Home General ରାଜଧାନୀକୁ ମିଳିଛି ୨୫ହଜାର ଘର

ରାଜଧାନୀକୁ ମିଳିଛି ୨୫ହଜାର ଘର

ଭୁବନେଶ୍ୱର : କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା – ସହରୀ ଯୋଜନାରେ ଗତ ଛଅ ବର୍ଷ ମଧ୍ୟରେ ଭୁବନେଶ୍ୱର ସହର ପାଇଁ ୨୫ହଜାରରୁ ଅଧିକ ଘର ମଞ୍ଜୁର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୫୬୦ଟି ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଗତ ଦୁଇବର୍ଷ ଧରି ଗୃହ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଜଣାଯାଇଛି ।

କେନ୍ଦ୍ର ସରକାର ୨୦୧୭-୧୮ ରୁ ୨୦୨୨-୨୩ ବର୍ଷ ମଧ୍ୟରେ ଭୁବନେଶ୍ୱର ସହର ପାଇଁ ପିଏମ୍‍ଏୱାଇ-ୟୁ ରେ ମୋଟ୍‍ ୨୫,୧୮୧ ଟି ଗୃହ ମଞ୍ଜୁର କରିଛନ୍ତି । ଏଥି ମଧ୍ୟରେ ୨୦୧୭-୧୮ ରେ ସର୍ବାଧିକ ୬୯୨୭ଟି ଘର ମଞ୍ଜୁର ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ୧୫,୧୨୧ ଏବଂ ୨୦୨୦-୨୧ ରେ ୧୮୪୩ଟି ଘର ମଞ୍ଜୁର ହୋଇଥିଲା । ଅନ୍ୟ ବର୍ଷଗୁଡିକ ମଧ୍ୟରେ ୨୦୧୮-୧୯ରେ ୭୩୭, ୨୦୧୯-୨୦ ରେ ୩୯୯ ଏବଂ ୨୦୨୨-୨୩ ରେ ୧୫୪ଟି ଘର ମଞ୍ଜୁର ହୋଇଛି ।

ତେବେ ଏହି ସମୟ ମଧ୍ୟରେ କେନ୍ଦ୍ରରୁ ମିଳିଥିବା ଘର ମଧ୍ୟରୁ ୫୫୬୦ଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୨୦୧୮-୧୯ ବର୍ଷରେ ସର୍ବାଧିକ ୨୨୯୫ଟି ଘରର ନିର୍ମାଣ ସରିଥିବାବେଳେ ୨୦୨୦-୨୧ ୨୦୦୩ଟି ଘରର ନିର୍ମାଣ କାର୍ଯ୍ୟ ସରିଛି । ଅନ୍ୟ ବର୍ଷ ଗୁଡିକରେ ଏହି ସଂଖ୍ୟା ତିନି ଅଙ୍କରେ ସୀମିତ ରହିଛି ।

ସେହିଭଳି କେନ୍ଦ୍ର ସରକାର ମଞ୍ଜୁର କରିଥିବା ଗୃହର ନିର୍ମାଣ ବାବଦରେ ଏହି ଛଅବର୍ଷ ମଧ୍ୟରେ ୧୧୧.୯ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଏଥିରୁ ୮୦.୬୬ କୋଟି ଟଙ୍କା ବ୍ୟୟ ହୋଇପାରିଛି । କେନ୍ଦ୍ର ସରକାର ୨୦୧୮୦୧୯ ବର୍ଷରେ ସର୍ବାଧିକ ୪୭.୧୯ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୦-୨୧ ବର୍ଷରେ ୪୦.୧୨ କୋଟି ଟଙ୍କା ଦେଇଥିଲେ ।

୨୦୨୨-୨୩ ବର୍ଷରେ ମାତ୍ର ୩.୮୩ କୋଟି ଟଙ୍କା ପ୍ରଦାନ କରିଥିାବବେଳେ ୨୦୨୧-୨୨ ବର୍ଷରେ ଏହି ପରିମାଣ ୫.୪୭ କୋଟି ଟଙ୍କା ରହିଥିଲା । ତେବେ ମିଳିଥିବା ଅର୍ଥ ମଧ୍ୟରୁ ଭୁବନେଶ୍ୱରରେ ଗୃହ ନିର୍ମାଣ ପାଇଁ ୨୦୨୦-୨୧ ବର୍ଷରେ ସର୍ବାଧିକ ୪୦.୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୮-୧୯ବର୍ଷରେ ୧୫.୯୮ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି । ଗତ ଆର୍ଥିକ ବର୍ଷରେ ମିଳିଥିବା ସମସ୍ତ ଅର୍ଥ ଅର୍ଥାତ୍‍ ୩.୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି ।

ରାଜଧାନୀରେ ପିଏମଏୱାଇ-ୟୁ ଯୋଜନାରେ ମିଳିଥିବା ଗୃହ ନିର୍ମାଣ କାର୍ଯ୍ୟର ଏଭଳି ସ୍ଥିତି ଥିବାବେଳେ ସ୍ମାର୍ଟସିଟି ଯୋଜନାରେ କିନ୍ତୁ ଅନେକଗୁଡିଏ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାଯାଇଛି । ଏଥି ମଧ୍ୟରେ ୧୮୧ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ଜନପଥ ନିର୍ମାଣ ହୋଇଥିବାବେଳେ ରାଜମହଲ ଓ ଶହୀଦନଗରରେ ଦୁଇଟି ବହୁତଳୀୟ ଗାର୍ଡି ପାର୍କିଂ ସୌଧ ର୍ନିମାଣ ବାବଦରେ ଯଥାକ୍ରମେ ୪୬.୮୧ କୋଟି ଏବଂ ୨୮.୮୭ କୋଟି ଟଙ୍କା ବ୍ୟୟ ହୋଇଛି ।

ସେହିଭଳି ସ୍ମାର୍ଟସିଟିରେ ଛାତ ଉପରେ ସୌର ପ୍ରକଳ୍ପ ବସାଇବା ବାବଦରେ ୨୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ବିଏମ୍‍ସିର ନୂତନ ସୌଧର ୫ଟି ମହଲାର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକରଣ ବାବଦରେ ୨୬ କୋଟି, ସହରରେ ଟ୍ରାଫିକ ପୋଷ୍ଟଗୁଡିକର ନବକଳେବର ପାଇଁ ୨କୋଟି ଏବଂ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ରାସ୍ତାମଝିରେ ଥିବା ସ୍ଥାନରେ ବାଉଁଶ ଜାଲି ଲଗାଇବାପାଇଁ କୋଟିଏ ଟଙ୍କା ବ୍ୟୟ କରାଯାଇଛି ।

ତେବେ ଭୁବନେଶ୍ୱରରେ ଜାରି ରହିଥିବା ପ୍ରକଳ୍ପ ମଧ୍ୟରେ ଇ-ରିକ୍ସା ପାଇଁ ୧୦କୋଟି ୫୦ଲକ୍ଷ, ଟ୍ୟାପ୍‍ ଯୋଗେ ପାନୀୟଜଳ ପାଇଁ ୩୫କୋଟି, ଘରଗୁଡିକର ଡିଜିଟାଲ ନମ୍ବରିଂ ପାଇଁ ୫କୋଟି ଓ ଚନ୍ଦ୍ରଶେଖରପୁର ଠାରେ ମିଶନ ଆବାସ ପ୍ରକଳ୍ପ ପାଇଁ ୩୪୯ କୋଟିର ବ୍ୟୟବରାଦ ରହିଛି । (ତଥ୍ୟ)