ଭୁବନେଶ୍ୱର : ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ଯେତିକି ବିଳମ୍ବ ହେଉଛି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ଭିଡ ରାଜଧାନୀରେ ବଢିବାରେ ଲାଗିଛି । ନିଜ ପାଇଁ ଟିକଟ ଖଣ୍ଡେ ଯୋଗାଡ ପାଇଁ ନେତାମାନେ ଏବେ ଦଳ ବଳ ସହିତ ରାଜଧାନୀରେ ଡେରା ପକାଇବା ସହିତ ବିଭିନ୍ନ ସ୍ତରରେ ଲବି ଚଳାଇଛନ୍ତି ।
ଚାରି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଖୁବ୍ଶୀଘ୍ର ପ୍ରଥମ ପର୍ଯ୍ୟାୟ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ହେଲେ ବର୍ତ୍ତମାନ ସୁଦ୍ଧା ତିନି ଦଳ ପ୍ରାର୍ଥୀ ଚୂଡାନ୍ତ କରିପାରି ନାହାନ୍ତି । ବିଜେଡି ଆଉ ୩୦ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା ପାଇଁ ବାକି ଥିବାବେଳେ ବିଜେପି ମଧ୍ୟ ୩୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ । ଉଭୟ ଦଳ ୨୧ଟି କରି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ତେବେ କଂଗ୍ରେସ ଆଉ ୪ଟି ଲୋକସଭା ସହିତ ୨୮ ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବାର ଅଛି ।
ଏହି ଅବଶିଷ୍ଟ ଆସନ ପାଇଁ ଉତ୍କଣ୍ଠା ବଢି ବଢି ଚାଲିଥିବାରୁ ଆଶାୟୀମାନେ ଲବି ପାଇଁ ଏବେ ରାଜଧାନୀରେ । ସହରର ବିଭିନ୍ନ ସ୍ଥାନରେ ଡେରା ପକାଇବା ସହିତ ରାତି ପାହିଲେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଯାଉଛନ୍ତି । ନିଜ ନିଜ ସପକ୍ଷରେ ଲବି ପାଇଁ ସାଙ୍ଗରେ ଦଳ ବଳ ବି ଆଣିଛନ୍ତି । ସେହିଭଳି ସେମାନଙ୍କ ପ୍ରତିପକ୍ଷ ମଧ୍ୟ କିଭଳି ଟିକଟ ପ୍ରଦାନରେ ବାଧା ସୃଷ୍ଟି କରିବେ ନିଜ ନିଜର ଦଳବଳ ଧରି ରାଜଧାନୀକୁ ଆସିବାରେ ଲାଗିଛନ୍ତି ।
ଆଶାୟୀ ପ୍ରାର୍ଥୀମାନେ ରାଜଧାନୀରେ ଡେରା ପକାଇବା ଫଳରେ ନିଜ ନିଜ ଅଞ୍ଚଳରେ ପ୍ରଚାର ତ ଦୂରରକଥା, ପୋଷ୍ଟର ବ୍ୟାନରଟିଏ ଲାଗିପାରୁ ନାହିଁ । ଟିକଟ ହାସଲ କରିଥିବା ପ୍ରତିପକ୍ଷ ଦଳର ପ୍ରାର୍ଥୀ ଜୋରଦାର ଭାବେ ପ୍ରଚାର ଆରମ୍ଭ କରିଦେଇଥିବାବେଳେ ଆଶାୟୀମାନେ କିନ୍ତୁ ରାଜଧାନୀ ଛାଡିପାରୁ ନାହାନ୍ତି ।
ସେହିଭଳି ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରୁ ନଥିବାରୁ ଦଳୀୟ ପୋଷ୍ଟର ବ୍ୟାନର ବି ତିଆରି ହୋଇପାରୁ ନାହିଁ । ବିଶେଷକରି ଯେଉଁ ଦଳରମାନେ ରାଜ୍ୟ ବାହାରୁ ବିପୁଳ ସଂଖ୍ୟାରେ ପୋଷ୍ଟର ବ୍ୟାନର ଛପାଇ ଏଠାକୁ ଆଣିଥାନ୍ତି ସେମାନେ ଅଟକି ଯାଇଛନ୍ତି । କାରଣ ସମସ୍ତ ପ୍ରାର୍ଥୀଙ୍କର ଫଟୋ ଓ ନାମ ପଠାଯିବା ପରେ ଏକସଂଗେ ପୋଷ୍ଟର ବ୍ୟାନର ଛପା ହୋଇଥାଏ । ତିନି ଦଳରେ ଏଭଳି ସ୍ଥିତି ଜାରି ରହିଛି । ତେଣୁ ପ୍ରାର୍ଥୀମାନେ କାଁ ଭାଁ ନିଜ ହାତରୁ ଖର୍ଚ୍ଚକରି ଛୋଟିଆ ମୋଟିଆ ଫ୍ଲେକ୍ସ ମାରିଥିଲେ ମଧ୍ୟ ରଙ୍ଗ ବେରଙ୍ଗର ବଡ ବଡ ପ୍ରଚାର ସାମଗ୍ରୀ ଦେଖିବାକୁ ମିଳୁନାହିଁ ।
ତେଣେ ଟିକଟ ଆଶାରେ ଯେଉଁ ନେତାମାନେ ରାଜଧାନୀରେ ଡେରା ପକାଇଛନ୍ତି ଗାଁ ଗହଳରେ ସେମାନଙ୍କ କର୍ମୀଙ୍କୁ ଅନ୍ୟ ଦଳର ନେତା ବିଶେଷକରି ଯେଉଁମାନେ ଟିକଟ ପାଇ ପ୍ରଚାର ଆରମ୍ଭ କରିଦେଲେଣି ସେମାନେ ନିଜ ପଟକୁ ନେବାପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଯଦି ଟିକଟ ଆଶାୟୀମାନେ ଆଉ କିଛିଦିନ ରାଜଧାନୀରେ ଡେରା ପକାଇବେ ତେବେ ଗାଁ ଗହଳରେ ଥିବା ତଳିଆ କର୍ମୀମାନେ ଅନ୍ୟ ଦଳକୁ ଯିବାନେଇ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି ।
ତେବେ ରାଜନୈତିକ ଛକାପଞ୍ଝା ଯୋଗୁଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରୁନଥିବାରୁ ଉଭୟ ଆଶାୟୀ ଓ ସେମାନଙ୍କ ବିରୋଧିଙ୍କ ରକ୍ତଚାପ ବଢିବାରେ ଲାଗିଛି । ଏହାର ଫାଇବା ଉଠାଇବାକୁ ଏବେ ଟିକଟ ପାଇଥିବା ପ୍ରାର୍ଥୀମାନେ ଲାଗି ପଡିଛନ୍ତି । (ତଥ୍ୟ)