Home Infrastructure ରାଜଧାନୀର ରାସ୍ତା ସ୍ଥିତି ଖରାପ

ରାଜଧାନୀର ରାସ୍ତା ସ୍ଥିତି ଖରାପ

ଭୁବନେଶ୍ୱର : ଲଗାଣ ବର୍ଷାରେ ଏବେ ରାଜଧାନୀର ରାସ୍ତାଘାଟ କେବଳ ଜଳାର୍ଣ୍ଣବ ହେଉନାହିଁ, ଅନେକ ସ୍ଥାନରୁ ପିଚୁ ଉଠିଯିବା ଫଳରେ ଏବେ ରାସ୍ତାଗୁଡିକ ଖାଲଖମାରେ ଭର୍ତ୍ତିହୋଇ ଗଲାଣି । ପରସ୍ତ ପରସ୍ତ ପିଚୁ ଉଠିଯିବା ଫଳରେ ଦୁଇ ଚକିଆ ଓ ଚାରିଚକିଆ ଚାଳକମାନେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି ।

ରାଜଧାନୀରେ ପ୍ରାୟ ସପ୍ତାହେ ହେଲା ବର୍ଷା ଲାଗି ରହିଛି । ବେଳେବେଳେ ଜୋର ବର୍ଷା ସହିତ ଝିପିଝିପି ବର୍ଷା ବି ହେଉଛି । ବଡ ବର୍ଷା ହେଲେ ଇସ୍କନ ଭଳି ଅଞ୍ଚଳରେ ଯାତାୟତ ଠପ୍‍ ହୋଇଯାଉଛି । ତେବେ ବର୍ଷାଯୋଗୁଁ ଏବେ ସହରର ବିଭିନ୍ନ ରାସ୍ତା ଖରାପ ହେବାରେ ଲାଗିଛି । ତୁରନ୍ତ ମରାମତି ନହେବା ଫଳରେ ରାସ୍ତା ମଝିରେ ବଡ ବଡ ଖାଲ ଖମା ସୃଷ୍ଟି ହେଲାଣି ।

ସହରର ସବୁଠାରୁ ବ୍ୟସ୍ତବହୁଳ ରାସ୍ତା ହେଉଛି ରାଜଭବନରୁ ନନ୍ଦନକାନନ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା । ଏହି ରାସ୍ତାର ବିଭିନ୍ନ ସ୍ଥାନ ଏବେ ଖାଲଖମାରେ ଭର୍ତ୍ତିହୋଇ ଗଲାଣି । ବିଭିନ୍ନ ସ୍ଥାନରେ ରାସ୍ତା ଉପରୁ ପରସ୍ତ ପରସ୍ତ ପିଚୁ ଉଠିଯାଇ ଖାଲ ହେଲାଣି । ବର୍ଷା ସମୟରେ ଏହି ରାସ୍ତା ଦେଇ ଯାଉଥିବା ଗାଡିଚାଳକମାନେ ପାଣି ଜମିଥିବାରୁ ଖାଲଖମା ଦେଖିନପାରି ସେଥିରେ ପଡୁଥିବାବେଳେ ଅନ୍ୟ ସମୟରେ ଛୋଟଛୋଟ ଗୋଡି ମାଡର ଶିକାର ହେଉଛନ୍ତି । ଯେଉଁସବୁ ସ୍ଥାନରେ ରାସ୍ତାରୁ ପରସ୍ତ ପରସ୍ତ ପିଚୁ ଉଠିଯାଇଛି ସେଠାରେ ବର୍ଷା ଛାଡିଲା ମାତ୍ରେ ବଜୁରି ଉଡିବାରେ ଲାଗିଛି । ଗୋଟିଏ ଚାରିଚକିଆଯାନ ଯିବାମାତ୍ରେ ଛୋଟଛୋଟ ଗୋଡି ଛିଟିକି ଅନ୍ୟ ଗାଡି ଓ ଚାଳକଙ୍କ ଦେହରେ ବାଜୁଛି ।

କେବଳ ଏହି ଗୋଟି ସଡକ ନୁହେଁ, ସହରର ପ୍ରାୟ ପ୍ରମୁଖ ଅଞ୍ଚଳରେ ଥିବା ପିଚୁ ରାସ୍ତାର ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ନିମ୍ନମାନର କାମ ସାଙ୍ଗକୁ ରାସ୍ତାକୁ ଦୁଇ ପଟକୁ ଗଡାଣିଆ କରାଯାଇ ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଯନ୍ତ୍ରୀମାନେ ମତ ଦେଉଛନ୍ତି । କିଛି ସମୟ ପିଚୁ ଉପରେ ପାଣି ଜମି ରହିବା ଓ ତାହା ଉପରେ ଗାଡିମୋଟର ଯିବା ଫଳରେ ପିଚୁଗୁଡିକ ନଷ୍ଟହୋଇ ଯାଉଛି ।

ଲଗାଣ ବର୍ଷାରେ ସହରରେ ଏଭଳି ଖାଲଖମା ସୃଷ୍ଟି ହେଉଥିବାବେଳେ କର୍ତ୍ତୃପକ୍ଷ ଏହାର ତୁରନ୍ତ ମରାମତି କରୁନାହାନ୍ତି । ଫଳରେ ଗୋଟିଏ ଖାଲ ପାଖରେ ଏକାଧିକ ଖାଲ ସୃଷ୍ଟି ହେବା ସହିତ ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହେଉଛି । ତେବେ ଲଘୁଚାପ ପ୍ରଭାବରେ ଆଉ କିଛି ଦିନ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ଏହା ଭିତରେ ଯଦି ଖାଲଖମା ହୋଇଥିବା ରାସ୍ତାର ମରାମତି କରାନଯାଏ ତେବେ ଆଗକୁ ଖୋଦ ରାଜଧାନୀର ସଡକର ଅବସ୍ଥା ବିପନ୍ନ ହୋଇପଡିବ । (ତଥ୍ୟ)