ଭୁବନେଶ୍ୱର : ପଛୁଆବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ସୀମା ୨୭ ପ୍ରତିଶତ କରିବାକୁ କେନ୍ଦ୍ରକରି ଏବେ ରାଜନୀତି ଜୋର୍ ଧରିଛି । ଏହା ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ବୋଲି କୁହାଯାଉଥିବା ବେଳେ ବାସ୍ତବରେ କିନ୍ତୁ ସମ୍ବିଧାନର ୩୧ ଧାରା ଅନୁଯାୟୀ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନବମ ଅନୁଚ୍ଛେଦରେ ସ୍ଥାନିତ କରାଯାଉନାହିଁ ।
ଗୋଟିଏ ପଟେ ବିଜେପି ଓ କଂଗ୍ରେସ ଓବିସି କାର୍ଡ ଦେଖାଇ ସ୍ଥାନ ସଂରକ୍ଷଣ ସୀମା ଜାତୀୟ ହାରରେ ୨୭ ପ୍ରତିଶତ କରିବା ଲାଗି କହୁଥିବା ବେଳେ ବିଜେଡି ବି ତାହାର ସଦ୍ୟ ସମାପ୍ତ ବୈଠକରେ ଏ ପ୍ରସଙ୍ଗରେ ପ୍ରସ୍ତାବ ଗ୍ରହଣ କରିଛି । କେବଳ ସେତିକି ନୁହେଁ ଇତିମଧ୍ୟରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ପଛୁଆବର୍ଗ କମିଶନ ମଧ୍ୟ ଗଠନ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ପ୍ରାୟ ୧୦ବର୍ଷ ତଳୁ ଓଡ଼ିଶା ସରକାର ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠିଲେଖି ତାମିଲନାଡ଼ୁ ଢାଞ୍ଚାରେ ଓଡ଼ିଶାର ପଛୁଆବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ଆଇନ୍ଟି ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ କରିବାକୁ କହିଛନ୍ତି । କିନ୍ତୁ ଏହି ପ୍ରସଙ୍ଗ ନେଇ ସମ୍ବିଧାନ ସଂଶୋଧନ ବିଲ୍ ପାର୍ଲାମେଣ୍ଟରେ ଆସିନାହିଁ ।
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୀମା ସାଧାରଣତଃ ୫୦ ପ୍ରତିଶତରୁ ଟପିବ ନାହିଁ । ତେବେ ସ୍ୱତନ୍ତ୍ର ପରିସ୍ଥିତିରେ ଏହା ବଢ଼ିପାରେ । ଏ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଇନ୍ଦ୍ର ସାୱାନୀ ମାମଲାରେ ସ୍ପଷ୍ଟ କରିଦେଇଥିଲେ । ପରବର୍ତ୍ତୀ ସମୟରେ ନାଗରାଜ ସମେତ ଆଉ କେତେକ ମାମଲାରେ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ‘କ୍ୱାଣ୍ଟିଫିଏବୁଲ୍ ଡାଟା’ ସଂଗ୍ରହ କରି ଯଦି କୌଣସି ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣର ଆବଶ୍ୟକତା ଅନୁଭୂତ ହୁଏ ସେ କ୍ଷେତ୍ରରେ ସରକାର ବ୍ୟବସ୍ଥା ଗ୍ରହଣ କରିପାରିବେ ।
୧୯୯୪ ମସିହାରେ ଓଡ଼ିଶା ସରକାର ଏକ ନିର୍ଦ୍ଦେଶନାମା ବଳରେ ପଛୁଆବର୍ଗଙ୍କ ପାଇଁ ଆସନ ସଂରକ୍ଷଣ କେନ୍ଦ୍ରୀୟ ହାରରେ ୨୭ ପ୍ରତିଶତ ଲାଗୁ କରିଥିଲେ । ତେବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ୩୮.୭୫ ପ୍ରତିଶତ ଆସନ ସଂରକ୍ଷଣ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାରେ ଥିବାରୁ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଯୋଗ ହେବାରେ ତାହା ମୋଟାମୋଟି ଭାବେ ୬୫ ପ୍ରତିଶତକୁ ଟପିଯାଇଥିଲା । ଏ ପ୍ରସଙ୍ଗରେ ମାମଲା ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଥିରେ ସୁପ୍ରିମ୍କୋର୍ଟ ୫୦ ପ୍ରତିଶତ ସୀମା ମାନିବା ପାଇଁ କହିଥିଲେ ।
ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୨୦୦୮ ମସିହାରେ ବିଧିବଦ୍ଧ ଆଇନ୍ ପ୍ରଣୟନ କରି ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ପୁଣି ଲାଗୁ କରିବାରେ ଏହାର ବୈଧତା ଘେନି ଆଇନ୍ ଅଦାଲତରେ ପ୍ରଶ୍ନ ଉଠିଥିଲା ଏବଂ ଅମର ଛାଟୋଇ ମାମଲାରେ ସ୍ୟାଟ୍ ଓ ହାଇକୋର୍ଟ ପ୍ରତିକୂଳ ମନ୍ତବ୍ୟ ଦେଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ପୁଣି ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ୧୧.୨୫ ପ୍ରତିଶତକୁ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି ।
ସେହିପରି ପୌର ନିର୍ବାଚନ ଲାଗି ଆସନ ସଂରକ୍ଷଣରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ବ୍ୟବସ୍ଥା କରିବା ପ୍ରସଙ୍ଗରେ ମଧ୍ୟ ସୁପ୍ରିମ୍କୋର୍ଟ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାର ବସାଇଥିବା ଜଷ୍ଟିସ୍ ନବକୁମାର ଦାସ କମିଶନ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ରଖିବାକୁ କହିଥିବା ପରିପ୍ରେକ୍ଷୀରେ ଏବେ ଜଷ୍ଟିସ୍ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଢ଼ା ଯାଇଥିବା ପଛୁଆବର୍ଗ କମିଶନଙ୍କ ପାଇଁ କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ ଏକ ବଡ଼ ଆହ୍ୱାନ ହେବ ।