ଭୁବନେଶ୍ୱର : କିଛି ଦିନର ନିରବତା ପରେ ପୁଣିଥରେ ରାଜଧାନୀରେ ଶିଶୁ ଓ ମହିଳା ଭିକାରୀମାନେ ଭିକ ମାଗିବା ଆରମ୍ଭ କରିଛନ୍ତି । ଲୋକସେବାଭବନ ପାଶ୍ୱର୍ରେ ଥିବା ଏଜି ଛକରେ ଛୋଟ ଛୋଟ ପିଲାମାନେ ସଂଧ୍ୟା ସମୟରେ ଲୋକଙ୍କ ଆଗରେ ହାତ ପାତୁଥିବା ଦେଖିବାକୁ ମିଳୁଛି ।
ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ବିଏମ୍ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବେଶ୍ ସଫଳ ହୋଇଥିଲା । ରାସ୍ତାଘାଟରୁ ଭିକାରୀମାନଙ୍କୁ ବୁଝାସୁଝା କରି ବିଏମ୍ସି ଦ୍ୱାରା ପ୍ରତିଷ୍ଠା ହୋଇଥିବା ‘ସେଲଟର ହୋମ୍’କୁ ନିଆଯାଇଥିଲା । ସେଠାରେ ଭିକାରୀମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯିବା ସହିତ ଆତ୍ମନିଯୁକ୍ତି ବାଟ ଦେଖାଯାଇଥିଲା ।
ବିଏମ୍ସିର ଏଭଳି ପଦକ୍ଷେପ କିଛିଦିନ କାମ ଦେବା ସହିତ ରାଜଧାନୀର ରାସ୍ତାଘାଟରେ ଭିକାରୀ ଦୃଶ୍ୟମାନ ହେଉନଥିଲେ । ହେଲେ ଏବେ ଧିରେ ଧିରେ ଉଭୟ ମହିଳା ଓ ଶିଶୁ ଭିକାରୀମାନେ ସହରର ବିଭିନ୍ନ ଛକରେ ଆସି ଭିକ୍ଷାବୃତ୍ତି ଆରମ୍ଭ କରିଛନ୍ତି । ପୁଲିସ୍ ନଜରରୁ ବର୍ତ୍ତିବାପାଇଁ ସଂଧ୍ୟା ସମୟରେ ଛୋଟ ଛୋଟ ପିଲା ଏଜି ଛକ ସମେତ ଅନ୍ୟାନ୍ୟ ପ୍ରମୁଖ ଛକରେ ଛିଡାହୋଇ ଦୁଇ ଚକିଆ ଓ ଚାରିଚକିଆ ଆରୋହୀଙ୍କ ଆଗରେ ହାତ ପାତୁଛନ୍ତି ।
ସେହିଭଳି ମହିଳା ଭିକାରୀମାନେ ପୂର୍ବଭଳି ବିଭିନ୍ନ ଛକମାନଙ୍କରେ କାଖରେ ଛୋଟ ରୋଗୀଣା ପିଲାଙ୍କୁ ଧରି ହାତ ପାତୁଛନ୍ତି । କେତେକ ସ୍ଥାନରେ ପୁଲିସ୍ ନଜରରୁ ବର୍ତ୍ତିବାପାଇଁ ମହିଳା ଭିକାରୀମାନେ କଲମ ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଧରି ବିକ୍ରି କରିବା ବାହାନାରେ ପଇସା ମାଗୁଛନ୍ତି । ରାଜଧାନୀର ପ୍ରମୁଖ ଛକ ସ୍ଥାନ, ଯେଉଁବାଟ ଦେଇ ଦୈନିକ ମନ୍ତ୍ରୀ, ସଚିବ ଓ ବିଏମ୍ସିର ବଡ ବଡ ଅଧିକାରୀମାନେ ଯା ଆସ କରୁଛନ୍ତି ସେଠାରେ ଏଭଳି ଭିକମାଗିବା ଦୃଶ୍ୟ ବିରୁଦ୍ଧରେ କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
କେବଳ ମହିଳା ଓ ଛୋଟ ପିଲା ବିଭିନ୍ନ ଛକରେ ହାତ ପାତୁ ନାହାନ୍ତି, କିନ୍ନରମାନେ ମଧ୍ୟ ଧିରେ ଧିରେ ବିଭିନ୍ନ ଛକକୁ କବ୍ଜା କରିବାରେ ଲାଗିଛନ୍ତି । ଟ୍ରାଫିକ ସଙ୍କେତ ପାଇ ଗାଡିମୋଟର ଅଟକିବାମାତ୍ରେ ଏମାନେ ସିଧାସଳଖ ଆସି ଲୋକଙ୍କୁ ଅର୍ଥ ମାଗୁଛନ୍ତି । ଅବସ୍ଥା ଏଭଳି ହୋଇଛି ଲୋକେ ପଇସା ବାହାର କରୁ କରୁ ଏମାନେ ହାତରୁ ଝାମ୍ପି ନେଉଛନ୍ତି । ପୁଲିସ୍ ପ୍ରଶାସନର ପଦକ୍ଷେ ଯୋଗୁଁ କିଛି ଦିନ ଧରି ବିଭିନ୍ନ ଛକଗୁଡିକରେ କିନ୍ନରମାନଙ୍କର ଆତଯାତ ହ୍ରାସ ପାଇଥିବାବେଳେ ଏବେ ପୁଣି ତାହା ବଢିବାରେ ଲାଗିଛି ।
ତେବେ ରାଜଧାନୀରେ ଭିକ ମାଗୁଥିବା ଅଧିକାଂଶ ମହିଳା ଓ ଶିଶୁ ଅଣଓଡିଆ ହୋଇଥିବା ଏବଂ ଏମାନଙ୍କୁ ନିର୍ଦ୍ଦିଷ୍ଟ ମାଫିଆମାନେ ଭିକ ମଗାଇବା କାମରେ ନିୟୋଜିତ କରୁଥିବା ନେଇ ଆଲୋଚନା ହେଉଥିବାବେଳେ ଏହି ମାଫିଅମାନଙ୍କ ବିରୁଦ୍ଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ ରାଜଧାନୀ ଭିକାରୀମୁକ୍ତ ହେବନାହିଁ ବୋଲି କୁହାଯାଉଛି । (ତଥ୍ୟ)