ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଆଜି ରାଜଧାନୀରେ ୧୨୨ ମିଲିମିଟର ରେକର୍ଡ ବର୍ଷା ଫଳରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ରାସ୍ତାଘାଟରେ ପାଣିର ସୁଅ ଛୁଟିଥିବାବେଳେ ସହରରେ ଏକ ତିନିମହଲା ଘର ବି ଦବିଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଘରୁ ନବାହାରିବାକୁ ପାଣିପାଗ ବିଭାଗ ସତର୍କ କରିଛି ।
ଆଜି ସକାଳୁ ରାଜଧାନୀରେ ଲଘୁଚାପ ବର୍ଷା ଆରମ୍ଭ ହୋଇଥିବାବେଳେ ଅପରହ୍ନରେ ଏହା ତୀବ୍ର ରୂପ ଧାରଣ କରିଥିଲା । ଅବିଶ୍ରାନ୍ତ ଭାବେ ମୂଷଳ ଧାରାରେ ପ୍ରାୟ ୩ଘଣ୍ଟା ବର୍ଷା ହେବା ଯୋଗୁଁ ସହରର ଚାରିଆଡେ ପାଣିର ଚୁଅ ଛୁଟିଥିଲା । ସହରର ମଧ୍ୟସ୍ଥଳ ରାଜମହଲ ଛକରେ ଚାରିଚକିଆ ଯାନର ଚକ ବୁଡିଥିବାବେଳେ ଜଳବନ୍ଦୀର ଇଲାକା କୁହାଯାଉଥିବା ଇସ୍କନ ମନ୍ଦିର ନିକଟରେ ଏକାଧିକ ଦୁଇ ଚକିଆ ଯାନ ସମ୍ପୂର୍ଣ୍ଣ ବୁଡି ଯାଇଥିଲା ।
ଆଚାର୍ଯ୍ୟବିାହାର, ନୟାପଲ୍ଲୀ, ବେହେରାସାହି, ସତ୍ୟନଗର, ଖାରବେଳନଗର ଆଦି ଇଲାକାର ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି । ବର୍ଷାର ବେଗ ଏତେ ତୀବ୍ର ଥିଲା ଯେ ଦୁଇ ଚକିଆ ତ ଦୂରରକଥା ଚାରିଚକିଆ ଯାନରେ ବି ଲୋକେ ପଦାକୁ ବାହାରିବାକୁ ସାହସ କରିପାରି ନଥିଲେ ।
ସକାଳ ପହରୁ ଲାଗି ରହିଥିବା ବର୍ଷା ସହିତ ଆଜି ରବିବାର ଥିବାରୁ ସହର ପୂରା ଖାଁ ଖାଁ ପରିଲକ୍ଷିତ ହୋଇଥିଲା । ଦୋକାନ ବଜାର, ହାଟ ରେ କାଁ ଭାଁ ଦୋକାନୀ ଓ ଲୋକଙ୍କୁ ଦେଖିବାକୁ ମିଳିଥିଲା । ପାଣିପାଗ ବିଭାଗ ବାରମ୍ବାର ସତର୍କ କରାଉଥିବାରୁ ଲୋକେ ଘର ବାହାରିବାକୁ ସାହସ କୁଳାଇ ପାରିନଥିଲେ ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ପୁରୀରେ ସର୍ବାଧିକ ୧୮୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ପାରାଦୀପ୍ରେ ୫୬ ମିଲିମିଟର ବର୍ଷା ହୋଇଛି । ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଅଧିକାଂଶ ନଦୀର ଜଳସ୍ତର ବଢିବାରେ ଲାଗିଛି ।
ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ପଶ୍ଚିମଓଡିଶାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ମହାନଦୀ ଓ ଏହାର ଶାଖାନଦୀରେ ବନ୍ୟା ଆସିପାରେ ବୋଲି ଜାତୀୟ ଜଳ କମିଶନ ଆଗୁଆ ସୂଚନା ପ୍ରଦାନ କରିଛନ୍ତି ।