Home General ରାଜଧାନୀରେ ଭାଙ୍ଗିବ ବେଆଇନ କୋଠାବାଡ଼ି

ରାଜଧାନୀରେ ଭାଙ୍ଗିବ ବେଆଇନ କୋଠାବାଡ଼ି

ଭୁବନେଶ୍ୱର : ବେଆଇନ ନିର୍ମାଣ ଅଭିଯୋଗରେ ବହୁ ଆପାର୍ଟମେଣ୍ଟ ସମେତ ୪ ଶହରୁ ଅଧିକ କୋଠାବାଡି ଯେକୌଣସି ସମୟରେ ରାଜଧାନୀରେ ଭଙ୍ଗା ଯାଇପାରେ । ପୂର୍ବରୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ କର୍ତ୍ତୃପକ୍ଷ ନୋଟିସ ଲଗାଇ ସାରିଥିବାବେଳେ କେତେକ କ୍ଷେତ୍ରରେ ଆଇନଅଦାଲତର ରହିତାଦେଶ ଯୋଗୁ କାର୍ଯ୍ୟାନୁଷ୍ଠାନ ଧିମେଇ ଯାଇଥିବା ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।

ନଗର ଉନ୍ନୟନ ବିଭାଗ ପକ୍ଷରୁ ଢେର ପୂର୍ବରୁ ଏ ସଂକ୍ରାନ୍ତରେ ବିଧାନସଭାରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି । ଏପରିପ୍ରେକ୍ଷୀରେ ଭଙ୍ଗା ଯିବାକୁ ଥିବା ଘରର ମାଲିକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ରେରା, ବିଏମ୍‍ସି, ବିଡିଓ ସମେତ ବିଭିନ୍ନ ସଂସ୍ଥା ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ବହୁ ସ୍ଥାନରେ ଏବେବି ବେଆଇନ ଆପାର୍ଟମେଣ୍ଟ ଓ ବ୍ୟବସାୟିକ ସୌଧମାନ ନିର୍ମାଣ ଚାଲିଛି । ବିଶେଷକରି ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ କରାଯିବାବେଳେ ପ୍ଲାନ୍‍ ଅନୁମୋଦନକୁ ଲଘଂନ କରାଯାଉଛି ।

ଏମିତିକି ଅଗ୍ନି ନିର୍ବାପନ ବ୍ୟବସ୍ଥା ପାଇଁ ଆପାର୍ଟମେଣ୍ଟ ଗୁଡିକର ଚାରିପଟେ ଯେଭଳି ଦମକଳ ଗାଡି ଯିବା ଆସିବା କରିପାରିବ ସେଥିଲାଗି ସ୍ଥାନ ଛାଡିବାର ବ୍ୟବସ୍ଥା ଥିଲେ ବି ବହୁ କ୍ଷେତ୍ରରେ ତାହାର କୋଲା ଉଲ୍ଲଘଂନ ହେଉଛି । ଏମିତିକି ପ୍ଲାନ୍‍ରେ ପାର୍କିଂ ପାଇଁ ଯେଉଁ ସ୍ଥାନ ନିରୂପିତ ହୋଇ ରହିଛି ସେଠାରେ ବି ବାସଗୃହ ହେଉଛି । ଫଳରେ ଅନେକ ବହୁତଳ ଆପାର୍ଟମେଣ୍ଟ ଓ ବ୍ୟବସାୟିକ ପ୍ରତିଷ୍ଠାନ ସେମାନଙ୍କ ମୋଟରଗାଡି ଆଦି ବାହାରେ ରଖିବା ଫଳରେ ସର୍ବସାଧାରଣଙ୍କ ରାସ୍ତା ଅବରୋଧ ହେଉଛି । ଡ୍ରେନେଜ୍‍ ଓ ସ୍ୱରେଜ୍‍ ସମସ୍ୟା ଯୋଗୁ ଆପାର୍ଟମେଣ୍ଟର ଗାଡିଧୂଆ ଓ ଅନ୍ୟ ବର୍ଜ୍ୟପାଣି ମଧ୍ୟ ରାସ୍ତାରେ ଲହଡ଼ି ଭାଙ୍ଗୁଛି ।

ବିଏମ୍‍ସିର ପ୍ରତି ୱାର୍ଡକୁ ଲାଗି ୱାର୍ଡ ଅଫିସର ଥିବାବେଳେ ବିଡିଏର କ୍ଷେତ୍ର ଅଧିକାରୀମାନେ ମଧ୍ୟ ନଜର ରଖିବା କଥା । ତେବେ କୌଣସି ଅକୁହା କାରଣ ଯୋଗୁ ଏ କ୍ଷେତ୍ରରେ ବେଆଇନ ନିର୍ମାଣ ବେଳେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସମସ୍ୟା ଉତ୍କଟତର ହେଉଛି ।

ଏବେ କଟକର ଏକ ନର୍ସିଂ ହୋମ୍‍ର ପାଚେରୀ ଫାଟକ ଆଦିକୁ ଭଙ୍ଗା ଯାଇଛି । କୁହାଯାଉଛି ଯେ, ନର୍ସିଂ ହୋମ୍‍ ପାଇଁ ଗାଡି ଚଳାଚଳ ଲାଗି ଯେତେ ଜାଗା ଛାଡିବା କଥା ତାହା ଛାଡିବା ପରିବର୍ତ୍ତେ କର୍ତ୍ତୃପକ୍ଷ ସରକାରୀ ଜାଗାକୁ ଜବରଦଖଲ କରି ପାଚେରୀ ବୁଲାଇବା ସହ ଟ୍ରାନ୍ସଫର୍ମର ଆଦି ବସାଇଥିଲେ । ଏ ପ୍ରସଙ୍ଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମୟସାପେକ୍ଷ ହେଉଥିବାରୁ ସିଡିଏ କର୍ତ୍ତୃପକ୍ଷ ଜବରଦଖଲ ହଟାଇବା ଆଳରେ ନର୍ସିଂହୋମ୍‍ର ବେଆଇନ ନିର୍ମାଣକୁ ଆଜି ଭାଙ୍ଗିଛନ୍ତି ।

ରାଜଧାନୀର ଅନେକ ଅଞ୍ଚଳରେ ସାଧାରଣ ଲୋକଙ୍କୁ ବାସଗୃହ ନିର୍ମାଣ ପାଇଁ ସରକାର ନାମମାତ୍ର ମୂଲ୍ୟରେ ଜମି ଯୋଗାଇଥିବାବେଳେ ଏବେ ବହୁସ୍ଥାନରେ ନିର୍ମିତ ଘର ଗୁଡିକୁ ବିଲ୍‍ଡରମାନଙ୍କ ହାତରେ ଟେକିଦେଇ ବଡ ବଡ ଆପାର୍ଟମେଣ୍ଟ ଛିଡାକରାଯାଉଛି । ବାପୁଜୀନଗର, ଅଶୋକନଗର, ଶହୀଦନଗର, ଖାରବେଳନଗର, ସତ୍ୟନଗର, ସୂର୍ଯ୍ୟନଗର, ଚନ୍ଦ୍ରଶେଖରପୁର, ଜୟଦେବବିହାର, ନୀଳାଦ୍ରିବିହାର, ପାଇକନଗର ଆଦି ବହୁ ଅଞ୍ଚଳରେ ଏଭଳି ବ୍ୟାପକ ବେଆଇନ ନିର୍ମାଣ ଚାଲିଛି । କେତେକ ସ୍ଥାନରେ ବାସଗୃହ ଭଡାନେଇ ଘରୋଇ ହସ୍‍ପିଟାଲମାନ ମଧ୍ୟ ଚଳାଯାଉଥିବାରୁ ଆଖପାଖ ଲୋକଙ୍କ ଜୀବନପ୍ରତି ବିପଦ ସହିତ ରାସ୍ତାଘାଟରେ ଯାନବାହନ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୀମିତ କ୍ଷେତ୍ରରେ ତ୍ରୁଟି ସୁଧାରିବା ପାଇଁ ସରକାର ଲାଗୁ କରିଥିବା ସର୍ବକ୍ଷମା ଯୋଜନାରୁ କିଛି ଲୋକ ଫାଇଦା ଉଠାଇଛନ୍ତି । ଏହାଛଡା ଆଉ ଯେଉଁସବୁ କ୍ଷେତ୍ରରେ ତଦନ୍ତ କରାଯାଇ ବେଆଇନ ନିର୍ମାଣ ଚିହ୍ନଟ କରାଯାଇଛି ସେଗୁଡିକୁ ଭାଙ୍ଗିବା ଛଡା ଅନ୍ୟକିଛି ବିକଳ୍ପ ନାହିଁ । ତେଣୁ ରାଜଧାନୀରେ ଆପାର୍ଟମେଣ୍ଟ କିଣିବା ପୂର୍ବରୁ ଜମିର ମାଲିକାନା, ଅନୁମୋଦିତ ପ୍ଲାନ୍‍, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ରେରା ପ୍ରାବଧାନ ଆଦିକୁ ଠିକଣା ଭାବେ ନ ପରଖିଲେ କ୍ରେତାମାନେ ଭବିଷ୍ୟତରେ ଅର୍ଥ ହରାଇବା ସହ ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ । (ତଥ୍ୟ)