Home Infrastructure ରାଜପଥ ପାଇଁ ବର୍ଷକୁ ଖର୍ଚ୍ଚ ୫୦୦୦ କୋଟି

ରାଜପଥ ପାଇଁ ବର୍ଷକୁ ଖର୍ଚ୍ଚ ୫୦୦୦ କୋଟି

ଭୁବନେଶ୍ୱର : ରାଜ୍ୟରେ ଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିକାଶ ଓ ରକ୍ଷଣା ବେକ୍ଷଣ ପାଇଁ କେନ୍ଦ୍ର ସରକାର ବର୍ଷକୁ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ତିନି ବର୍ଷରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡିକର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ରୀୟ ସଡକ ଏବଂ ଭିତ୍ତିଭୂମିକ ପାଣ୍ଠି (ସିଆରଆଇଏଫ୍‍) ରୁ ୧୪,୮୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

୨୦୧୯-୨୦ ବର୍ଷରେ ନିର୍ମଣାଧିନ ଜାତୀୟ ରାଜପଥ ପାଇଁ ୪୬୫୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରାଜ୍ୟ ରାଜପଥ ପାଇଁ ସିଆରଆଇଏଫ୍‍ ରୁ ୨୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୦-୨୧ ରେ ଜାତୀୟ ରାଜପଥ ପାଇଁ ୪୬୨୨ କୋଟି ଜାତୀୟ ରାଜପଥ ପାଇଁ ଖର୍ଚ୍ଚ ହୋଇଥିବାବେଳେ ରାଜ୍ୟ ରାଜପଥ ପାଇଁ ସିଆରଆଇଏଫ୍‍ରୁ ୪୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

ଅନୁରୂପ ଭାବେ ୨୦୨୧-୨୨ ବର୍ଷରେ ଜାତୀୟ ରାଜପଥରେ ୪୪୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରାଜ୍ୟ ରାଜପଥ ପାଇଁ ସିଆରଆଇଏଫ୍‍ରୁ ୪୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ରାଜପଥଗୁଡିକ ପାଇଁ ସିଆରଆଇଏଫ୍‍ରୁ ଅଧିକରୁ ଅଧିକ ପାଣ୍ଠି ଯୋଗାଣ ହେଉଛି । ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ ରାଜ୍ୟ ସରକାର ସିଆରଆଇଏଫ୍‍ ପାଣ୍ଠିକୁ ବ୍ୟୟ କରିବେ ତେବେ ଏହି ପାଣ୍ଠିରୁ ଅଧିକରୁ ଅଧିକ ରାଶି ଯୋଗାଇ ଦିଆଯିବ ।

ଓଡିଶାରେ ୫୭୫୩ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥ ଥିବାବେଳେ ଏହାର ରକ୍ଷଣା ବେକ୍ଷଣ ଓ ବିକାଶର ଦାୟିତ୍ୱ ହେଉଛି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର । କେନ୍ଦ୍ରୀୟ ସଡକ ଏବଂ ଭିତ୍ତିଭୂମି ପାଣ୍ଠିରୁ ରାଜ୍ୟ ରାଜପଥ କାର୍ଯ୍ୟ ବାଦ୍‍ କେନ୍ଦ୍ର ସରକାର ଜାତୀୟ ରାଜପଥର ମଧ୍ୟ ରକ୍ଷଣା ବେକ୍ଷଣ କରିଥାନ୍ତି । ଜାତୀୟ ରାଜପଥର ବିଭିନ୍ନ କାର୍ଯ୍ୟ ଯଥା ଉନ୍ନତିକରଣ, ମରାମତି, ପୁନଃ ନିର୍ମାଣ, ସେତୁ, କଲଭର୍ଟ, ସଡକ ଉପରେ ଓ ତଳେ ପୋଲ ନର୍ମାଣ, ଫ୍ଲାଇଓଭର ଏବଂ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ସଡକରେ ଗାଡିମୋଟର ଭିଡ, ସୁରକ୍ଷା ପ୍ରସଙ୍ଗ ଆଦିକୁ ଦୃଷ୍ଟିରେ ରଖି ହାତକୁ ନିଆଯାଉଛି ।

ଲୋକପ୍ରତିନିଧିମାନେ ମାଲକାନଗିରି ଦେଇ ଯାଇଥିବା ୨୨୦ କିଲୋମିଟର ଦୈର୍ଘ୍ୟ ଜୟପୁର-ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର କେତେକ ସ୍ଥାନକୁ ୪ଲେନ୍‍ କରିବାକୁ ଦାବି ଉଠାଉଥିବାବେଳେ ଏଥିପାଇଁ କେତେକ ବୈଷୟିକ ସମସ୍ୟା ଦେଖାଦେଇଛି । ଦୁଇ ଲେନ୍‍ ଜାତୀୟ ରାଜପଥର କେତେକ ସ୍ଥାନକୁ ଚାରି ଲେନ୍‍ କରିବାପାଇଁ ବର୍ତ୍ତମାନ ଥିବା ନୀତି ଅନୁଯାୟୀ ସେହି ରାସ୍ତାରେ ଅତି କମ୍‍ରେ ୧୦ହଜାର ଗାଡିମୋଟର ଚଳାଚଳ କରୁଥିବା ଜରୁରୀ ।

ତେବେ ଦାବି ହେଉଥିବା ଜୟପୁର-ମୋଟୁ ରାଜପଥରେ ୧୮୫୨ରୁ ୫୮୨୬ ସଂଖ୍ୟକ ଗାଡି ଚଳାଚଳ କରୁଛି । ହେଲେ ଏହି ସଡକର ସମ୍ପ୍ରସାରଣ କାର୍ଯ୍ୟକୁ ବୈଷୟିକ ନୀତି ଆଧାରରେ ଅଟକାଇବା ବଦଳରେ ଏହା ମାଓପ୍ରବଣ ଓ ଦୁର୍ଗମ ଅଞ୍ଚଳ ହୋଇଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ତାଙ୍କ ନୀତିରେ ପରିବର୍ତ୍ତନ କରି ସମ୍ପୃକ୍ତ ରାଜପଥକୁ ସମ୍ପ୍ରସାରଣ ପାଇଁ ଲୋକପ୍ରତିନିଧିମାନେ ଦାବି କରିଛନ୍ତି । (ତଥ୍ୟ)