Home Finance ରାଜସ୍ୱ ଆଦାୟ ଉତ୍ସାହଜନକ ନୁହେଁ

ରାଜସ୍ୱ ଆଦାୟ ଉତ୍ସାହଜନକ ନୁହେଁ

ଭୁବନେଶ୍ୱର : ରାଜସ୍ୱ ଆଦାୟ ରାଜ୍ୟରେ ଚଳିତବର୍ଷ ମଇ ମାସ ଏତେଟା ଉତ୍ସାହଜନକ ନୁହେଁ । ଗତବର୍ଷ ମଇ ମାସ ତୁଳନାରେ ଚଳି ମଇମାସରେ କମ୍‍ ରାଜସ୍ୱ ଆଦାୟ ହୋଇଛି । ନିଜସ୍ୱ ଟିକସ, ନିଜସ୍ୱ ଅଣଟିକସ ସବୁ କ୍ଷେତ୍ରରେ କମ୍‍ ଟିକସ ଆଦାୟ ହୋଇଥିବା ଜଣାଯାଇଛି ।

ଚଳିତବର୍ଷ ମଇ ମାସରେ ରାଜ୍ୟ ସରକାର ୪୩୬୮ କୋଟି ଟଙ୍କାର ନିଜସ୍ୱ ଟିକସ ଆଦାୟ କରିଛନ୍ତି । ଏହା ଗତବର୍ଷର ମଇ ମାସ ତୁଳନାରେ ୦.୫୭ ପ୍ରତିଶତ କମ୍‍ ରହିଛି । ଗତବର୍ଷ ମଇମାସରେ ସରକାରଙ୍କ ହାତକୁ ନିଜସ୍ୱ ଟିକସ ବାବଦରେ ୪୩୯୪ କୋଟି ଟଙ୍କା ଆସିଥିଲା । ସେହିଭଳି ଅଣଟିକସ ରାଜସ୍ୱ ଆଦାୟ କ୍ଷେତ୍ରରେ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଚଳିତବର୍ଷ ମଇ ମାସରେ ଏହି ଟିକସ ବାବଦରେ ୪୬୭୮ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଗତବର୍ଷ ମଇ ମାସରେ ୪୭୭୮ କୋଟି ଟଙ୍କା ଆଦାୟ ହୋଇଥିଲା । ରାଜ୍ୟର ଜିଏସ୍‍ଟି ଆଦାୟ ବା ଏସଜିଏସ୍‍ଟି ଆଦାୟ ୧୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସମସ୍ତ ପ୍ରକାର ରାଜସ୍ୱ ଆଦାୟ କ୍ଷେତ୍ରରେ ଚଳିତବର୍ଷର ମଇମାସ ସେତେଟା ଉତ୍ସାହଜନକ ହୋଇନାହିଁ । ଗତବର୍ଷତୁଳନାରେ ଏଡା ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ମଇ ମାସରେ କେନ୍ଦ୍ରରୁ ଅନୁଦାନ ବାବଦରେ ଓଡିଶା ସରକାର ପାଇଛନ୍ତି ୩୭୮ କୋଟି ୭୪ଲକ୍ଷ ଟଙ୍କା । ଗତବର୍ଷ ମଇ ମାସରେ ଏହି ପରିମାଣ ୧୫୭୦ କୋଟି ଟଙ୍କାରୁ ଅଧିକ ଥିଲା । ଅର୍ଥାତ୍‍ ୭୫ ପ୍ରତିଶତ କମ୍‍ ଅର୍ଥ ମିଳିଛି ।

ରାଜସ୍ୱ ପ୍ରାପ୍ତି ଭଳି ଅର୍ଥ ବ୍ୟୟ ମଧ୍ୟ ମଇ ମାସରେ ସେତେଟା ଉତ୍ସାହଜନକ ନୁହେଁ । ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମଧ୍ୟ ଗତବର୍ଷ ମଇମାସ ତୁଳନାରେ ଚଳିତବର୍ଷର ମଇ ପଛରେ ପଡିଛି । ୨୦୨୪ ମଇ ମାସରେ ପ୍ରଶାସନିକ ବ୍ୟୟ ବାବଦରେ ୫୭୭୫ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଚଳିତ ବର୍ଷ ମଇରେ ଏହା ୫୧୩୯ କୋଟି ୭୫ଲକ୍ଷଟଙ୍କା ରହିଛି । ଯୋଜନା ବ୍ୟୟ ମଧ୍ୟ କମ୍‍ ରହିଛି । ଚଳିତବର୍ଷ ମଇ ମାସରେ ଯୋଜନା ବ୍ୟୟ ୬୪୧୧ କୋଟି ୩୮ଲକ୍ଷ ଟଙ୍କା ହୋଇଥିବାବେଳେ ଗତବର୍ଷ ମଇ ମାସରେ ଏହା ୬୭୧୩ କୋଟି ଟଙ୍କାରୁ ଅଧିକ ଥିଲା ।

ପ୍ରାକୃତିକ ବିପର୍ଯ୍ୟୟର ରାଜ୍ୟ ଓଡିଶାରେ ଏ ବାବଦରେ ମଧ୍ୟ ଖର୍ଚ୍ଚ କମିଟି । ଗତବର୍ଷ ମଇ ମାସରେ ଡିଜାଷ୍ଟର ରେସପଣ୍ଡ ଫଣ୍ଡ୍‍ରେ ୨କୋଟି ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଚଳିତବର୍ଷ ମଧ୍ୟରେ ମାସରେ ଏ ବାବଦରେ ଟଙ୍କାଟିଏ ବ୍ୟୟ ହୋଇନାହିଁ । ତେବେ ସାମାଜିକ କ୍ଷେତ୍ରରେ ଅର୍ଥ ବ୍ୟୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଏ କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ ହୋଇଛି । ଚଳିତବର୍ଷ ମଇ ମାସରେ ସାମାଜିକ କ୍ଷେତ୍ରରେ ୫୧୬୧.୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ଗତବର୍ଷର ମଇମାସ ତୁଳନାରେ ପ୍ରାୟ ୫ ପ୍ରତିଶତ ଅଧିକ ରହିଛି । ତେବେ ସାମାଜିକ ସେବା ଯୋଜନାରେ ମିଳୁଥିବା ଭତ୍ତା ପରିମାଣରେ ବୃଦ୍ଧି ଯୋଗୁଁ ଏ କ୍ଷେତ୍ରରେ ବ୍ୟୟ ଆଶାଜନକ ଭାବେ ବଢିଥିବା ଜଣାଯାଇଛି ।

ଚଳିତ ଆର୍ଥକ ବର୍ଷର ଦୁଇ ମାସ ଅର୍ଥାତ ମଇ ଶେଷ ସୁଦ୍ଧା ଜମିଜମା ରାଜସ୍ୱ ଆଦାୟ ପରିମାଣ ଗତବର୍ଷ ତୁଳନାରେ ୫୮ ପ୍ରତିଶତ ବଢିଥିବାବେଳେ ଅବକାରୀ ରାଜସ୍ୱ ୧୪ ପ୍ରତିଶତ ବଢିଛି । ସେହଭଳି ମୋଟରଯାନ ଟିକସ ଆଦାୟ ପ୍ରାୟ ୩ ପ୍ରତିଶତ ବଢିଥିବାବେଳେ ବିଦ୍ୟୁତ୍‍ ଟିକସ ଆଦାୟ ୨୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କିନ୍ତୁ ଏହି ସମୟରେ ଷ୍ଟାମ୍ପ ଓ ପଞ୍ଜିକରଣ କ୍ଷେତ୍ରରୁ ମିଳୁଥିବା ରାଜସ୍ୱ ଆଦାୟ ଗତବର୍ଷ ତୁଳନାରେ ହ୍ରାସ ପାଇଥିବା ଜଣାଯାଇଛି । (ତଥ୍ୟ)