Home News in Odia ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ଦାବି

ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ଦାବି

ଭୁବନେଶ୍ୱର : ଓଡିଶାରେ କାର୍ଯ୍ୟକାରୀ ହେବାକୁ ଥିବା ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ର ବଜେଟ୍‍ରେ ଆବଶ୍ୟକ ଅର୍ଥ ବରାଦ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ମଧ୍ୟରେ ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ ରହିଛି ।

ଓଡିଶା ସରକାର ଦର୍ଶାଇଛନ୍ତି ଯେ ଉପକୂଳ ରାଜପଥ ଗୋଟିଏ ରାଜ୍ୟର ଆର୍ଥିକ ବିକାଶରେ ବହୁତ ବଡ ଯୋଗଦାନ କରିଥାଏ । ଏହାକୁ ଦୃଷ୍ଟିରେ ରଖି ୩୪୮ କିଲୋମିଟର ଦୈର୍ଘ୍ୟ ଉପକୂଳ ରାଜପଥ କାର୍ଯ୍ୟ ଆରମ୍ଭ ହୋଇଛି । ଭାରତମାଳା ପରିଯୋଜନାରେ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ଚାରି ଲେନ୍‍ ବିଶିଷ୍ଟ ଏହି ଜାତୀୟ ରାଜପଥ ପଶ୍ଚିମବଙ୍ଗର ଦୀଘାରୁ ଓଡିଶାର ଗଞ୍ଜାମ ପର୍ଯ୍ୟନ୍ତ ହେବ । ଏହା କେବଳ ଆର୍ଥିକ ବିକାଶରେ ସହାୟକ ହେବନାହିଁ ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ବିକାଶ କରିବ ।

ସେହିଭଳି ଜାତୀୟ ରାଜପଥ କର୍ତ୍ତୃପକ୍ଷ ୧୧୧ କିଲୋମିଟର ଦୈର୍ଘ୍ୟର ଓଡିଶା କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍‍ (ସିଆରଆରଆର) ପ୍ରତିଷ୍ଠା ପାଇଁ ଯୋଜନା କରିଛି । ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଏହି ୬ ଲେନ୍‍ ବିଶିଷ୍ଟ ସଡକ ନିର୍ମାଣ କରାଯିବ । ୧୬ ନମ୍ବର ଜାତୀୟ ରାଜପଥ ସହିତ ଦୁଇ ସହରର ଟ୍ରାଫିକ ବ୍ୟବସ୍ଥାକୁ ସହଜ କରିବାପାଇଁ ଏହାର ନିର୍ମାଣ ଉପରେ ଜୋର ଦିଆଯାଉଛି ।

ଏହି ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଓଡିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଅଗ୍ରାଧିକାର ଭିତ୍ତିରେ ୨୦୨୪-୨୫ ବଜେଟ୍‍ରେ ଏହି ପ୍ରକଳ୍ପ ପାଇଁ ଅର୍ଥ ବ୍ୟବସ୍ଥା କରିବାକୁ ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସେହିଭଳି ରାଜ୍ୟର ସହରାଞ୍ଚଳ ବିକାଶ ପାଇଁ ମଧ୍ୟ ଅର୍ଥ ଯୋଗାଇଦେବାକୁ କୁହାଯାଇଛି ।

ଓଡିଶା ସରକାର ଉଲ୍ଲେଖ କରିଛନ୍ତି ଯେ ଓଡିଶାର ସହରାଞ୍ଚଳର କାୟା ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଜନସଂଖ୍ୟା ଓ କ୍ଷେତ୍ରଫଳ ଦ୍ରୁତ ଗତିରେ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଭିତ୍ତିଭୂମି ସହିତ ଅନ୍ୟାନ୍ୟ ସୁବିଧା ଲାଗି ଅର୍ଥ ଆବଶ୍ୟକ ହେଉଛି । କେନ୍ଦ୍ର ସରକାର ଏଥିପାଇଁ ପୁଞ୍ଜି ଯୋଗାଇ ଦେବାର ଜରୁରୀ ହୋଇପଡିଛି । ତଦନୁଯାୟୀ ରାଜ୍ୟ ସରକାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସହରାଞ୍ଚଳ ବିକାଶ ପାଇଁ ଅର୍ଥ ବ୍ୟବସ୍ଥା ଲାଗି ଦାବିପତ୍ର ପ୍ରଦାନ କରିଛନ୍ତି । (ତଥ୍ୟ)