ ହିତାଧିକାରୀ ଚୟନରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଆବଶ୍ୟକୀୟ ତଦାରଖ କରିବେ ଏବଂ ନିରପେକ୍ଷତା ଏବଂ ସ୍ୱଚ୍ଛତା ବଜାୟ ରଖିବେ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀ ମାଝୀ କହିଛନ୍ତି ।
ପତ୍ରରେ ଉଲ୍ଲେଖ କରିଛି ଯେ ଆବଂଟିତ ଘର ପାଇବା ପାଇଁ ପ୍ରକାଶିତ ସମ୍ଭାବ୍ୟ ତାଲିକାକୁ ତଦାରଖ କରିବା ପାଇଁ ସାର୍ବଜନୀନ କରାଯାଇଛି । ମାତ୍ର ୨୦୧୯ର ଆବାସ ପ୍ଲସ ସର୍ଭେରେ ପରମାନେଟ୍ ୱେଟିଂ ଲିଷ୍ଟରେ ଥିବା ପରିବାର ସମ୍ଭାବ୍ୟ ତାଲିକାରୁ ବାଦ ପଡିଥିବା ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ହେଉଛି । ଦଳୀୟ ଆଧାରରେ ସମର୍ଥନ କରୁଥିବା ପରିବାର ଗୁଡିକ ହିଁ ୨୦୨୩ର ସମ୍ଭାବ୍ୟ ଆବାସ ଘର ପାଇବା ତାଲିକାରେ ସ୍ଥାନ ପାଇଛନ୍ତି । ଫଳସ୍ୱରୂପ ରାଜ୍ୟ ସରକାରଙ୍କ ବ୍ୟାପକ ଅନିୟମିତତା ଯୋଗୁଁ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ଘର ପାଇଁ ଅପେକ୍ଷା କରିଥିବା ପରିବାରଙ୍କ ସ୍ୱପ୍ନ ଧୂଳିସାତ୍ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଓଡ଼ିଶା ସରକାରଙ୍କ ପଂଚାୟତରାଜ ଏବଂ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରକାଶିତ ନିୟମାବଳୀରୁ ଜଣାପଡୁଛି ଯେ ଓଡ଼ିଶା ସରକାର ସ୍ୱଚ୍ଛତା ଓ ପାରଦର୍ଶିତା ରଖିବାର ନିଜ ଦାୟିତ୍ୱକୁ ଅନ୍ୟ କାହାକୁ ହସ୍ତାନ୍ତର କରିଦେଇଛନ୍ତି । ଜିଲ୍ଲା, ବ୍ଲକ, ଗ୍ରାମ ପଂଚାୟତର ଅଧିକାରୀଙ୍କ ହସ୍ତକ୍ଷେପ ବିନା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ତଥା ସମ୍ଭାବ୍ୟ ତାଲିକାର ମାନ୍ୟତା ମଧ୍ୟ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଜନସାଧାରଣଙ୍କ ଦ୍ୱାରା ଅଭିଯୋଗର ପ୍ରକ୍ରିୟାକୁ ବିନା କୌଣସି ବ୍ୟବସ୍ଥିତ ତଦାରଖରେ ସ୍ଥାନୀୟ ନେତା, ରାଜନୈତିକ ବ୍ୟକ୍ତିବିଶେଷ ହଡପ କରିବାର ସମ୍ଭାବନା ରହିଛି । ଗ୍ରାମୀଣ ଓଡ଼ିଶାରେ ଅଭିଯୋଗ ଦାଖଲ କରିବା ପାଇଁ ଲୋକଙ୍କୁ ନିଜର ଫୋନ ନମ୍ବର ଦେବା ସହ ଜନସାଧାରଣଙ୍କ ସମ୍ମୁଖରେ ନିଜ ପରିଚୟ ଦେବାକୁ ପଡୁଛି, ଯାହା ଦ୍ୱାରା ସେମାନେ ଅଭିଯୋଗ କରିପାରୁନାହାନ୍ତି । ଏହା ହେବା ଦ୍ୱାରା ପ୍ରଭାବଶାଳୀ ବ୍ୟକ୍ତି ଅଭିଯୋଗକାରୀଙ୍କ ଜୀବନକୁ ବିପଦରେ ପକାଇ ପାରନ୍ତି । ଏହାବ୍ୟତିତ ହିତାଧିକାରୀଙ୍କ ଚିହ୍ନଟ ଅସ୍ୱୀକୃତି କରିବା ବର୍ଗ ବିଷୟରେ ଜନସାଧାରଣମାନେ ଜାଣିନାହାନ୍ତି । ସାଧାରଣ ଲୋକ ଅନେକ କାରଣବଶତଃ ସରକାରୀ ଅଧିକାରୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରିପାରନ୍ତି ନାହିଁ । ଏହି ସବୁ କାରଣ ଯୋଗୁଁ ଲୋକଙ୍କ ଦ୍ୱାରା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିବ ବୋଲି ପତ୍ରରେ ଉଲ୍ଲେଖ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।