Home General ରାଜଧାନୀରେ ଅନୁପ୍ରବେଶକାରୀ ଧରପଗଡ କେବେ ?

ରାଜଧାନୀରେ ଅନୁପ୍ରବେଶକାରୀ ଧରପଗଡ କେବେ ?

ଭୁବନେଶ୍ୱର : ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ରାଜ୍ୟରେ ପୁଲିସ୍‍ ପ୍ରଶାସନ ତତ୍ପର ହୋଇ ଉଠିଥିବାବେଳେ ରାଜଧାନୀରେ କିନ୍ତୁ ତଲାସୀ ଜୋରଦାର ହେଉନାହିଁ । ରାଜଧାନୀର ବସ୍ତିଗୁଡିକରେ କେଉଁ କେଉଁମାନେ ରହୁଛନ୍ତି ତାହାର ତଲାସୀ କରାଗଲେ ଏଠାରୁ ମଧ୍ୟ ଅନୁପ୍ରବେଶକାରୀ ବାହାରିବେ ବୋଲି କୁହାଯାଉଛି ।

ରାଜଧାନୀରେ ସରକାରୀ ହିସାବରେ ୪୩୬ ଟି ବସ୍ତି ଥିବାବେଳେ ବେଆଇନ୍‍ ବସ୍ତିସଂଖ୍ୟା ହଜାରେକୁ ଟପିଗଲାଣି । ଏହିସବୁ ବସ୍ତିରେ କିଏ କେଉଁଠାରୁ ଆସି ରହୁଛି ତାହାର ତାଲିକା ପୁଲିସ୍‍ ନିକଟରେ ନାହିଁ । ସେହିଭଳି ସରକାରୀ ତାଲିକାରେ ଥିବା ବସ୍ତିରେ ବି କେଉଁମାନେ ରହୁଛି ତାହାର ତାଲିକା ଜାଣିବାକୁ ବି ପୁଲିସ୍‍ ପ୍ରଶାସନ ଆଗ୍ରହ ପ୍ରକାଶ କରୁନାହିଁ ।

ସହରର ବିଭିନ୍ନ ବସ୍ତିରେ ଏବେ ମାଳ ମାଳ ଅଣଓଡିଆ ବସବାସ କରୁଛନ୍ତି । ରାଜ୍ୟ ବାହାରର ଲୋକେ ମଧ୍ୟ ଏଠାରେ ରହି ବିଭିନ୍ନ ବ୍ୟବସାୟ ଚଳାଉଛନ୍ତି । ସହର ସାରା ରାତି ପାହିଲେ ଏମାନଙ୍କର ପସରା ଖୋଲୁଥିବାବେଳେ ବାସ୍ତବରେ ଏମାନଙ୍କ ଠିକଣା କିନ୍ତୁ କାହାରି ପାଖରେ ନାହିଁ ।

ଗତ କିଛିମାସ ତଳେ ବଙ୍ଗଳାଦେଶୀଙ୍କୁ ନେଇ ଧରପଗଡ ଆରମ୍ଭ ହୋଇଥିବାବେଳେ ରାଜଧାନୀର ରାସ୍ତାରୁ ହଠାତ୍‍ ଅନେକ ବ୍ୟବସାୟୀ ଅର୍ନ୍ତଧ୍ୟାନ ହୋଇଯାଇଥିଲେ । ମାମଲା ଥଣ୍ଡା ପଡିବା ପରେ ସେମାନେ ପୁଣି ବ୍ୟବସାୟକୁ ଫେରିଥିଲେ । ଏଭଳି ଲୋକଙ୍କ ଉପରେ ନଜର ରଖିବା ପୁଲିସ୍‍ ଓ ଗୁଇନ୍ଦା ବିଭାଗର । ଯେହେତୁ ଏମାନଙ୍କର ତାଲିକା ନାହିଁ, ତେଣୁ ସହଜରେ ଚିହ୍ନଟ କରାଯିବା ମଧ୍ୟ କଷ୍ଟକର ହୋଇପଡୁଛି ।

ଜଗତ୍‍ସିଂହପୁର ଜିଲ୍ଲାରେ ଅନୁପ୍ରବେଶକାରୀ ବଙ୍ଗଳାଦେଶୀ ଆସି ସରକାରୀ ଜମିରେ ଘରଦ୍ୱାର କରି ରହିବା ଜଣାପଡିବା ପରେ ସେଠାରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି । ଘରଗୁଡିକୁ ଭାଙ୍ଗିବା ସହିତ ଅନୁପ୍ରବେଶକାରୀଙ୍କୁ ଆଣି ଥଇଥାନ କରୁଥିବା ମାଷ୍ଟରମାଇଣ୍ଡକୁ ବି ଧରିଛି ।

ଏଭଳି ସ୍ଥିତିରେ ରାଜଧାନୀରେ ଜୋରଦାର ତଲାସି କରିବାପାଇଁ ସାଧାରଣରେ ମତପ୍ରକାଶ ପାଉଛି । କାରଣ ରାଜଧାନୀରେ ଗଢି ଉଠୁଥିବା ବସ୍ତିରେ ବିଭିନ୍ନ ବର୍ଗର ଲୋକେ ରହୁଥିବାବେଳେ ଏମାନଙ୍କ ମଧ୍ୟରେ ଅନୁପ୍ରବେଶକାରୀ ରହିଥାଇ ପାରନ୍ତି ବୋଲି ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି । ଅତୀତରେ ରାଜଧାନୀର ବସ୍ତିରୁ ବାହାର ରାଜ୍ୟର ଅପରାଧି ଓ ନିଶା ବେପାରୀ ଧରାପଡିବାର ନଜିର ରହିଛି ।

ରାଜଧାନୀର ବସ୍ତିରେ ଯେଭଳି ସହଜ ଭାବେ ସମସ୍ତ ସୁବିଧା ସହିତ ଘରଭଡା ମିଳିଯାଉଛି ସେଥିରେ ଅନୁପ୍ରବେଶକାରୀମାନେ ଆସି ରହିବାରେ କୌଣସି ଅସୁବିଧା ନାହିଁ ବୋଲି ସ୍ଥାନୀୟ ଲୋକେ କହୁଥିବାବେଳେ କମିଶନରେଟ ପୁଲିସ୍‍ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । ଏପରିକି ବସ୍ତିରେ କିଛିଦିନ ରହିବାପରେ ଏଠାରେ ଆଧାରାକାର୍ଡ ଠାରୁ ରାସନକାର୍ଡ ହାତେଇଥିବା ଲୋକଙ୍କର ମଧ୍ୟ ଯାଞ୍ଚ କରିବାକୁ କୁହାଯାଉଛି । (ତଥ୍ୟ)