ଭୁବନେଶ୍ୱର : ଫଏସଲା ନ ହୋଇ ୭ଲକ୍ଷରୁ ଊର୍ଦ୍ଧ୍ୱ ରାଜସ୍ୱ ମାମଲା ବିଭିନ୍ନ ପାହ୍ୟାର ରାଜସ୍ୱ ଅଧିକାରୀମାନଙ୍କ ନିକଟରେ ପଡି ରହିଛି । ଜମିଜମା ସଂକ୍ରାନ୍ତୀୟ ମାମଲାଗୁଡିକର ତ୍ୱରିତ ଫଏସଲା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ସତ୍ତ୍ୱେ କ୍ଷେତ୍ର ସ୍ତରର ରାଜସ୍ୱ ଦପ୍ତରଗୁଡିକରେ କିନ୍ତୁ ରାଜସ୍ୱ ମାମଲା ସଂଖ୍ୟା ଢ଼େର ଅଧିକ ରହୁଛି ।
ଜମିଜମା କିଣାବିକା ବେଳେ ଦାଖଲ ଖାରଜ ବା ମ୍ୟୁଟେସନ ପାଇଁ ସ୍ୱତନ୍ତ୍ର ଫି’ ନିଆଯାଇଥାଏ । ମୋଟାମୋଟି ଭାବେ ମ୍ୟୁଟେସନ ପାଇଁ ଖରିଦଦାର ସ୍ୱତନ୍ତ୍ର ମାମଲା ରୁଜୁ କରିବା କଥା ନୁହେଁ । କିନ୍ତୁ ସଂଖ୍ୟାଧିକ କ୍ଷେତ୍ରରେ ଛାଏଁ ଛାଏଁ ଦାଖଲ ଖାରଜ ମାମଲା ଛିଣ୍ଡୁ ନଥିବାରୁ ଜମି କିଣିବା ପରେ ଲୋକେ ପୁଣି ତହସିଲ ଅଫିସ୍ ଆସି ଏଭଳି ମାମଲା ରୁଜୁକରି ବର୍ଷ ବର୍ଷ ଧରି ଦୌଡୁଛନ୍ତି । ଗତ ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଅଢ଼େଇ ଲକ୍ଷରୁ ଅଧିକ ଦାଖଲ ଖାରଜ ମାମଲା ବିଭିନ୍ନ ତହସିଲରେ ପଡି ରହିଥିଲା ।
ସେହିଭଳି ଚକବନ୍ଦୀ ଓ ବନ୍ଦୋବସ୍ତ ଦପ୍ତରଗୁଡିକରେ ପାଖାପାଖି ୧ଲକ୍ଷ ୪୦ ହଜାର ରିଭିଜନ ମାମଲା ମଧ୍ୟ ନିଷ୍ପତ୍ତି ପ୍ରତୀକ୍ଷାରେ ଝୁଲି ରହିଛି । ସରକାରୀ ତଥ୍ୟ ମୁତାବକ ପ୍ରାୟ ୪୭ ହଜାର ଓଏଲଆର ମାମଲା ରାଜସ୍ୱ ଦପ୍ତରଗୁଡିକରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ପାଖାପାଖି ୨ଲକ୍ଷ ଓପିଏଲି ଓ ୫୦ ହଜାର ଓଜିଏଲଏସ ମାମଲା ମଧ୍ୟ ରହିଛି ।
ଏହାଛଡା ବେବନ୍ଦୋବସ୍ତ, ବସୁନ୍ଧରା, ଗ୍ରାମକଣ୍ଠ ପରମବୋକ, ସୈରାତ୍, ଦାଖଲ ଖାରଜ ଅପିଲ୍, ଲଘୁଖଣିଜ, ବ୍ୟାପାର, ଜବରଦଖଲ ଆଦି ବିଭିନ୍ନ କସମର ମାମଲା ମଧ୍ୟ ରାଜସ୍ୱ ବିଭାଗର କ୍ଷେତ୍ର ଦପ୍ତରଗୁଡିକରେ ଫଏସଲା ପ୍ରତୀକ୍ଷାରେ ରହିଛି ।
ବିଶେଷକରି ଜମି କିଣାବିକା ପରେ ତ୍ୱରିତ ମ୍ୟୁଟେସନ ମାଧ୍ୟମରେ ଖରିଦଦାରଙ୍କୁ ପଟ୍ଟା ଦେବା ବ୍ୟବସ୍ଥା ଥିଲେ ମଧ୍ୟ ଏଥିରେ ଅହେତୁକ ବିଳମ୍ବ ଘଟୁଥିବା କାରଣରୁ ସ୍ଥଳବିଶେଷରେ ବିକ୍ରେତା ଗୋଟିଏ ଗୋଟିଏ ଜମିକୁ ଏକାଧିକବାର ବିଭିନ୍ନ ଲୋକଙ୍କୁ ବିକ୍ରି କରିଦେଉଥିବା ଯୋଗୁଁ ଅଯଥାରେ ମାମଲା ବୋଝ ବଢ଼ୁଛି । ଏ ପରିପ୍ରେକ୍ଷୀରେ ତହସିଲ ସହିତ ସବରେଜିଷ୍ଟ୍ରାର ଅଫିସକୁ ମିଶାଇ ଦେବା ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସୁଛି ।
ଜମିଜମା ବିକ୍ରି ଲାଗି ସବରେଜିଷ୍ଟ୍ରାର ଅଫିସରେ ପଞ୍ଜୀକରଣ ବେଳେ ସଂପୃକ୍ତ ପକ୍ଷଙ୍କୁ ସରକାରୀ ଫି’ ଦାଖଲ କରିବାକୁ ପଡିଥାଏ । ଏଥିସହିତ କବଲାର ଅନ୍ୟ ଏକ ପ୍ରତିଲିପି ମଧ୍ୟ ଦିଆଯାଇଥାଏ । ମୂଳ କବଲା ସହ ପ୍ରତିଲିପିକୁ ମିଳାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କ୍ରେତାଙ୍କୁ ଦଲିଲ ହସ୍ତାନ୍ତର କରାଯିବା କଥା । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଦଲିଲ ହସ୍ତାନ୍ତର ପାଇଁ ଅଯଥାରେ କ୍ରେତାଙ୍କୁ ବାରମ୍ବାର ଦପ୍ତର ଦୌଡିବାକୁ ପଡୁଥିବା ଘେନି ଲୋକ ପ୍ରତିନିଧିମାନେ ମଧ୍ୟ ଆପତ୍ତି ଉଠାଉଛନ୍ତି ।
ରେଜିଷ୍ଟ୍ରେସନ ବ୍ୟବସ୍ଥାକୁ ସ୍ୱଚ୍ଛ କରାଯିବା ସହିତ ସରକାରୀ ସେବା ନିୟମ ଅନୁଯାୟୀ କିଣାବିକା ହେଉଥିବା ଜମିର ତୁରନ୍ତ ଦାଖଲ ଖାରଜ କରି ପଟ୍ଟା ଦେବା ବ୍ୟବସ୍ଥା ହୋଇପାରିଲେ ରାଜସ୍ୱ ଦପ୍ତରଗୁଡିକରେ ଜମିଜମା ମାମଲା ସଂଖ୍ୟା ଅଧା କମିଯିବ ବୋଲି ଆଶା କରାଯାଉଛି । ଏଭଳି ହୋଇପାରିଲେ ଜମି ବିକ୍ରିରେ ହେଉଥିବା ଜାଲିଆତି ମଧ୍ୟ ରୋକାଯାଇ ପାରିବ ଏବଂ ସରକାରୀ କଳର ବ୍ୟାପକ ସମୟ, ଶକ୍ତି ଓ ସମ୍ବଳ ମଧ୍ୟ ନଷ୍ଟ ହେବ ନାହିଁ ବୋଲି ଅବସରପ୍ରାପ୍ତ ଅଭିଜ୍ଞ ରାଜସ୍ୱ ଅଧିକାରୀମାନେ ମତବ୍ୟକ୍ତ କରୁଛନ୍ତି ।