ଭୁବନେଶ୍ୱର : କୃଷି ଉତ୍ପାଦନ ବୃଦ୍ଧି ପାଇଁ ଓଡିଶାରେ ରସାୟନିକ ସାର ପ୍ରୟୋଗ ବୃଦ୍ଧି ପାଇଥିଲେ ମଧ୍ୟ ଜାତୀୟ ହାର ଠାରୁ ଏ କ୍ଷେତ୍ରରେ ଆମ ରାଜ୍ୟ ଢେର ପଛରେ ରହିଛି । ସର୍ବଭାରତୀୟ ସ୍ତରରେ ହେକ୍ଟର ପିଛା ରସାୟନିକ ସାର ପ୍ରୟୋଗ ହାରାହାରି ପ୍ରାୟ ୧୩୫ କିଲୋ ରହୁଥିବାବେଳେ ଓଡିଶାରେ ଏହା ପାଖାପାଖି ୭୫ କିଲୋ ରହୁଛି । ତେବେ ଆଶ୍ୱାସନାର ବିଷୟ ହେଉଛି ଯେ ୧୯୭୦-୭୧ ବେଳକୁ ରାଜ୍ୟରେ ହେକ୍ଟର ପିଛା ହାରାହାରି ମାତ୍ର ୪ କିଲୋ ରସାୟନିକ ସାର ପ୍ରୟୋଗ ହେଉଥିବାବେଳେ ଏବେ ତାହା ୧୮ଗୁଣରୁ ଅଧିକ ବଢିଛି ।
ସରକାରୀ ତଥ୍ୟ ମୁତାବକ ଖରିଫଋତୁରେ ୧୯୭୧-୭୨ ବେଳକୁ ଓଡିଶାରେ ହେକ୍ଟର ପିଛା ହାରାହାରି ୨୧ କିଲୋ ରସାୟନିକ ସାର ପ୍ରୟୋଗ ହେଉଥିଲା । ୨୦୦୦-୦୧ ବେଳକୁ ଏହି ପରିମାଣ ୨୪୫ କିଲୋ ଥିବାବେଳେ ଏବେ ତାହା ୪୦୫ କିଲୋରେ ପହଞ୍ଚିଛି । ସେହିପରି ରବି ଋତୁରେ ଓଡିଶାରେ ୧୯୭୧-୭୨ ବେଳକୁ ହେକ୍ଟର ପିଛା ହାରାହାରି ୨୯କିଲୋ ରସାୟନିକ ସାର ପ୍ରୟୋଗ କରାଯାଉଥିବାବେଳେ ୨୦୦୦-୦୧ ବର୍ଷ ବେଳକୁ ତାହା ୭୪ କିଲୋରେ ପହଞ୍ଚିଥିଲା ଏବଂ ଏବେ ଏହି ପରିମାଣ ୧୬୬ କିଲୋ ହୋଇଥିବା ଜଣାପଡିଛି ।
ମୋଟାମୋଟି ଭାବେ ରାଜ୍ୟରେ ୧୯୭୦-୭୧ ବର୍ଷ ବେଳକୁ ହେକ୍ଟର ପିଛା ହାରାହାରି ୪ କିଲୋ ରସାୟନିକ ସାର ପ୍ରୟୋଗ କରାଯାଉଥିଲା ଯାହା ୨୦୦୦-୦୧ ବେଳକୁ ପ୍ରାୟ ୧୦ଗୁଣ ବଢିଥିଲା । ଏବେ ରାଜ୍ୟରେ ହେକ୍ଟର ପିଛା ହାରାହାରି ବାର୍ଷିକ ୭୫ କିଲୋ ପର୍ଯ୍ୟନ୍ତ ରସାୟନିକ ସାର ବ୍ୟବହୃତ ହେଉଛି ।
ସରକାରୀ ତଥ୍ୟ ମୁତାବକ ସର୍ବଭାରତୀୟ ସ୍ତରରେ ହେକ୍ଟର ପିଛା ବାର୍ଷିକ ହାରାହାରି ୧୩୫ କିଲୋ ରସାୟନିକ ସାର କୃଷି ପାଇଁ ବ୍ୟବହାର କରାଯାଉଛି । ଜାତୀୟ ହାର ଠାରୁ ରସାୟନିକ ସାର ପ୍ରୟୋଗ କ୍ଷେତ୍ରରେ କେତେକ ରାଜ୍ୟ ଢେର ଆଗରେ ଥିବାବେଳେ ଓଡିଶା କିନ୍ତୁ ବହୁତ ପଛରେ ରହିଛି । ତେବେ ମିଜୋରାମ, ମଣିପୁର, ଝାଡଖଣ୍ଡ, ଜାମ୍ମୁକାଶ୍ମୀର, ହିମାଚଳ, ରାଜସ୍ଥାନ, କେରଳ ଭଳି କେତେକ ରାଜ୍ୟ ଏ କ୍ଷେତ୍ରରେ ଓଡିଶା ଠାରୁ ବି ପଛରେ ରହିଛନ୍ତି ।
ଆନ୍ଧ୍ରପ୍ରଦେଶରେ ହେକ୍ଟର ପିଛା ହାରାହାରି ୧୭୫ କିଲୋ ରସାୟନିକ ସାର ପ୍ରୟୋଗ କରାଯାଉଥିବାବେଳେ ତାମିଲନାଡୁରେ ୧୮୬, ଗୁଜୁରାଟରେ ୧୩୫, ମହରାଷ୍ଟ୍ରରେ ୧୨୫, ଉତ୍ତରପ୍ରଦେଶରେ ୧୭୦, ଉତ୍ତରାଖଣ୍ଡରେ ୧୪୦, ପଶ୍ଚିମବଙ୍ଗରେ େ୧୬୫ କିଲୋ ରସାୟନିକ ସାର ବ୍ୟବହାର କରାଯାଉଛି ।
ରସାୟନିକ ସାର ବ୍ୟବହାର କ୍ଷେତ୍ରରେ ତେଲେଙ୍ଗାନା ସବୁଠାରୁ ଆଗରେ ରହିଛି । ଏହି ରାଜ୍ୟରେ ହେକ୍ଟର ପିଛା ହାରାହାରି ପ୍ରାୟ ୨୫୦ କିଲୋ ରସାୟନିକ ସାର ପ୍ରୟୋଗ କରାଯାଉଥିବାବେଳେ ପୁଡୁଚେରୀରେ ୨୨୮, ହରିଆନା ଓ ପଞ୍ଜାବରେ ୨୨୫ କିଲୋ ରସାୟନିକ ସାର ବ୍ୟବହୃତ ହେଉଛି ।
ଓଡିଶାର ଭୌଗଳିକ ପରିସ୍ଥିତି ଦୃଷ୍ଟିରୁ ଏଯାବତ୍ ସମସ୍ତ ଜମିକୁ ଜଳସେଚିତ କରିବା ସମ୍ଭବ ହୋଇନଥିବାବେଳେ ମହାନଦୀ ଓ ତାହାର ଶାଖାନଦୀଗୁଡିକ ପ୍ରତି ଛତିଶଗଡ କାରଣରୁ ସୃଷ୍ଟି ହୋଇଥିବା ବିପଦ ଯୋଗୁଁ ଖରାଦିନେ ଜଳସେଚନ ଭବିଷ୍ୟତରେ ଅଧିକ ବ୍ୟାହତ ହେବାର ଆଶଙ୍କା ରହିଛି । ଏହାଛଡା ଜଙ୍ଗଲ ପାହାଡଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୋଟ ଜମିର ପ୍ରାୟ ୪୦ ପ୍ରତିଶତ ରହିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ବି ରସାୟନିକ ସାର ପ୍ରୟୋଗ କମ୍ ରହୁଛି । ତୁଳନାତ୍ମକ ଭାବେ ଅବିଭକ୍ତ ପୁରୀ, କଟକ, ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱର ଆଦି ଜିଲ୍ଲାରେ ଅଧିକ ରସାୟନିକ ସାର ବ୍ୟବହାର ହେଉଛି । (ତଥ୍ୟ)