Home General ରାଜଧାନୀରେ ୪୯୬ ଏକର ଜବରଦଖଲ

ରାଜଧାନୀରେ ୪୯୬ ଏକର ଜବରଦଖଲ

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ସାଧାରଣ ପ୍ରଶାସନ ବିଭାଗର ୪୯୬ ଏକରରୁ ଅଧିକ ଜମି ଜବରଦଖଲରେ ରହିଛି । ଏହାକୁ ମୁକୁଳାଇବାପାଇଁ ୧୦ ହଜାରରୁ ଅଧିକ ମାମଲା ରୁଜୁ କରାଯାଇଛି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଅଧିନରେ ରାଜଧାନୀରେ ମୋଟ୍‍ ୨୪,୯୯୦ ଏକର ସରକାରୀ ରହିଛି । ଅବଣ୍ଟିତ ହୋଇନଥିବା ଜମି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୯୬.୦୪୫ ଏକର ସରକାରୀ ଜମି ଜବରଦଖଲ ହୋଇଛି ।

ଜବରଦଖଲ ମୁକ୍ତ କରିବାପାଇଁ ବିଭାଗ ଦ୍ୱାରା ବିଭିନ୍ନସମୟରେ ୧୦,୯୬୧ଟି ମାମଲା ରୁଜୁ ହୋଇଛି । ମାମଲାର ଫଏସଲା ହେଲାପରେ ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି, ବିଡିଏ ମାଧ୍ୟରେ ଜବଦରଖଲ ଉଚ୍ଛେଦ କରାଯାଇ ଉକ୍ତ ଜମି ଉପରେ ପ୍ରଚାୀର ନିର୍ମାଣ ସହିତ ସୁରକ୍ଷା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫୪ଟି ମାମଲା ଇଷ୍ଟେଟ କୋର୍ଟରେ ବିଚାରାଧିନ ରହିଛି ।

ଜବରଦଖଲ ହୋଇଥିବା ସରକାରୀ ଜମି ମଧ୍ୟରୁ ସର୍ବାଧିକ ୧୪୮ ଏକର ଜୟଦେବବିହାର ଅଞ୍ଚଳରେ ରହିଥିବାବେଳେ ଚନ୍ଦ୍ରଶେଖରପୁରରେ ୩୩ଏକର, ଗାଡକଣରେ ୩୧ଏକର, ପଟିଆରେ ୨୮ଏକର, ବରମୁଣ୍ଡାରେ ୨୪ଏକର, କପିଳପ୍ରସାଦରେ ୨୨ଏକର ଓ ବିଜେବିନଗରରେ ୧୦ଏକରର ଅଧିକ ଜମି ରହିଛି । ରାଜଧାନୀର ମୋଟ୍‍ ୫୭ଟି ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।