ଭୁବନେଶ୍ୱର : ରାଜଧାନୀର ପରିମଳ ବ୍ୟବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଛି । ସଫେଇ ଦାୟିତ୍ୱ ନେଇଥିବା ବେସରକାରୀ ସଂସ୍ଥାମାନେ ମନମୁଖୀ କାର୍ଯ୍ୟ ଚଳାଇଥିବାରୁ ଏଭଳି ସ୍ଥିତି ଉପୁଜିଛି ।
ରାଜଧାନୀରେ ଥିବା ୬୭ଟି ୱାର୍ଡ ମଧ୍ୟରୁ ଅଧିକାଂଶର ସଫେଇ ଦାୟିତ୍ୱରେ ଏକାଧିକ ଘରୋଇ ସଂସ୍ଥା ରହିଛନ୍ତି । ଟେଣ୍ଡର ଜରିଆରେ ସଫେଇ କାମ ହାତେଇଥିବା ଏହି ସଂସ୍ଥାମାନେ ସ୍ଥାନୀୟ ଯୁବକମାନଙ୍କୁ ସୁପରଭାଇଜର ପଦବୀରେ ନିଯୁକ୍ତି ଦେଉଥିବାବେଳେ ଆବଶ୍ୟକତା ଠାରୁ ଢେର କମ୍ ସଫେଇ କର୍ମଚାରୀରେ କାମ ଚଳାଇ ନେଉଛନ୍ତି । ଯେଉଁ ରାସ୍ତାରେ ଝାଡୁ ମାରିବାପାଇଁ ୩/୪ ଜଣ ଦରକାର ସେଠାରେ ଗୋଟିଏ ଲୋକରେ କାମ ଚଳାଇ ନେଉଛନ୍ତି । ଫଳରେ କେଉଁଠି ଦିନ ୧୦ଟା ପର୍ଯ୍ୟନ୍ତ ରାସ୍ତାରେ ଝାଡୁ ବାଜୁନାହିଁ ତ ଆଉ କେଉଁଠି ଦିନ ଦିନ ଧରି ଝାଡୁ ମରାଯାଉନି ଅଳିଆ ଉଠୁନି । ସ୍ଥାନୀୟ ଯୁବକ ସୁପରଭାଇଜର ଥିବାରୁ ଲୋକେ ଏ ନେଇ ଅଭିଯୋଗ କରିବାକୁ ପଛାଉଛନ୍ତି ।
ଘରୋଇ ସଂସ୍ଥାମାନେ କାମପାଇଥିବା ଅଧିକାଂଶ ୱାର୍ଡରେ ଏଭଳି ସ୍ଥିତି । ୱାର୍ଡ ଦାୟିତ୍ୱରେ ଥିବା ୱାର୍ଡ ଅଫିସର ଓ ସାନିଟାରୀ ଇନ୍ସପେକ୍ଟରମାନେ ସବୁ ଦେଖି ନଦେଖଲା ଭଳି ରହୁଛନ୍ତି । ଅଧିକାଂଶ ଘରୋଇ ସଂସ୍ଥାର ସୁପରଭାଇଜରମାନଙ୍କ ସହିତ ହାତ ମିଳାଇଛନ୍ତି ।
ଘରକୁ ଘର ବର୍ଜ୍ୟ ସଂଗ୍ରହ କାର୍ଯ୍ୟ ସୁରୁଖରୁରେ ହେଉଥିବାବେଳେ ଝାଡୁମରା କାର୍ଯ୍ୟ କିନ୍ତୁ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ଘରୋଇ ସଂସ୍ଥାକୁ ତାଗିଦ କରିବାପାଇଁ ୱାର୍ଡ ଅଫିସର ଓ ସାନିଟାରୀ ଇନ୍ସପେକ୍ଟରମାନେ ଭୟ କରୁଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ୱାର୍ଡ ଅଫିସର ଓ ସାନିଟାରୀ ଇନ୍ସପେକ୍ଟରମାନଙ୍କର ଦେଖା ଦର୍ଶନ ପାଉନଥିବାରୁ କାହା ନିକଟରେ ଅଭିଯୋଗ କରିବେ ତାହା ଜାଣିପାରୁ ନାହାନ୍ତି ।
ଅଧିକାଂଶ ୱାର୍ଡରେ ସଫେଇ କାର୍ଯ୍ୟ ଏଭଳି ଢଙ୍ଗରେ ଚାଲୁଥିବାବେଳେ ବିଏମସିର ଅଧିକାରୀମାନଙ୍କ ନିକଟରେ ଅଭିଯୋଗ ପହଞ୍ଚୁନାହିଁ । ସଫେଇ ଠିକା କାର୍ଯ୍ୟ ନେଇଥିବା ସଂସ୍ଥା ଯଦି ସ୍ଥାନୀୟ ଲୋକଙ୍କ ଠାରୁ ନିୟମିତ ଭାବେ ଲିଖିତ ଆକାରରେ ମତାମତ ସଂଗ୍ରହ କରନ୍ତା ଓ ଏହାକୁ ବିଏମ୍ସି ଅଫିସରମାନେ ଯାଞ୍ଚ କରନ୍ତେ ତେବେ ଏଭଳି ସ୍ଥିତି ଉପୁଜନ୍ତା ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।
ନିକଟରେ ବିଏମ୍ସି ପକ୍ଷରୁ ଟାଇଲ ବିଛାଯାଇଥିବା ସମସ୍ତ କନଜରଭେନ୍ସିଂଗୁଡିକୁ ସଫାକରାଯିବ ବୋଲି ଘୋଷଣା କରାଯାଇଥିଲା । ହେଲେ ସେହି ଘୋଷଣା ଏବେ ଘୋଷଣାରେ ରହିଯାଇଛି । ଅନେକ ସ୍ଥାନରେ କନଜରଭେନ୍ସିଂଗୁଡିକ ଅଳିଆ ଆବର୍ଜଜନାରେ ଭର୍ତ୍ତି ହେଲାଣି । ୱାଟକୋ ପକ୍ଷରୁ ଡ୍ରେନଗୁଡିକ ସଫାକରାଯାଇ ମାଟି, ବାଲି ଇତ୍ୟିାଦିକୁ କନଜରଭେନ୍ସିଂ ଟାଇଲ ଉପରେ ଗଦାକରାଯାଉଛି ।
ଠିକାଦାରମାନେ ଏହାକୁ ଉଠାଉ ନାହାନ୍ତି । କନଜରଭେନ୍ସି ସଫେଇ ଦାୟିତ୍ୱରେ ଥିବା କର୍ମଚାରୀ ଏହା ୱାଟ୍କୋର ଅଳିଆବୋଲି କହି ପଳାଇ ଯାଉଛନ୍ତି । କନଜରଭେନ୍ସି ସଫେଇ ନାଁରେ ଏବେ ହରିଲୁଟ୍ ଚାଲିଥିବାର ଅଭିଯୋଗ ଆସିଲାଣି । ବିଏମସିର ବଡ ବଡ ଅଧିକାରୀଙ୍କ ଠାରୁ ଆରମ୍ଭକରି ୱାର୍ଡ ଅଫିସର ଓ ସାନିଟାରୀ ଇନ୍ସପେକ୍ଟରମାନେ ନିୟମିତ ଭାବେ ୱାର୍ଡ ବୁଲି ଲୋକଙ୍କ ମତାମତ ଲୋଡିଲେ ପରିମଳ ବ୍ୟବସ୍ଥାରେ ସୁଧାର ଆସିବବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)

