Home General ରାଜଭବନରେ ବନ ମହୋତ୍ସବ

ରାଜଭବନରେ ବନ ମହୋତ୍ସବ

ଭୁବନେଶ୍ୱର : ଆଗାମୀ ପିଢ଼ି ପାଇଁ ଏକ ସ୍ଵଚ୍ଛ  ଏବଂ ସବୁଜ ଭବିଷ୍ୟତ ଗଠନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଓ  ଅନୁଷ୍ଠାନ ଦାୟିତ୍ୱ ନେବାକୁ ମାନ୍ୟବର ରାଜ୍ୟପାଳ  ଡ଼. ହରି ବାବୁ କମ୍ଭମପାଟି  ଆହ୍ୱାନ ଜଣାଇଛନ୍ତି ।

ବନ ମହୋତ୍ସବ ପାଳନ ଅବସରରେ ରାଜ୍ୟପାଳ ରାଜଭବନ ପରିସରରେ ବୃକ୍ଷରୋପଣ କରି ଏହି ଆହ୍ୱାନ ଜଣାଇଛନ୍ତି l “ଏକ୍ ପେଡ଼୍ ମା କେ ନାମ” ପଦକ୍ଷେପର ଅଂଶ ସ୍ୱରୂପ ରାଜଭବନର “ଶ୍ୟାମାନନ୍ଦ  ପାର୍କ” ଠାରେ ରାଜ୍ୟପାଳ ବୃକ୍ଷରୋପଣ ଅଭିଯାନର  ଶୁଭାରମ୍ଭ କରିଥିଲେ । ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି  ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବୃକ୍ଷରୋପଣ କରିଥିଲେ । ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରିବା ଏବଂ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ବୃକ୍ଷରୋପଣ କରିବାର ଆବଶ୍ୟକତା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏହା ପରିବେଶ ସୁରକ୍ଷା ସହିତ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାର ନିଦର୍ଶନ । ଉଲ୍ଲେଖଯୋଗ୍ୟ ଯେ, ଏହି ଦୃଷ୍ଟିକୋଣ ସହିତ ରାଜଭବନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ପୂର୍ଵରୁ ଅନେକ ପଦକ୍ଷେପ ନିଆଯାଇଛି । ପାରମ୍ପରିକ ଶକ୍ତିର ବ୍ୟବହାର ହ୍ରାସ କରିବା ପାଇଁ ରାଜଭବନରେ ସୌରଶକ୍ତି ବ୍ୟବସ୍ଥା କରାଯାଇଛି ଏବଂ ବୈଦୁତିକ ଯାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏ ପରି ପ୍ରୟାସ ଦ୍ୱାରା ରାଜଭବନକୁ ରାଜ୍ୟରେ ସବୁଜ ଶାସନର ଏକ ମଡେଲ ଭାବେ ଉପସ୍ଥାପିତ କରାଯାଇଛି ।