ଭୁବନେଶ୍ୱର : ସାରା ରାଜ୍ୟରେ ସ୍ୱାୟତ୍ତ ଶାସନ ଦିବସ ସରକାରୀ ଓ ବେସରକାରୀ ସ୍ତରରେ ଧୂମ୍ଧାମ୍ରେ ପାଳିତ ହେଉଥିବାବେଳେ ରାଜଧାନୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଆରା ଢଙ୍ଗରେ ଏହି ଉତ୍ସବ ପ୍ରତିପାଳନ କରି ସେମାନଙ୍କ ପ୍ରତିବାଦ ଜଣାଇଛନ୍ତି ।
ବିଶ୍ୱବିଦ୍ୟାଳୟ ହେବା ପୂର୍ବରୁ ରମାଦେବୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ୨୦୧୧ ମସିହାର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଶିକ୍ଷାନୁଷ୍ଠାନ ସମ୍ମୁଖରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଥିବାରୁ ମହାନଗର ନିଗମ କର୍ତ୍ତୃପକ୍ଷ ରମାଦେବୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ୨୦୧୧ ମସିହାରେ ଶୁଭ ଦେଇଥିଲେ ।
ଏହି ଶିଳାନ୍ୟାସ ଉତ୍ସବରେ ସେତେବେଳର ୫ଜଣ ମନ୍ତ୍ରୀଙ୍କ ସମେତ ସାଂସଦ, ବିଧାୟକ, ମେୟର, ଡେପୁଟୀ ମେୟର ଓ ଆଉ ୩ଜଣ କର୍ପୋରେଟରଙ୍କୁ ମିଶାଇ ମୋଟ୍ ୧୨ଜଣ ଅତିଥି ଯୋଗ ଦେଇଥିଲେ । ଏହି ଶିଳାନ୍ୟାସ ଉତ୍ସବ ରମାଦେବୀର ଛାତ୍ରୀମାନଙ୍କ ଭିତରେ ଏତେ ଆନନ୍ଦ ସୃଷ୍ଟି କରିଥିଲା ଯେ ସେମାନେ ବସ୍ତୁତଃ ମନ୍ତ୍ରୀମାନଙ୍କ ସମେତ ଅନ୍ୟ ଅତିଥିମାନଙ୍କୁ ଫୁଲରେ ପୋତି ପକାଇବା ସହ ସେମାନଙ୍କ ଜୟ ଜୟକାର ଧ୍ୱନିରେ ଗଗନ ପବନ ମୁଖରିତ କରିଥିଲେ ।
ସେତେବେଳର ମେୟର ଏବେ ଭୁବନେଶ୍ୱରର ମଧ୍ୟ ବିଧାୟକ ଅଛନ୍ତି । ଯେଉଁ ୫ଜଣ ମନ୍ତ୍ରୀ ଶିଳାନ୍ୟାସ ଉତ୍ସବରେ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ ସେମାନଙ୍କ ଭିତରୁ ସେତେବେଳର ନଗର ଉନ୍ନୟନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆଜିର ଦିନରେ ବି ବିଧାୟକ ଅଛନ୍ତି ।
ଏହି ଶିଳାନ୍ୟାସ ଫଳକଟି ୨୦୧୧ ସ୍ୱାୟତ୍ତଶାସନ ଦିବସ ଠାରୁ ଆଜି ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନ ସମ୍ମୁଖରେ ଥିବା ରାସ୍ତା ଡିଭାଇଡର ମଝିରେ ବତାବାଡ ଭିତରେ ସୁରକ୍ଷିତ ଭାବେ ରହିଛି । ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ ଦପ୍ତର ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ମୁଖ୍ୟ ରାସ୍ତା ଉପରେ ଏହା ୧୩ବର୍ଷ ଧରି ପଡି ରହିଥିଲେ ମଧ୍ୟ ଫୁଟ୍ ଓଭରବ୍ରିଜ୍ର ନିର୍ମାଣ କାର୍ଯ୍ୟ ଏଯାବତ୍ ଆରମ୍ଭ ହୋଇନାହିଁ ।
ପୂର୍ବରୁ ଏ ସଂକ୍ରାନ୍ତରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ଏବଂ ଛାତ୍ରୀମାନେ ମଧ୍ୟ ବିଭିନ୍ନ ଫୋରମରେ ଏହି ଦାବିକୁ ବାରମ୍ବାର ଉଠାଇଛନ୍ତି । ଭୁବନେଶ୍ୱରର ସାଂସଦ ଓ ମେୟର ମହିଳା ଥିବାବେଳେ ଅନେକ କର୍ପୋରେଟର ବି ମହିଳା । ଏହା ସତ୍ୱେ ବି ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏହି ଛୋଟ କାମ ଟି ୧୩ବର୍ଷ ଧରି ଅଟକି ରହିଛି । ଆଜି ରାଜ୍ୟବ୍ୟାପି ସ୍ୱାୟତଶାସନ ଦିବସ ପାଳନ କରାଯାଉଥିବାବେଳେ ଭୁବନେଶ୍ୱରରେ ମଧ୍ୟ ଏହି ଅବସରରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଛି । ତେବେ ରମାଦେବୀ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରୀ ଆଜି ସକାଳେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଶିଳାନ୍ୟାସ ଫଳକଟିକୁ ସଫା କରିବା ସହ ସେଥିରେ ଖୋଦିତ ହୋଇଥିବା ୧୨ଜଣ ନେତା ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ପୁଷ୍ପାର୍ଘ୍ୟ ଅର୍ପଣ କରି ଏହି ଫୁଟ୍ ଓଭରବିଜ୍ରଟି ଯେଭଳି ଶୀଘ୍ର ନିର୍ମାଣ ହେବ ସେଥିପାଇଁ ପ୍ରାର୍ଥନା କରିଛନ୍ତି ।
ଛାତ୍ରୀମାନଙ୍କ ସହିତ ଦଳ ମତ ନିର୍ବିଶେଷରେ ବହୁ ମହିଳା ଓ ଅଭିଭାବକ ମଧ୍ୟ ଉପସ୍ଥିତ ହୋଇ ଏହି ଦାବି ପ୍ରତି ସମର୍ଥନ ଜଣାଇବା ସଂଗେ ସଂଗେ ଯେଉଁମାନେ ଏଠାରେ ଶିଳାନ୍ୟାସ କରିଥିଲେ ଏବଂ ଯେଉଁମାନଙ୍କ ଅବହେଳା ଯୋଗୁଁ ଶିଳାନ୍ୟାସ ସ୍ଥାନରେ ଫୁଟ୍ ଓଭଳବ୍ରିଜ୍ ନିର୍ମିତ ହୋଇପାରି ନାହିଁ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । (ତଥ୍ୟ)