Home General ରାଜଧାନୀରେ ଶିଳାନ୍ୟାସ ଫଳକରେ ଅଟକିଛି

ରାଜଧାନୀରେ ଶିଳାନ୍ୟାସ ଫଳକରେ ଅଟକିଛି

ଭୁବନେଶ୍ୱର : ବାରବାଟୀ ଷ୍ଟାଡିୟମ ସମ୍ପ୍ରସାରଣ ଶିଳାନ୍ୟାସକୁ ଘେନି ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତକ ବୟାନବାଜି ଚାଲିଥିବାବେଳେ ଭୁବନେଶ୍ୱରରେ ପୂର୍ବରୁ ହୋଇଥିବା ଅନେକ ଶିଳାନ୍ୟାସ ମଧ୍ୟରୁ ଦୁଇଟି ଏବେ ପୁଣି ଚର୍ଚ୍ଚାରେ ।

ଏଠାରେ ଉଲ୍ଲେଖନୀୟ ଯେ ଗତ ନିର୍ବାଚନ ପୂର୍ବରୁ ବାରବାଟୀ ଷ୍ଟାଡିୟମର ସମ୍ପ୍ରସାରଣ ଓ ଆଧୁନିକୀକରଣ ଲାଗି ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶିଳାନ୍ୟାସ କରାଯାଇଥିଲା । ତେବେ ଚଳିତ ବଜେଟ୍‍ରେ ଏହି ପ୍ରକଳ୍ପ ଲାଗି ଅର୍ଥ ବ୍ୟବସ୍ଥା ହୋଇନଥିବାରୁ ବିଜେଡିର ବରିଷ୍ଠ ନେତା ତଥା କଟକ ମେୟର ସୁବାସ ସିଂହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । କଟକର କଂଗ୍ରେସ ବିଧାୟିକା ସୋଫିଆ ଫର୍ଦ୍ଦୋଶଙ୍କ ପ୍ରଶ୍ନର ଉତ୍ତରରେ କ୍ରୀଡାମନ୍ତ୍ରୀ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ସେଥିରୁ ବାରବାଟୀ ଷ୍ଟାଡିୟମର ଏହି ପ୍ରକଳ୍ପର ଭାଗ୍ୟ ଅନ୍ଧକାରରେ ଥିବା ଜଣାପଡିଛି । ଏହି ବିତର୍କ ଜୋର ଧରିଥିବାବେଳେ ଓଡିଶା କ୍ରିକେଟ ସଂଘର ସମ୍ପାଦକ ସଞ୍ଜୟ ବେହେରା ଖୋଲା ବିବୃତ୍ତି ରଖି ଏ ପ୍ରସଙ୍ଗରେ ରାଜ୍ୟ ସରକାର ଓଡିଶା ସଂଘ କିମ୍ବା ଭାରତୀୟ କ୍ରିକେଟ ସଂଘ ସହିତ କୌଣସି ଚୁକ୍ତିପତ୍ର କରିନଥିବାରୁ ବର୍ତ୍ତମାନର କ୍ରୀଡାମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ଠିକ୍‍ବୋଲି କହିଛନ୍ତି ।

କଟକରେ ହୋଇଥିବା ଏହି ଶିଳାନ୍ୟାସ ଫଳକ ଘେନି ବିବୃତ୍ତିବାଜି ଚାଲିଥିବାବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡର ମୁଖ୍ୟ ଦପ୍ତର ପରିସରରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୩ ଅକ୍ଟୋବର ୩୦ ତାରିଖରେ ଗ୍ରାମଦ୍ୟୋଗ ଭବନ ନିର୍ମାଣ ପାଇଁ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାହା କାହିଁକି ୨୧ବର୍ଷ ଭିତରେ ନିର୍ମିତ ହୋଇନାହିଁ ବୋଲି ପ୍ରଶ୍ନ ଉଠିଛି । ଏହି ଫଳରେ ସେତେବେଳର ଶିଳ୍ପମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟସଭା ସଦସ୍ୟ ମନମୋହନ ସାମଲ ଓ ଖଦିବୋର୍ଡର ତତ୍କାଳୀନ ସଭାପତି ଥିବା ବିଜେପି ନେତାଙ୍କ ନାମ ରହିଛି । ଏହି ଶିଳାନ୍ୟାସ ଫଳକଟି ଖଦିବୋର୍ଡର ମୁଖ୍ୟ ପ୍ରବେଶପଥ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏବେ ବି ରହିଛି । ବିଜେପି ଓ ବିଜେଡିର ନେତାମାନେ ଏହି ଫଳକ ପୋତିଥିବାବେଳେ ନିର୍ମାଣ ନକରି ଲୋକଙ୍କ ଭୁଆଁ ବୁଲାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ସେହିପରି ବର୍ତ୍ତମାନର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ରାସ୍ତାର ମଧ୍ୟଭାଗରେ ଆଉ ଏକ ଶିଳାନ୍ୟାସ ଫଳକ ବାଉଁଶ ବତା ବାଡ ଘେରରେ ଏକପ୍ରକାର ବନ୍ଦୀହୋଇ ରହିଛି । ୨୦୧୧ ମସିହାର ସ୍ୱାୟତ୍ତଶାସନ ଦିବସ ଅବସରରେ ପ୍ରାୟ ଡଜନେ ନେତାଙ୍କ ଉପସ୍ଥିତିରେ ଏହି ଶିଳାନ୍ୟାସ ଫଳକ ପୋତା ଯାଇଥିଲା । ସେତେବେଳେ ଏହି ଶିକ୍ଷାନୁଷ୍ଠାନ ରମାଦେବୀ ସ୍ୱୟଂଶାସିତ ମହିଳା କଲେଜ ନାମରେ ନାମିତ ଥିଲା । ସମ୍ମୁଖ ରାସ୍ତାରେ ଛାତ୍ରୀ, ଅଧ୍ୟାପିକା, ଅନ୍ୟ କର୍ମଚାରୀ ଓ ସାଧାରଣ ଲୋକେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଏଠାରେ ଏକ ଫୁଟ୍‍ ଓଭରବ୍ରିଜ ନିର୍ମାଣ ଲାଗି ଶିଳାନ୍ୟାସ କରାଯାଇଥିଲା ।

୨୦୧୧ର ଏହି ଶିଳାନ୍ୟାସ ଫଳକରେ ସେତେବେଳର ଅନ୍ୟୁନ ୫ଜଣ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟରଙ୍କ ସମେତ ବହୁ କର୍ପୋରେଟରଙ୍କ ନାମ ଉଲ୍ଲେଖ ରହିଛି । ସ୍ମାର୍ଟସିଟି ଭୁବନେଶ୍ୱରରେ ଥିବା ଓଡିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ କରାଯାଇଥିବା ଏହି ଭିତ୍ତିପ୍ରସ୍ତର ସ୍ଥାପନ କେବଳ ଏକ ଭେଳିକି ଥିଲା ବୋଲି ଛାତ୍ରୀମାନେ ଦଳ ମତ ନିର୍ବିଶେଷରେ ଖୋଲା ଅଭିଯୋଗ କରୁଛନ୍ତି । ଶିଳାନ୍ୟାସ ହୋଇଥିବା ରାଜଧାନୀର ବହୁ ପ୍ରକଳ୍ପ ମଧ୍ୟରୁ ତୁରନ୍ତ ଏହି ଦୁଇଟିକୁ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)