ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଗତ ୨୫ ଫେବୃଆରୀରୁ ‘ଲୋକ ଅଧିକାର ଯାତ୍ରା’ ଆରମ୍ଭ ହୋଇ ଗତ ୨୩ ମାର୍ଚ୍ଚରେ କଟକରେ ସମାପ୍ତ ହେବା ପରେ ଆଜି ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଲୋକ ଅଧିକାର ସମାବେଶ ଆୟୋଜିତ ହୋଇଯାଇଛି।
ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ ଏବଂ ସେଣ୍ଟର ଫର କ୍ଲାଇମେଟ ଜଷ୍ଟିସ ପକ୍ଷରୁ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସହସ୍ରାଧିକ ଲୋକ ଯୋଗଦେଇଥିଲେ। ବିକାଶ ନାମରେ ପ୍ରାକୃତିକ ସମ୍ପଦଗୁଡ଼ିକୁ କର୍ପୋରେଟ ଲୁଣ୍ଠନ ପାଇଁ ଟେକି ଦେବା ବିରୋଧରେ ଏହି ସମାବେଶ ଆୟୋଜନ କରାଯାଇଥିଲା। ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ମାଧ୍ୟମରେ ପ୍ରକୃତି, ପରିବେଶ ତଥା ଜନସାଧାରଣଙ୍କ ଜୀବନ ଜୀବିକାକୁ ଧ୍ୱଂସ କରି ରାଜ୍ୟକୁ ସମ୍ବଳହୀନ ନକରିବାକୁ ଲୋକ ଅଧିକାର ସମାବେଶ ଦାବି କରିଛି।
ଏକ ବିକଳ୍ପ ବିକାଶଧାରା ଆପଣେଇବା ପାଇଁ ଏହି ଯାତ୍ରା ତଥା ସମାବେଶ ଏକ ଘୋଷଣାପତ୍ର ଜାରି କରିଛି। ରାଜ୍ୟ ସରକାର, ବିଭିନ୍ନ ରାଜନୈତିକ ଦଳ ଏବଂ ସର୍ବୋପରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଏହି ବିକଳ୍ପ ବିକାଶ ନୀତି ସମ୍ପର୍କରେ ବିଚାର କରିବାକୁ ଲୋକ ଅଧିକାର ସମାବେଶ ଆହ୍ୱାନ କରିଛି। ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ନେତା ଲିଙ୍ଗରାଜ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ ବିଶ୍ୱଜିତ୍, ଓ ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ ପ୍ରମୁଖ ଏହି ଆହ୍ୱାନ ଦେଇଥିଲେ।
ଲୋକ ଅଧିକାର ସମାବେଶରେ ବିକଳ୍ପ ଜନବାଦୀ ବିକାଶ ନୀତି ସମ୍ପର୍କରେ ଜାରି ହୋଇଥିବା ଘୋଷଣାପତ୍ରକୁ ସମର୍ଥନ କରି ବିଭିନ୍ନ ବୁଦ୍ଧିଜୀବୀ ଓ ରାଜନୈତିକ ନେତୃତ୍ୱ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଏହି ଲୋକ ଅଧିକାର ଯାତ୍ରା ତଥା ସମାବେଶ ସାଧାରଣ ଲୋକଙ୍କ ଲଢେ଼ଇ ଓ ପ୍ରତିରୋଧ ଆନ୍ଦୋଳନ ପାଇଁ ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ପ୍ରଫେସର ବୀରେନ୍ଦ୍ର ନାୟକ, ଏସୟୁସିଆଇ ନେତା ଅଶୋକ ମିଶ୍ର, ଚାଷୀ ମୂଲିଆ ସଂଘର ବାସୁଦେବ ଦାସ, ଟ୍ରେଡ୍ ୟୁନିୟନ ନେତା ମହେନ୍ଦ୍ର ପରିଡ଼ା, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଲୋକ ଅଧିକାର ସମାବେଶର ଘୋଷଣାପତ୍ରକୁ ସମର୍ଥନ କରି ଜଳ ଜମି ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଜନ ଆନ୍ଦୋଳନ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ।

