Home News in Odia ରାଜନୀତି ଛାଡିଲେ ପାଣ୍ଡିଆନ

ରାଜନୀତି ଛାଡିଲେ ପାଣ୍ଡିଆନ

ଭୁବନେଶ୍ୱର : ବିଜେଡିରେ ଯୋଗଦେବାର ଛଅ ମାସ ମଧ୍ୟରେ ରାଜନୀତି ଛାଡିଛନ୍ତି ଭି.କେ. ପାଣ୍ଡିଆନ । ଆଜି ସେ ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

ଆଇଏଏସ୍‍ ଚାକିରି ଛାଡି ଗତବର୍ଷ ନଭେମ୍ବର ମାସରେ ବିଜେଡିରେ ଯୋଗ ଦେଇଥିବା ପାଣ୍ଡିଆନ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ । ନିର୍ବାଚନ ଜିତି ଯଦି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ ରାଜନୀତିରୁ ସେ ସନ୍ୟାସ ନେଇଯିବେ ବୋଲି ଖୋଲା ମଞ୍ଚରେ ଘୋଷଣା କରିଥିଲେ ।

ତେବେ ବିଜେଡି ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଗୋଟିଏ ବଡ ଗୋଷ୍ଠି ପାଣ୍ଡିଆନଙ୍କୁ ଏଥିପାଇଁ ଦାୟୀ କରିଥିଲେ । ଏପରିକି ଦଳର କାର୍ଯ୍ୟାଳୟ ଶଙ୍ଖଭବନ ଭିତରେ ପଶି ହଟ୍ଟଗୋଳ ଓ ଗାଳିଗୁଲଜ କରିବାକୁ ପଛାଇ ନଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ସମର୍ଥନରେ ବାହାରିବା ସହିତ ତାଙ୍କର କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏପରିକି ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦାୟୀ ନୁହନ୍ତି ବୋଲି ପ୍ରକାରାନ୍ତରେ କହିଥିଲେ । ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ପୁଣିଥରେ ଦୋହରାଇଥିଲେ ।

ଏସବୁ ସତ୍ୱେ ବି ପାଣ୍ଡିଆନଙ୍କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା । ପ୍ରତିଶ୍ରୁତି ମୁତାବକ ପାଣ୍ଡିଆନ କେବେ ରାଜନୀତି ଛାଡିବେ ତାହାକୁ ନେଇ ସାଧାରଣ ଲୋକେ ସୋସିଆଲ ମିଡିଆରେ ଲେଖିବା ଆରମ୍ଭ କରିଥିଲେ ।

ଆଜି ସବୁ ଆଲୋଚନାର ଅନ୍ତ ଘଟାଇ ରାଜନୀତି ଛାଡୁଥିବା ନେଇ ନିଜେ ପାଣ୍ଡିଆନ ଘୋଷଣା କରିବା ସହିତ ବିଜେଡିର ନିର୍ବାଚନ ବିପର୍ଯ୍ୟୟ ପାଇଁ ବିଜେଡି କର୍ମୀଙ୍କ ନିକଟରେ କ୍ଷମା ମାଗିଛନ୍ତି ।