Home General ରାଜଧାନୀରେ ଦୁର୍ବଳ ସେବା

ରାଜଧାନୀରେ ଦୁର୍ବଳ ସେବା

ଭୁବନେଶ୍ୱର : ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ୍‍) ଗ୍ରାହକମାନେ ଏବେ ହଟହଟା । ଖୋଦ୍‍ ରାଜଧାନୀରେ ଗ୍ରାହକମାନେ ଭଲରେ ଟିକେ କଥାବାର୍ତ୍ତା ହୋଇପାରୁନଥିବାବେଳେ ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍‍ କାମ କରୁନାହିଁ । ଫଳରେ ବାଧ୍ୟହୋଇ ଗ୍ରାହକମାନେ ଅନ୍ୟ କମ୍ପାନୀ ମୁହାଁ ହେବାରେ ଲାଗିଛନ୍ତି ।

ରାଜ୍ୟ ରାଜଧାନୀରେ ଏବେ ରାଷ୍ଟ୍ରାୟତ ସଂସ୍ଥା ବିଏସଏନଏଲ୍‍ର ସେବା ଦୁର୍ବଳ ହେବାରେ ଲାଗିଛି । ବିଶେଷକରି ମୋବାଇଲ୍‍ ଗ୍ରାହକମାନେ କଥାବାର୍ତ୍ତା ଠାରୁ ଆରମ୍ଭ କରି ଇଣ୍ଟରନେଟ୍‍ ବ୍ୟବହାର କ୍ଷେତ୍ରରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପ୍ରତିଦ୍ୱନ୍ଦୀ ମୋବାଇଲ୍‍ ସେବା ପ୍ରଦାନକାରୀଙ୍କ ଦର ତୁଳନାରେ ବିଏସଏନଏଲ୍‍ ଶସ୍ତା ରହୁଥିବାରୁ ବହୁ ଗ୍ରାହକ ସେମାନଙ୍କର ସେବାପ୍ରଦାନକାରୀ ସଂସ୍ଥା ବଦଳାଇଥିଲେ । ହେଲେ ସେମାନେ ଏବେ ମହରଗରୁ ଆସି କାନ୍ତାରରେ ପଡିବା ଭଳି ଅବସ୍ଥା ହୋଇଛି ।

ଗତ କିଛିଦିନ ହେଲା ବିଏସଏନଏଲ୍‍ ସେବା ଏଭଳି ବିଗିଡିଛି ଯେ କଥା ଅଧାରୁ ବିଭିନ୍ନ ଶବ୍ଦ କରି ଲାଇନ୍‍ କଟିଯାଉଛି । ଫଳରେ ଗ୍ରାହକମାନେ ବାରମ୍ବାର ଗୋଟିଏ ନମ୍ବରକୁ ଫୋନ୍‍ କରିବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ଇଣ୍ଟରନେଟ୍‍ ବ୍ୟବହାରକାରୀମାନଙ୍କର ଅବସ୍ଥା କହିଲେ ନସରେ । ଅଧିକାଂଶ ସମୟରେ ମୋବାଇଲ୍‍ରେ ଅତ୍ୟନ୍ତ ଧିମା ସଙ୍କେତ ଆସୁଛି । ଫଳରେ ଗ୍ରାହକମାନେ ବାରମ୍ବାର ମୋବାଇଲ୍‍ ବନ୍ଦ କରି ଖୋଲିବାକୁ ବାଧ୍ୟ ହେଉଛନ୍ତି ।

ରାଜଧାନୀରେ ବିଏସଏନଏଲ୍‍ ସେବାର ଆଉ ଗୋଟିଏ ବିଚିତ୍ର ଅବସ୍ଥା ଦେଖିବାକୁ ମିଳିଛି । କେତେକ ଅଞ୍ଚଳରେ ଲାଇନ୍‍ କଟିଗଲେ ତତ୍କାଳ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ବ୍ୟାହତ ହେଉଛି । ଏ ନେଇ ଅଭିଯୋଗକଲେ ମଧ୍ୟ କୌଣସି ଫଳ ମିଳୁନାହିଁ । କ୍ୟାପିଟାଲ ହସ୍ପିଟାଲ ଆଖପାଖରେ ଏହି ସ୍ଥିତି ଉତ୍କଟ ରୂପ ଧାରଣ କରିଥିବାରୁ ରୋଗୀଙ୍କ ସମ୍ପକୀୟଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହେଉଛନ୍ତି । ଏ ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ମୋବାଇଲ୍‍ ଟାୱାରରେ କର୍ତ୍ତୃପକ୍ଷ ବ୍ୟାଟେରୀ ବ୍ୟାକଅପ୍‍ ରଖୁନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି ।

ସେହିଭଳି ଅନ୍ୟ ଘରୋଇ ମୋବାଇଲ୍‍ କମ୍ପାନୀମାନେ ଦୀର୍ଘଦିନରୁ ରାଜ୍ୟରେ ୫-ଜି ସେବା ଆରମ୍ଭ କରିଥିବାବେଳେ ରାଷ୍ଟ୍ରାୟତ ସଂସ୍ଥା ବିଏସଏନଏଲ୍‍ କିନ୍ତୁ ଏପର୍ଯ୍ୟନ୍ତ ତାହା ଆରମ୍ଭ କରିପାରୁନାହିଁ । କିଛିଦିନ ତଳେ ବିଏସଏନଏଲ୍‍ ୫-ଜି ସେବା ଆରମ୍ଭ କରିବ ବୋଲି ପ୍ରଚାର ହେବାପରେ ଅନେକ ଗ୍ରାହକ ନିଜ ନିଜର ପୁରୁଣା ମୋବାଇଲ୍‍ ସେଟ୍‍ ବଦଳାଇ ୫-ଜି ମୋବାଇଲ୍‍ କିଣିଥିଲେ । ହେଲେ ବିଏସଏନଏଲ୍‍ର ୫-ଜି ସେବା କେବଳ ପରୀକ୍ଷା ନିରୀକ୍ଷାରେ ଅଟକିଯାଇଛି ।

ଖୋଦ୍‍ ରାଜଧାନୀରେ ବିଏସଏନଏଲ୍‍ ଏଭଳି ଦୁର୍ବଳ ସେବା ପ୍ରଦାନ କରୁଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ସେବା କିଭଳି ଥିବ ତାହା ସହଜରେ ଅନୁମେୟ । ବିଏସଏନଏଲ୍‍ ଠାରୁ ସ୍ପେକଟ୍ରମ ଖରିଦ କରି ଘରୋଇ ଟେଲିକମ ସଂସ୍ଥାମାନେ ଉନ୍ନତମାନର ୫-ଜି ସେବା ଯୋଗାଇ ଦେଉଥିବାବେଳେ ବିଏସ୍‍ଏନଏଲ୍‍ କାହିଁକି ଏହି ସେବା ଆରମ୍ଭ କରିପାରୁନାହିଁ ଓ ଯେଉଁ ସେବା ଯୋଗାଉଛି ତାହା ଅନ୍ୟମାନଙ୍କ ତୁଳନାରେ କାହିଁକି ନିମ୍ନମାନର ହେଉଛି ତାହା ଏବେ ଗ୍ରାହକମାନଙ୍କ ମଧ୍ୟରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ତଥ୍ୟ)