ଭୁବନେଶ୍ୱର : ଆଦିବାସୀ ପରିବାରଗୁଡିକୁ ଜୀବନ ଜୀବିକା ଯୋଗାଣ ଉଦ୍ଦେଶ୍ୟରେ ରୋପଣ କରାଯାଇଥିବା ରବର ଗଛଗୁଡିକର ଠିକଣା ଭାବେ ରକ୍ଷଣା ବେକ୍ଷଣ ନହେବାରୁ ୩କୋଟିରୁ ଅଧିକ ଟଙ୍କା ପାଣିରେ ପଡିଛି । ରାଇରଙ୍ଗପୁରରେ ରବର ଚାଷରେ ହୋଇଥିବା ଏହି ଅନିୟମିତତାକୁ ଧରିଛନ୍ତି ସିଏଜି ।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ରାଇରଙ୍ଗପୁର ଆଇଟିଡିଏ ରେକର୍ଡ ଯାଞ୍ଚ ସମୟରେ ଜଣାପଡିଛି ଯେ ୨୦୧୩-୧୪ ରୁ ୨୦୧୭-୧୮ ମଧ୍ୟରେ ୪୯୧ ହେକ୍ଟର ଅଞ୍ଚଳରେ ୧୯ଟି ପ୍ୟାଚ୍ରେ ରବର ଗଛ ଲଗାଯାଇଥିଲା । ଏହି ଯୋଜନାରେ ୩୬୦ଜଣ ହିତାଧିକାରୀ ସାମିଲ ଥିଲେ । ଏମଜି ନରେଗାରେ କେନ୍ଦ୍ରୀୟ ଅନୁଦାନ ବାବଦରେ ମିଳିଥିବା ୪କୋଟି ୧୯ଲକ୍ଷ ଟଙ୍କା ଏଥିରେ ଖର୍ଚ୍ଚ ହୋଇଥିଲା । ଖର୍ଚ୍ଚ ଅର୍ଥ ମଧ୍ୟରେ ନର୍ସରୀ ବୃଦ୍ଧି ପାଇଁ ୧କୋଯି ୧୬ଲକ୍ଷ ଟଙ୍କା, ବାର୍ଷିକ ରକ୍ଷଣା ବେକ୍ଷଣ ବାବଦରେ ୨କୋଟି ୯୪ଲକ୍ଷ ଟଙ୍କା ଏବଂ ପମ୍ପସେଟ୍ ସ୍ଥାପନ ପାଇଁ ୯ଲକ୍ଷ ଟଙ୍କା ଥିଲା ।
ଅଡିଟ୍ ସମୟରେ ଜଣାପଡିଲା ଯେ ୪୦୧ ହେକ୍ଟର ଜମିରେ ୧୮ଟି ପ୍ୟାଚ୍ରେ ଲାଗିଥିବା ରବର ଗଛର ବଞ୍ଚିବା ହାର ଶୂନ ରୁ ୫୮ ପ୍ରତିଶତ ଥିଲା । ୮ଟି ପ୍ୟାଚ୍ରେ ଗୋଟିଏ ହେଲେ ରବର ଗଛ ବଞ୍ଚିନଥିଲା । ଆଇଟିଡିଏ ପକ୍ଷରୁ ଦର୍ଶାଯାଇଥିଲା ଟଙ୍କା ନଥିବାରୁ ମଜୁରୀ ପ୍ରଦାନ କରାଯାଇନଥିଲା । ଏଥିଯୋଗୁଁ ଗଛଗୁଡିକର ବଞ୍ଚିବା କମିଥିଲା । ଗଛ ନବଞ୍ଚିବାର ଅନ୍ୟ କାରଣ ମଧ୍ୟରେ ବୁନ୍ଦା ଜଳସେଚନ ବ୍ୟବସ୍ଥା ନହେବା ଏବଂ ଗଛ ଲଗାଯାଇଥିବା ସ୍ଥାନକୁ ବିଦ୍ୟୁତ୍ ଯୋଗାଣ ନହେବା ଆଦି ରହିଥିଲା ।
ସିଏଜି ଦେଖିବାକୁ ପାଇଥିଲେ ଯେ ରବର ଚାଷର ସଫଳତା ପାଇଁ ଗୋଷ୍ଠି ଗଠନ, ଭାଗିଦାରୀ ଗଠନ ଏବଂ ପ୍ରକଳ୍ପର କାର୍ଯ୍ୟକାରୀତା କ୍ଷେତ୍ରରେ ସହାୟତା ପ୍ରଦାନ ନକରିବାପାଇଁ ଆଇଟିଡିଏ ନବରଙ୍ଗପୁର କୌଣସି ଏଫ୍ଏନଜିଓଙ୍କୁ ନିୟୋଜନ କରିନଥିଲେ । ଏହାଚଡା ମଙ୍ଗଳପୁର ଅଞ୍ଚଳରେ ୬୦ ପ୍ରତିଶତ ଗଛ ବଞ୍ଚିବାର ଥିଲେ ମଧ୍ୟ ୨୦୨୧ ରୁ କୌଣସି ରକ୍ଷଣା ବେକ୍ଷଣ କରାଯାଇନଥିଲା । କାରଣ ଖର୍ଚ୍ଚର ଅନୁମୋଦନ ପ୍ରସ୍ତାବ ମୟୁରଭଞ୍ଜଙ୍କ ଜିଲ୍ଲାପାଳଙ୍କ ନିକଟରେ ପଡି ରହିଥିଲା । ଶ୍ରମିକମାନଙ୍କୁ ସେମାନଙ୍କ ମଜୁରୀ ଦେବାରେ ଛଅ ରୁ ସାତମାସ ବିଳମ୍ବ ହେବାରୁ ସେମାନେ ବି ରକ୍ଷଣାବେକ୍ଷଣ କାର୍ଯ୍ୟ କରିନଥିଲେ । ଆଇଟିଡିଏ କର୍ତ୍ତୃପକ୍ଷ ଦର୍ଶାଇଥିଲେ ଯେ ଏମଜିନରେଗା ପାଣ୍ଠି ନିଆସିବାରୁ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ କରାଯାଇ ପାରିନଥିଲା ।
ସିଏଜି ଆହୁରି ଦେଖିବାକୁ ପାଇଛନ୍ତି ଯେ ରବର ଚାଷ ହୋଇଥିବା ତିନିଟି ଗ୍ରାମ ଯଥା ମୁସାମାରି, ବାଧୁନିଆ ଏବଂ ବ୍ରାହ୍ମଣପୋଷିରେ ରବରଗଛରେ ଜଳ ସିଞ୍ଚନ ପାଇଁ ୯ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ତିନିଟି ପମ୍ପଘର ପରବର୍ତ୍ତୀ ସମୟରେ ଅଚଳ ହୋଇ ପଡି ରହିଥିଲା । ଅନ୍ୟ ପକ୍ଷରେ ରବରଗଛଗୁଡିକୁ ପଶୁମାନଙ୍କ ଦାଉରୁ ରୋକିବାପାଇଁ ଉପଯୁକ୍ତ ବାଡର ଅଭାବ ମଧ୍ୟ ପରିଲକ୍ଷିତ ହୋଇଥିଲା । ସେଥିପାଇଁ ଗଛଗୁଡିକୁ ସମ୍ପୃକ୍ତ ହିତାଧିକାରୀଙ୍କୁ ହସ୍ତାନ୍ତର ପାଇଁ ଅମଳ ସ୍ତରକୁ ଆସିନଥିଲା । ଏଥି ଯୋଗୁଁ ମୋଟ୍ ୧୯ଟି ପ୍ୟାଚ୍ ମଧ୍ୟରୁ ୧୮ଟି ବନ୍ଦ ହୋଇଗଲା । ଯାହାର ଫଳ ସ୍ୱରୂପ ୩କୋଟି ୨୦ଲକ୍ଷ ଟଙ୍କା ପାଣିରେ ପଡିଲା ଏବଂ ୩୬୦ ଆଦିବାସୀ ପରିବାରକୁ ଜୀବନ ଜୀବିକା ଯୋଗାଇବାର ଯେଉଁ ଲକ୍ଷ୍ୟଥିଲା ତାହା ସଫଳ ହୋଇପାରିନଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)