Home Finance ରାଜସ୍ୱ ବକେୟା ୨୩ ହଜାର କୋଟିରୁ ଅଧିକ

ରାଜସ୍ୱ ବକେୟା ୨୩ ହଜାର କୋଟିରୁ ଅଧିକ

ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବିଭିନ୍ନ ସଂସ୍ଥା ବିରୋଧରେ ବ୍ୟବସାୟିକ ସଂସ୍ଥାଗୁଡିକର ୨୩,୩୦୭.୯୩ କୋଟି ଟଙ୍କାର ଟିକସ ରାଜସ୍ୱ ବକେୟା ରହିଛି । ସରକାରୀ ତଥ୍ୟ ଅନୁଯାୟୀ ମୋଟ ୨୩,୩୦୭.୯୩ କୋଟି ଟଙ୍କାର ବକେୟା ରାଜସ୍ୱ ମଧ୍ୟରୁ ୬୯୧୯ କୋଟି ଟଙ୍କା ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲା ଯୋଗୁଁ ଅଟକି ରହିଛି ।

୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୪୨୪୧.୨ କୋଟି ଟଙ୍କାର ବାଣିଜ୍ୟିକ ଟିକସ, ୧୭.୩୩ କୋଟି ଟଙ୍କାର ମୋଟର ଯାନ ଟିକସ, ୧୮୫୯.୧୪ କୋଟି ଟଙ୍କାର ଖଣି ରାଜସ୍ୱ ଏବଂ ୮୦୧.୩୩ କୋଟି ଟଙ୍କାର ବିଦ୍ୟୁତ ବକେୟା ଅଦାଲତରେ ଅଟକି ରହିଛି ।

ଗତ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦାୟ ୧୨,୨୫୬.୯୦ କୋଟି ଟଙ୍କାର ନିଜସ୍ୱ ଟିକସ ରାଜସ୍ୱ ଏବଂ ୧୧,୦୫୧.୦୩ କୋଟି ଟଙ୍କାର ଅଣଟିକସ ରାଜସ୍ୱ ଆଦାୟ ହୋଇପାରିନାହିଁ । ବାଣିଜ୍ୟିକ ଟିକସ ବାବଦରେ ବକେୟା ଥିବା ରାଜସ୍ୱ ମଧ୍ୟରୁ ସର୍ବାଧିକ ୧୦,୩୦୨.୬୪ କୋଟି ଟଙ୍କା, ବିଦ୍ୟୁତ ଶୁଳ୍କ ୧୨୧୦.୧୫ କୋଟି ଟଙ୍କା, ମୋଟରଯାନ ଟିକସ ୪୦୦.୮୬ କୋଟି ଟଙ୍କା, ଅବକାରୀ ଟିକସ ୩୨.୯୬ କୋଟି ଟଙ୍କା ଏବଂ ଜମିଜମା ରାଜସ୍ୱ ବାବଦରେ ୩୧୦.୨୯ କୋଟି ଟଙ୍କା ରହିଛି ।

ସେହିପରି ୧୮୮୮.୭୦ କୋଟି ଟଙ୍କାର ଖଣି ରାଜସ୍ୱ, ୯୧୪୦.୬୭ କୋଟି ଟଙ୍କାର ଜଳ କର (ଶିଳ୍ପ) ଏବଂ ୨୧.୬୭ କୋଟି ଟଙ୍କାର ଜଳ କର (ଜଳସେଚନ) ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଗଡୁଛି । ଗତ ୪ଟି ଆର୍ଥିକ ବର୍ଷରେ ରାଜ୍ୟ ୫୦,୧୭୫ କୋଟିରୁ ଅଧିକ ରାଜସ୍ୱ ଆଦାୟ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ୧୦୭୩୧.୪୪ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୨୧୮୯୮.୫୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୧୬୧୩୦.୮୪ କୋଟି ଟଙ୍କା ଓ ଗତ ଆର୍ଥିକ ବର୍ଷରେ ୧୪୧୪.୩୩ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି ।

୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବକେୟା ରାଜସ୍ୱ ପରିମାଣ ୨୨,୫୩୫.୯୦ କୋଟି ଟଙ୍କା ଥିବା ବେଳେ ୨୦୨୧-୨୨ରେ ଏହା ୨୩,୯୩୮.୫୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ୨୨,୨୬୨.୯୨ କୋଟି ଟଙ୍କାର ରାଜସ୍ୱ ବକେୟା ଥିବା ବେଳେ ୨୦୨୪ ମାର୍ଚ୍ଚ ସୁଦ୍ଧା ଏହା ପୁଣି ୨୩୩୦୭.୯୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ବକେୟା ରାଜସ୍ୱକୁ ଉପଲବ୍ଧି କରିବା ପାଇଁ ରାଜ୍ୟ ସରକାର ପାରସ୍ପରିକ ଆଲୋଚନା ମାଧ୍ୟମରେ ଅଦାଲତ ବାହାରେ ଏକକାଳୀନ ସମାଧାନ (ଓଟିଏସ୍‌) ଏବଂ ପାରସ୍ପରିକ ଆଲୋଚନା ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରୀୟ ରାଷ୍ଟ୍ରାୟତତ୍ତ ଉଦ୍ୟୋଗମାନଙ୍କଠାରୁ ବକେୟା ଆଦାୟ ପାଇଁ ରାଜ୍ୟ ବିବାଦ ସମାଧାନ କମିଟି ଗଠନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ନିୟମିତ ବ୍ୟବଧାନରେ ରାଜସ୍ୱ ଆଦାୟର ସମୀକ୍ଷା ବୈଠକ କରି ସଂପୃକ୍ତ ବିଭାଗକୁ ପରାମର୍ଶ ଦେଉଛନ୍ତି । ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ବାଣିଜ୍ୟିକ ଟିକସ ଆଦାୟ ପାଇଁ ସରକାର ଠିକ୍ ସମୟରେ ସତ୍ୟପାଠ ଦାଖଲ କରି ମାମଲାଗୁଡ଼ିକର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । (ତଥ୍ୟ)